ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି
- ରଥାରୁଢ ଦିଅଁଙ୍କ ପାଖରେ ଅଧର ଉଚ୍ଚ ହାଣ୍ଡିରେ ଲାଗି ହେବ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପଣା
- ରଥରେ ଅବସ୍ଥାନ କରୁଥିବା ଚଣ୍ଡି-ଚାମୁଣ୍ଡାଙ୍କ ଶାନ୍ତି ପାଇଁ ମହାପ୍ରଭୁଙ୍କ ନିଆରା ରୀତି
ପୁରୀ : ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ଏଥି ପାଇଁ ସେବାୟତମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରଥ ଉପରେ ଶ୍ରୀଜିଉଙ୍କ ଅଧର ଉଚ୍ଚର ୩ଟି ଲେଖାଏ ହାଣ୍ଡିରେ ଅଧରପଣା ଭୋଗ ହେବ । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁମାନଙ୍କର ଦକ୍ଷିଣାଭିମୁଖୀ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ଉଲ୍ଲେଖ ରହିଛି । ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ। ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ। ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ଅଧରପଣା ଭୋଗ ବିଧିତ ପ୍ରାୟ ୪୫୦ରୁ ଅଧିକ ପୁରୁଣା ବୋଲି କୁହାଯାଏ । ପୂର୍ବରୁ ଦଶମୀ, ଏକାଦଶୀ ଓ ଦ୍ୱାଦଶୀରେ ତିନିଥର ଠାକୁରଙ୍କ ଅଧରପଣା ନୀତି ହେଉଥିଲା ବୋଲି ସଂସ୍କୃତିଗବେଷକ କହନ୍ତି । କିନ୍ତୁ ବର୍ତମାନ ଏହା କେବଳ ଥରେ ହିଁ କରାଯାଉଛି । ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ପୁରୀର ବଡ ଓଡିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନିରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ। ଶାସ୍ତ୍ରଜ୍ଞଙ୍କ ମତରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ-ଚାମୁଣ୍ଡାଙ୍କ ପାଇଁ ଏହି ଅଧରପଣା ନୀତି ହୋଇଥାଏ । ଫଳରେ ସେମାନେ ଶାନ୍ତି ହୋଇ ନିଜ ସ୍ଥାନ ଫେରିଥାନ୍ତି । ଆଜିର ଏହି ନୀତି ପରେ ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
ଅଧର ନୀତି ପାଇଁ ଗୁରୁବାର ସକାଳ ୬ଟାରୁ ସାଢ଼େ ୬ଟା ମଧ୍ୟରେ ୩ ରଥ ଉପରେ ମଙ୍ଗଳ ଆଳତି ହୋଇଯାଇଛି । ୭ଟାରେ ମଇଲମ୍-ତଡ଼ପ ଲାଗି, ୮ଟାରେ ଅବକାଶ ନୀତି, ୯ଟାରେ ବେଶଶେଷ, ୧୦ଟାରୁ ୧୦ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ, ୧୧ଟା ୩୦ରୁ ୧୨ଟା ୩୦ ଯାଏଁ ସକାଳ ଧୂପ, ଅପରାହ୍ନ ୧ଟାରେ ମଇଲମ, ୧ଟା ୩୦ରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶଶେଷ, ଅପରାହ୍ନ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ ପରେ ଅଧର ନୀତି ଆରମ୍ଭ ଏବଂ ରାତି ୮ଟା ସୁଦ୍ଧା ଅଧର ନୀତି ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ରାତି ୯ଟାରେ ମହାସ୍ନାନ ଶେଷ, ୧୦ଟାରେ ମଇଲମ, ବେଶ, ୧୦ଟା ୩୦ରେ ସନ୍ଧ୍ୟା ଆଳତି, ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସନ୍ଧ୍ୟା ଧୂପ, ୧୨ଟା ୩୦ରେ ମଇଲମ, ତଡ଼ପଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ ପରେ ୨ଟାରେ ରାତ୍ର ପହୁଡ଼ ପଡ଼ିବ । ସୂଚନା ଯେ, ଗତ ଗୁରୁବାର ଶ୍ରୀଜିଉଜିଉମାନେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀଜିଉମାନେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ । କୋଭିଡ କଟକଣା ଯୋଗୁଁ ଭକ୍ତ ବଡ଼ଦାଣ୍ଡକୁ ଯାଇପାରିନଥିଲେ ବି, ଘରେ ଥାଇ ମହାପ୍ରଭୁଙ୍କର ଏହି ମନଲୋଭା ବେଶ ଦେଖିଥିଲେ ।
