ରାଜଧାନୀବାସୀଙ୍କ ପାଇଁ ଭଲ ଖବର : କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଟ୍ରମା କେୟାର ଆଣ୍ଡ ସର୍ଜରୀ କମ୍ପ୍ଲେକ୍ସ
ଭୁବନେଶ୍ୱର : ରାଜଧାନୀବାସୀଙ୍କ ପାଇଁ ଭଲ ଖବର । ଦୁର୍ଘଟଣାରେ ଗୁରୁତର ଓ ଆଶୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଟ୍ରମା କେୟାର ଏବଂ ସର୍ଜରୀ କମ୍ପ୍ଲେକ୍ସ । ଏନେଇ ୨୩୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୨୪ ମାସ ମଧ୍ୟରେ ଏହା ପ୍ରତିଷ୍ଠା ହେବ । ଏନେଇ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।
ସ୍ବାସ୍ଥ୍ୟ ଅନୁଷ୍ଠାନ ତଥା ଡାକ୍ତରଖାନା ମାନଙ୍କର ଯୋଗ୍ୟ ଡାକ୍ତରଙ୍କ ଆବଶ୍ୟକତା ପୂରଣ ପାଇଁ ଓ ଭେଷଜ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଏକ ଅଭୂତପୂର୍ବ ପଦକ୍ଷେପ ନେଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଚିକିତ୍ସା ବିଜ୍ଞାନ ଏବଂ ଅନୁସନ୍ଧାନ ପାଇଁ ସ୍ନାତକୋତ୍ତର ଭେଷଜ ମହାବିଦ୍ୟାଳୟ ଓ ଦୁର୍ଘଟଣା ଜନିତ ଚିକିତ୍ସା କେନ୍ଦ୍ର, ଅସ୍ଥିଶଲ୍ୟ ଚିକିତ୍ସା କେନ୍ଦ୍ର ଓ ଆଶୁ ଚିକିତ୍ସା କେନ୍ଦ୍ର । ଏହି ନିର୍ମାଣ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହା ରାଜଧାନୀ ବାସିନ୍ଦାଙ୍କ ସମେତ ସମଗ୍ର ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ଉତ୍ତମ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇ ପାରିବ । ଟ୍ରମା କେୟାର ଏବଂ ସର୍ଜରୀ କମ୍ପ୍ଲେକ୍ସକୁ ଲାରସେନ ଏବଂ ଟରବୋ ଲିଃ. ନିର୍ମାଣ କରିବ । ଏଥିପାଇଁ ଆବଶ୍ୟକ ୨୩୫.୦୮ କୋଟି ଟଙ୍କା ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରିଛି ।
