ଆଜି ଜିନ୍ଦଲ ପ୍ଲାଣ୍ଟ ପରିସରରେ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୋଳ ଗସ୍ତ ଆଜି । ସେଠାରେ ଜିନ୍ଦଲ ପ୍ଲାଣ୍ଟ ପରିସରରେ ନିର୍ମିତ ୨୭୦ ବେଡ଼ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି କୋଭିଡ୍ କେୟାର ସେଣ୍ଟରର ୨୭୦ ବେଡ଼ରେ ସମ୍ପୂର୍ଣ୍ଣ ଭାବେ ଅକ୍ସିଜେନ ସଂଯୋଗ ରହିବ ।
ଏହାପରେ ବଳରାମ ପ୍ରସାଦଠାରେ ଥିବା ଇଏସଆଇ କୋଭିଡ୍ ହସ୍ପିଟାଲ ବୁଲିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନରେ ତାଳଚେର କୋଭିଡ୍ ହସ୍ପିଟାଲ ବୁଲି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତାଳଚେର କୋଭିଡ୍ ହସ୍ପିଟାଲ ଏମସିଏଲ ସହାୟତାରେ ସମ୍ ହସ୍ପିଟାଲ ଦ୍ବାରା ପରିଚାଳିତ ହେଉଛି । ଏହାପରେ କୋଭିଡ୍ ନିୟନ୍ତ୍ରଣ ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇ ପାରିବ ସେ ବିଷୟରେ ସ୍ଥାନୀୟ ପ୍ରଶାସନ ସହ ସବିଶେଷ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ରହିବେ ।
