ଆଜି ଇଡବ୍ଲୁଏସ୍ ସଂରକ୍ଷଣ ନେଇ ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରିରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍) କୁ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ମାମଲାରେ ରାୟ ପ୍ରକାଶ କରିବେ ।
ତତ୍କାଳୀନ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସମେତ ବରିଷ୍ଠ ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ୨୭ ସେପ୍ଟେମ୍ବରରେ ଇଡବ୍ଲୁଏସ୍ ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଥିଲେ । ସେପ୍ଟେମ୍ବର ୧୩ରେ ଶିକ୍ଷାବିତ୍ ମୋହନ ଗୋପାଳ କୋର୍ଟରେ ଯୁକ୍ତି କରିଥିଲେ ଯେ ଇଡବ୍ଲୁଏସ୍ କୋଟା ସଂରକ୍ଷଣ ମୂଳ ଉଦ୍ଦେଶ୍ୟ “ପଛ ଦ୍ୱାର ଦେଇ” ନଷ୍ଟ କରିବାକୁ ଉଦ୍ୟମ ବୋଲି କହିଥିଲେ।
ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ୭ ଦିନ ଧରି ମାମଲାର ଶୁଣାଣି କରିବା ପରେ ଗତ ୨୭ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରିଥିଲେ କେନ୍ଦ୍ର ସରକାର । ଏଥିପାଇଁ ସମ୍ବିଧାନରେ ୧୦୩ ତମ ସଂଶୋଧନ କରାଯାଇଥିଲା । ଇଡବ୍ଲୁଏସ କୋଟାକୁ ତାମିଲନାଡୁର ଶାସକ ଦଳ ଡିଏମକେ ଓ କିଛି ସଂଗଠନ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ୨୦୨୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଆବେଦନକାରୀ ଓ ପ୍ରତିପକ୍ଷଙ୍କ ସବୁ ଦଲିଲ ଶୁଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ରାୟ ସଂରକ୍ଷିତ ରଖିଛନ୍ତି । ନଭେମ୍ବର ୮ତାରିଖରେ ପ୍ରଧାନବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ କାର୍ଯ୍ୟକାଳ ସରୁଛି । ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସ ହୋଇଥିବାରୁ ଇଡବ୍ଲୁଏସ ସଂରକ୍ଷଣ ମାମଲ ରାୟ ଶୁଣାଇବା ସମ୍ଭାବନା ରହିଛି ।
