ଆଜି ପ୍ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ! ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ, ଛୁଟିଲାଣି ଶୁଭେଛା
ନୂଆଦିଲ୍ଲୀ : ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଛି ମତଦାନ । ଆଜି ସଂସଦ ଭବନରେ ଗଣତି ହେବା ସହ ପ୍ରକାଶ ପାଇବ ଫଳାଫଳ । ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଦିନ ୧୧ଟାରୁ ଭୋଟ ଗଣତି ଆରମ୍ଭ ହେବ । ଗଣତି ପରେ ସ୍ପଷ୍ଟ ହୋଇଯିବ କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ୬୦ ଭାଗରୁ ଅଧିକ ଭୋଟ୍ ପାଇ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ରାଇସିନାରେ ମୁର୍ମୁ ବସିବା ଏକ ପ୍ରକାର ସ୍ପଷ୍ଟ । କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି । ଅନ୍ୟ ନିର୍ବାଚନ ଭଳି ଏଥିରେ ମଧ୍ୟ ୫୦ ପ୍ରତିଶତ ଭୋଟ ମିଳିଲେ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ ।
ଭୋଟ ଗଣତି ହୋଇନଥିଲେ ବି ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ତଥା ରାଇରଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ ରାଇସିନା ହିଲରେ ବସିବା ଏକ ପ୍ରକାର ଥୟ । ଦ୍ରୌପଦୀ ବିଜୟ ଲାଭ କଲେ ସେ ଅନେକ ଦୃଷ୍ଟିରୁ ପ୍ରଥମ ହେବେ। ପ୍ରଥମ ଓଡିଆ ତଥା ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ଦେଶର ରାଷ୍ଟ୍ରପତି ହେବେ । ୬୪ ବର୍ଷୀୟ ଦ୍ରୌପଦୀ ଦେଶର କନିଷ୍ଠତମ ରାଷ୍ଟ୍ରପତି ମଧ୍ୟ ହେବେ।
ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜୟ ଉତ୍ସବ ପାଳନ ପାଇଁ ମୟୂରଭଞ୍ଜର ରାଇରଂଗପୁର ସହରର ଉତ୍ସବ ମୁଖର ହୋଇ ଉଠିଛି । ଆଗୁଆ ମିଠେଇ ପ୍ରସ୍ତୁତ କରାଯାଇଛି । ରାଇରଂଗପୁର ରଂଗଲାଲ ଧର୍ମଶାଳାରେ ୨୦ହଜାର ଲଡୁ ପ୍ରସ୍ତୁତି କରାଯାଇଛି । ଫଳାଫଳ ଆସିବା ପରେ ଏହି ଲଡୁ ବଂଟାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଯେ, ଆସନ୍ତା ୨୫ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବ । ଆସନ୍ତା ୨୫ତାରିଖରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଗତ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଦେଶର ୪ ହଜାର ୭୯୭ ଅଧିକ ବିଧାୟକ ଓ ସାଂସଦ ମତଦାନରେ ସାମିଲ ହୋଇଥିଲେ ।
