ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ : ଆର୍ଥିକ ଦେବାଳିଆ ଦ୍ଵାରରେ ଶ୍ରୀଲଙ୍କା!
ନୂଆଦିଲ୍ଲୀ : ମହାମାରୀ କରୋନା କାରଣରୁ ପର୍ଯ୍ୟଟନ ଉଦ୍ୟୋଗ ପ୍ରଭାବିତ ହୋଇଛି । ଫଳରେ ପ୍ରଥମରୁ ହିଁ ମୁସ୍କିଲରେ ଥିବା ଶ୍ରୀଲଙ୍କା ଏବେ ଆର୍ଥିକ ଦେବାଳିଆ ଦ୍ଵାରରେ । ସେହିପରି ମାତ୍ର ୩ ମାସ ପାଇଁ ବଞ୍ଚିଛି ବିଦେଶୀ ମୁଦ୍ରା ଭଣ୍ଡାର । ଏହି ସମସ୍ୟା ଆହୁରି ବଢି ଯାଇଛି। ଶ୍ରୀଲଙ୍କା ପାଇଁ ପର୍ଯ୍ୟଟନ ବିଦେଶୀ ମୁଦ୍ରା ଆୟର ସବୁଠୁ ବଡ ଉତ୍ସ ଥିଲା। ପର୍ଯ୍ୟଟନ କ୍ଷେତ୍ର ସାଧାରଣତଃ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଥାଏ ଏବଂ ଜିଡିପିରେ ଏହାର ଭାଗିଦାରୀ ୫ ପ୍ରତିଶତରୁ ଅଧିକ ରହିଛି। ହେଲେ ପର୍ଯ୍ୟଟନ କ୍ଷେତ୍ର ଏବେ ମାନ୍ଦାବସ୍ଥାରେ। ମହାମାରୀ କରୋନା କାରଣରୁ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଫଳରେ ଶ୍ରୀଲଙ୍କା ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇବାରୁ ବିଦେଶରୁ କୃଷି ରସାୟନ, କାର ଓ ହଳଦି ଆମଦାନୀ କମାଇଛି ।
ପିଟିଆଇ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ମହାମାରୀରୁ ମୁକୁଳିବା ପାଇଁ ପ୍ରୟାସରତ ଶ୍ରୀଲଙ୍କା ନିଜ ଋଣ ପରିଶୋଧ ପାଇଁ ମଧ୍ୟ ସଂଘର୍ଷ କରୁଛି। ଆମର ପଡୋଶୀ ଦେଶ ବାଣିଜ୍ୟ ଘାଟାକୁ କମ କରିବା ପାଇଁ ଟୁଥବ୍ରଶ, ଷ୍ଟବେରୀ, ଭେଟ୍ ଓ୍ଵାଇପ୍ସ ଓ ଚୀନ ସହିତ ଅନେକ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ରୋକ୍ ଲଗାଇଛି। ବିଦେଶୀ ସାମଗ୍ରୀ ଉପରେ କଟକଣା ପରେ ଶ୍ରୀଲଙ୍କାରେ ଅନେକ ବସ୍ତୁର ଦାମ ବୃଦ୍ଧି ଘଟିଛି। ଏହାରି ପ୍ରତିବାଦରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଛି। ଏହି ସମୟରେ ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାରରେ ଯେତିକି ଅର୍ଥ ଅଛି ସେଥିରେ ମୁସ୍କିଲରେ ଆଉ ତିନି ମାସ ବିଦେଶରୁ ସାମଗ୍ରୀ ଆମଦାନୀ କରାଯାଇ ପାରିବ। ଅନ୍ୟପଟେ ଶ୍ରୀଲଙ୍କା ବିଦେଶୀ ଋଣ ଜାଲରେ ଫଶିଛି। ଏଥିରେ ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆର୍ଥିକ ଗବେଷକ ସମୂହ ପଏଣ୍ଟ ପେଡ୍ରୋ ଇନଷ୍ଟିଚ୍ୟୁଟ୍ ଅଫ ଡେଭଲପମେଣ୍ଟର ପ୍ରମୁଖ ମୃତ୍ୟୁକୃଷ୍ଣ ସର୍ବନାଥନ କହିଛନ୍ତି, ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତି ବହୁତ ଖରାପ ରହିଛି। ଦେଶର ଦେବାଳିଆ ସ୍ଥିତିକୁ ଗତି କରିବାରେ ଲାଗିଛି। ଫିଚ୍ ରେଟିଂରେ ଶ୍ରୀଲଙ୍କାକୁ ସିସିସି ଶ୍ରେଣୀରେ ପକାଇ ଦେଇଛି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ଶ୍ରୀଲଙ୍କା ସ୍ଥିତି କେମିତି ଅଛି। ଏଥିରେ ଉଲ୍ଲେଖ ରହିଛି ଯେ, ଆଗାମୀ ପାଞ୍ଚ ବର୍ଷରେ ବିଦେଶୀ ଋଣ ପରିମାଣ ବଢି ୨୯ ଅରବ ଡଲାରକୁ ବଢିଯିବ।
