ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାପ୍ରଭୁ
ପୁରୀ : ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସୁସଜ୍ୱିତ କରାଯାଇଥାଏ।
ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଗତକାଲି ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଅସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ ବେଶ ହୋଇଥିଲେ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ । ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ । ପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରିବା ପରେ ଜୟବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ । ଏହାପରେ ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ ।
ଏହି ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ ଲମ୍ୱର ବିରାଟକାୟ ସପ୍ତଫେଣିଆ କାଳୀୟ ସର୍ପକୁ ରତ୍ନସିଂହାସନ ଉପରକୁ ନିଆଯାଇଥାଏ। ଫେଣିଆ ମସ୍ତକ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମସ୍ତ ଶରୀରକୁ ଆବୃତ କରି ରଖାଯାଏ। ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ଓ ବଳଭଦ୍ରଙ୍କ ଦୁଇ ପାର୍ଶ୍ୱରେ ଗୋଟିଏ ଲେଖାଏଁ କାଷ୍ଠ ନିର୍ମିତ ଗାଇ ବାଛୁରୀ ରଖାଯାଇଥାଏ। ତେବେ ଭକ୍ତମାନେ ଏହି ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।
