ମଝି ସମୁଦ୍ରରେ ବୁଡ଼ିଲା ଟ୍ରଲର : ୧୫ ଘଣ୍ଟା ପରେ ୧୨ ମତ୍ସ୍ୟଜୀବୀ ଉଦ୍ଧାର, ଜଣେ ନିଖୋଜ
କେନ୍ଦ୍ରାପଡା : ରାଜନଗର ସମୁଦ୍ରରେ ଗୁରୁବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ମଝି ଦରିଆରେ ଏକ ମାଛଧରା ଡଙ୍ଗା ସମେତ ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ। କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୋଲିସ ସହାୟତାରେ ଶୁକ୍ରବାର ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜଣେ ନିଖୋଜ ଥିବା ମେରାଇନ ପୋଲିସ ସୂଚନା ଦେଇଛି।
ସୂଚନାନୁସାରେ, ଗୁରୁବାର ରାଜନଗରର ତାଳଚୁଆ ଅଞ୍ଚଳରୁ ଏକ ଟ୍ରଲର ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା। ଟ୍ରଲରରେ ୧୩ ମତ୍ସ୍ୟଜୀବୀ ଥିଲେ। ତେବେ ସନ୍ଧ୍ୟା ପାଞ୍ଚଟା ବେଳେ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ରାତି ହେବାରୁ ଗୁରୁବାର ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶୁକ୍ରବାର ସକାଳେ କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୋଲିସଙ୍କ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲିକେପ୍ଟର ସହାଯ୍ୟରେ ସର୍ଚ୍ଚ ଅପରେସନ ବେଳେ କୋଷ୍ଟଗାର୍ଡ ଟିମ, ଟ୍ରଲର ଓ ୧୨ ମତ୍ସ୍ୟଜୀବୀଙ୍କୁ ଠାବ କରାଯାଇଥିଲା। ଟ୍ରଲରଟି ସମୁଦ୍ରରେ ବୁଡି ଯାଇଥିବା ବେଳେ ୧୨ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ହେଲିକେପ୍ଟର ଯୋଗେ ସେମାନଙ୍କୁ ପାରଦୀପ କୋଷ୍ଟଗାର୍ଡ ଅଫିସରୁ ତାଳଚୁଆ ନିଆଯାଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ନିଖୋଜଙ୍କ ଖୋଜା ଚାଲିଛି। ଟ୍ରଲର ଦୁର୍ଘଟଣା ପରେ ସମୁଦ୍ରରେ ଓଲଟି ପଡିଥିଲା। ଆଉ ମତ୍ସଜୀବୀମାନେ ସେହି ଟ୍ରଲର ଉପରେ ରହି ନିଜର ଜୀବନ ବଞ୍ଚାଇଥିଲେ।
