ମାଲକାନଗିରିରେ ଲଗାଣ ବର୍ଷା : ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ
ସୀମାନ୍ତ ରାଜ୍ୟ ସହ ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି : ଲଗାଣ ବର୍ଷାରେ ମାଲକାନଗିରି ଜିଲା ଅସ୍ତବ୍ୟସ୍ତ । ମାଲକାନଗିରି ସୀମାନ୍ତ ମୋଟୁ ନିକଟରେ ଥିବା କୁଇଗୁର ପୋଲ ଉପରେ ୨ରୁ ୩ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି। ରାସ୍ତାର ଉଭୟ ପଟେ ଅଟକି ରହିଛି ଅନେକ ଗାଡି ।
ଗତ ଦୁଇଦିନ ହେଲା କାଲିମେଳା ଓ ମୋଟୁ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ମୋଟୁ ନିକଟରେ ପ୍ରବାହିତ ହେଉଥିବା ସିଲେରୁ ଓ ସାବେରୀ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମୋଟୁ ଓ ଆନ୍ଧ୍ର ସୀମାନ୍ତରେ ଥିବା କାଲେରୁ ଗାଁ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଏବେ ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁ ସହ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମୋଟୁ ସୀମାନ୍ତରେ ଅନେକ ଯାନ ବାହାନ ଅଟକି ରହିଛି । ପରିସ୍ଥିତି ଉପରେ ନଜର ରଖିବା ଲାଗି ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।
