ଟୋକିଓ ଅଲିମ୍ପିକ୍ସ : ରେସଲିଂରେ ରୌପ୍ୟ ଆଣିଲେ ରବି କୁମାର
- ୪ କୋଟି ଟଙ୍କା ପୁରସ୍କାର ଦେବେ ହରିୟାଣା ସରକାର
ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଉ ଏକ ପଦକ ଜିତିଛି । ରବି କୁମାର ଦହିୟା ପୁରୁଷଙ୍କ ୫୭ କେଜି ଫ୍ରିଷ୍ଟାଇଲ୍ ରେସଲିଂ ଫାଇନାଲରେ ହାରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି । ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ୪-୭ ପଏଂଟରେ ପରାସ୍ତ ହୋଇଛନ୍ତି । ଉଗେଭ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ପୁଣିଥରେ ଧୂଳିସାତ୍ ହୋଇ ଯାଇଛି । ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ ହେଁ ରବି କୁମାର ରୌପ୍ୟ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ଚଳିତ ଅଲିମ୍ପିକ୍ସରେ ରେସଲିଂରେ ଭାରତର ଏହା ପ୍ରଥମ ପଦକ । ଏହାସହ ୨୦୧୨ ପରେ ରବି କୁମାର ଭାରତକୁ ପୁରୁଷ ରେସଲିଂ ବର୍ଗରେ ପଦକ ଦେଇଛନ୍ତି । ୨୦୧୨ ଲଣ୍ଡନ ଗେମ୍ସରେ ଭାରତର ସୁଶୀଲ କୁମାର ଓ ଯୋଗେଶ୍ୱର ଦତ ପଦକ ଜିତିଥିଲେ । ସେହିପରି ଗତ ସଂସ୍କରଣରେ ସାକ୍ଷୀ ମଲିକ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ ।
ଚଳିତ ଅଲିମ୍ପିକ୍ସରେ ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରିଥିଲେ । ରାଉଣ୍ଡ-୧୬ରେ ରବି କୁମାର କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରସଙ୍କୁ ୧୩-୨ ପଏଂଟରେ ହରାଇ କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିଥିଲେ । ଅନ୍ତିମ-୮ରେ ରବି କୁମାର ବୁଲଗେରିଆର ଜର୍ଜି ଭାଙ୍ଗେଲୋଭଙ୍କୁ ୧୪-୪ରେ ହରାଇଥିବା ବେଳେ ସେମିଫାଇନାଲରେ କଜାଖସ୍ତାନର ନୁରିସ୍ଲାମ୍ ସାନାୟେଭଙ୍କୁ ଭିକ୍ଟରୀ ବାଏ ଫଲରେ ୭-୯ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ରବି କୁମାର ଦହିୟା ଜଣେ ଉଜ୍ଜ୍ୱଳ କୁସ୍ତିଯୋଦ୍ଧା । ତାଙ୍କର ସଂଗ୍ରାମ ଭାବନା ଓ ତପ ଉତ୍କୃଷ୍ଟ । ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ ।”
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପହିଲବାନ ରବି ଦହିୟା ରୋପ୍ୟ ପଦକ ଜିତିଛନ୍ତି । ଫାଇନାଲରେ ସେ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ । ଅନ୍ତିମ ମ୍ୟାଚରେ ଋଷର ପହିଲବାନ ଜଭୁର ୟୁଗେଭ ତାଙ୍କୁ ପରାସ୍ତ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ରୋପ୍ୟ ପଦକ ଜିତିବା ପରେ ହରିୟାଣା ସରକାର ତାଙ୍କୁ ପୁରସ୍କାର ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବି ଦହିୟାଙ୍କୁ ୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଏହା ସହିତ ରବି ଦହିୟା ମଧ୍ୟ ସୋନିପତର ନାହରି ଗ୍ରାମରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ।
