ଜୁଲାଇ ୨୬ରୁ ବିହାର ବିଧାନସଭାର ମୌସୁମୀ ଅଧିବେଶନ
ପାଟନା : ଆସନ୍ତା ଜୁଲାଇ ୨୬ରୁ ବିହାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ମୁଖ୍ୟ ବିରୋଧୀ ଦଳ ଆରଜେଡି ବିଧାନସଭାକୁ ଯିବ କି ନା ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନି। ଏହା କହିଛନ୍ତି ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ। ୨୩ ମାର୍ଚ୍ଚ ୨୦୨୦ରେ ବିଧାନସଭାରେ ବିରୋଧୀ ଦଳଙ୍କୁ ପୋଲିସ ଲଗାଇ ଯେପରି ମାରପିଟ କରାଯାଇଥିଲା ଏଥିରେ ବିଧାୟକମାନେ ଏବେବି ଭୟଭୀତ ଥିବା ତେଜସ୍ୱୀ କହିଛନ୍ତି। ଘଟଣାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଅତୀତରେ ବାଚସ୍ପତିଙ୍କୁ କରିଥିବା ନିବେଦନର କୌଣସି କାର୍ଯ୍ୟାନୁଷ୍ଠାନ ହୋଇଛି କି ନା ବିରୋଧୀ ଦଳ ବିଧାୟକମାନଙ୍କୁ ସୂଚିତ କରିବା ଲାଗି ତେଜସ୍ୱୀ ବୁଧବାର ପୁଣି ଏକ ପତ୍ର ଲେଖିଛନ୍ତି। ୨୩ ମାର୍ଚ୍ଚ ଘଟଣାକୁ ମନେ ପକାଇ ତେଜସ୍ୱୀ ବାଚସ୍ପତିଙ୍କୁ ଏହି ପତ୍ର ଲେଖିଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ କରାଯାଇଛି ଜଣାଇବାକୁ ଅନୁରୋଧ କରିଛନ୍ତି। ଘଟଣା ବାସ୍ତବିକ ଜଘନ୍ୟ ଥିଲା ଓ ଏଥିରେ ବିଧାୟକମାନେ ଡରି ଯାଇଛନ୍ତି ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ମାମଲାରେ ଦୋଷୀ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସରକାର କଣ କାର୍ଯ୍ୟାନୁଷ୍ଠାନ ତାହା ସୂଚିତ କରିବାକୁ ଅନୁରୋଧ କରିଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ଦଳ ବିଧାୟକମାନେ ବୈଠକ କରି ସଦନରେ ସେମାନଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦେବାକୁ ତାଙ୍କୁ ଅନୁରୋଧ କରିଥିବା ତେଜସ୍ୱୀ ବାଚସ୍ପତିଙ୍କୁ ପତ୍ରରେ ସୂଚିତ କରିଛନ୍ତି।
ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ପଦାଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ସୁରକ୍ଷାର ଆଶ୍ୱାସନ ଦେଲେ ସେମାନେ ବିଧାନସଭାକୁ ଯିବେ ବୋଲି କହିଛନ୍ତି। ତେବେ ଘଟଣାରେ ସମୁଚିତ କାର୍ଯ୍ୟାନୁଷ୍ଠାନ ହୋଇଥିବ ବୋଲି ତେଜସ୍ୱୀ ପତ୍ରରେ ଆଶାବ୍ୟକ୍ତ କରିଛନ୍ତି। ହେଲେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ବାବଦେ ସମସ୍ତ ବିଧାୟକମାନଙ୍କୁ ସୂଚନା ଉପଲବ୍ଧ କରିବା ଲାଗି ସେ ଦାବି କରିଛନ୍ତି। ଗଣତନ୍ତ୍ର ମନ୍ଦିରରେ ଯଦି ବିଧାୟକଙ୍କ ସହ ସରକାର ଓ ତାଙ୍କ କଳ ଏପରି ବର୍ବର ବ୍ୟବହାର କରିବେ ତେବେ ସୁରକ୍ଷା ଆଶା କେଉଁଠୁ କରାଯାଇପାରିବ ବୋଲି ସେ ବାଚସ୍ପତିଙ୍କୁ ପ୍ରଶ୍ନ କରିଛନ୍ତି। ତେବେ ବାଚସ୍ପତି ତାଙ୍କ ଉପସ୍ଥିତିକରେ ଗୃହରେ ଆଗକୁ କେବେ ଏଭଳି ଘଟଣା ହେବନି ବୋଲି ପ୍ରତିଶ୍ରୁତି ଦେଲେ ବିଧାୟକମାନେ ବିଧାନସଭାକୁ ଯିବେ କି ନା ସେ ନେଇ ନିଷ୍ପତ୍ତି ନେବେ ବୋଲି ତେଜସ୍ୱୀ ପତ୍ରରେ ଉଲ୍ଲେଖ କରିଛନ୍ତି। କରୋନା ଭାଇରସ ଯୋଗୁ ଏଥର ମଧ୍ୟ ବିଧାନସଭା ଅଧିବେଶନକୁ ସଂକ୍ଷିପ୍ତ କରାଯାଇଛି। ଏହି ଅଦିବେଶନ ମାତ୍ର ୫ ଦିନିଆ ହେବ। ୨୬ ଆରମ୍ଭ ହୋଇ ଜୁଲାଇ ୩୦ରେ ସରିବ । ତେବେ ବିଧାନସଭା ଅଧିବେଶନ ପ୍ରସଙ୍ଗକୁ ନେଇ ବେଶ୍ ସରଗରମ ହେବ ବୋଲି ଆଶଙ୍କା କରାଯାଉଛି।
