ଆଜିଠୁ ଅଷ୍ଟମ ଶ୍ରେଣୀ ଅଫଲାଇନ ପଠାପଢ଼ା
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ ଅଫଲାଇନ ପଠାପଢ଼ା। ଏହି ପରିପ୍ରେକ୍ଷୀରେ ଦୀର୍ଘଦିନର ବ୍ୟବଧାନ ପରେ ସୋମବାର ଠାରୁ କ୍ଳାସ ରୁମରେ ପାଠ ପଢିବେ ଛାତ୍ରଛାତ୍ରୀ। ପ୍ରତ୍ୟେକ ଦିନ ସକାଳ ୯ରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ପାଠପଢା ହେବ । ଏଥିନିମନ୍ତେ ଗାଇଡ଼ଲାଇନ ଜାରି ହୋଇଛି।
ଗାଇଡ଼ଲାଇନ ଅନୁସାରେ ଏଣିକି ଅଷ୍ଟମ ଶ୍ରେଣୀରେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ। ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଭାବକଙ୍କ ପରାମର୍ଶରେ ଅଫଲାଇନ୍ କ୍ଲାସରେ ଯୋଗ ଦେବେ। ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ। ଏହା ବଦଳରେ ସେମାନଙ୍କୁ ପୂର୍ବରୁ ଦିଆଯାଉଥିବା ଶୁଖିଲା ରାସନ ପ୍ରଦାନ କରାଯିବ। କୋଭିଡ -୧୯ ପ୍ରୋଟୋକଲ ଏବଂ ସାମାଜିକ ଦୂରତା ନିୟମ ଅନୁସରଣ କରି ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲିବା ଦିନଠାରୁ ଉପରୋକ୍ତ ଶ୍ରେଣୀଗୁଡ଼ିକ ପାଇଁ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲାଯିବ। ତଥାପି, ହଷ୍ଟେଲରେ ରହିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ ଅଟେ। ଅନ୍ୟପଟେ ପ୍ରଥମ ଦିନ ରେ ପାଠ ପଢା ହେବନାହିଁ। କେବଳ ପିଲାଙ୍କ ସହ ଆଲୋଚନା କରିବେ ଶିକ୍ଷକ ଓ ପରିଚାଳନା କମିଟି। ୨୭, ୨୮ ଓ ୨୯ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ। ଏଥିପାଇଁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ୨୫ ଓ ୨୬ ତାରିଖ ରେ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗୀତା, ସଂଗୀତଗାନ, ଚିତ୍ରାଙ୍କନ, ମାଟିକାମ, କୋଭିଡ଼ ସମୟରେ ସମୟ କିପରି ବିତାଇଲ ତା’ ଉପରେ ଆଲୋଚନା କରାଯିବ। ପିଲାମାନେ ମୁକ୍ତଭାବରେ ବିଦ୍ୟାଳୟ ଭିତରେ ବୁଲିବା, ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବା, ବିଭିନ୍ନ ବସ୍ତୁ ସଂଗ୍ରହ କରି ଏହା ଉପରେ ଆଲୋଚନା କରିବା ଇତ୍ୟାଦି କାର୍ୟ୍ୟକ୍ରମ କରାଯିବ । ସର୍ବୋପରି ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଶିକ୍ଷକମାନେ ପ୍ରଚେଷ୍ଟା କରିବେ। ଛାତ୍ରଛାତ୍ରୀମାନଙ୍କ ମନରେ ବିଦ୍ୟାଳୟ ଓ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।
ସେହିପରି ୨୭ ତାରିଖରେ ଓଡ଼ିଆ, ୨୮ ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ଆକଳନରେ ଅଂଶଗ୍ରହଣ କରିବେ । ଏହାର ସମୟସୀମା ମାତ୍ର ୧ ଘଣ୍ଟା ରହିବ । ପ୍ରଶ୍ନପତ୍ର ଓସେପା ଓ ଏସ୍.ସି.ଇ.ଆର.ଟି ତରଫରୁ ଯୋଗାଇ ଦିଆଯିବ ।ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁନଥିବେ, ପ୍ରଧାନଶିକ୍ଷକ / ଶିକ୍ଷକମାନେ ଛାତ୍ର ଛାତ୍ରୀ ନ୍କ ଘରକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ । ପ୍ରତ୍ୟେକ ଛାତ୍ରର ଫଳାଫଳ ଲିପିବଦ୍ଧ କରାଯିବ । ପରେ ଏହାର ବିଶ୍ଳେଷଣ ଓ ପରବର୍ତୀ କାର୍ୟ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ। ଆକଳନ ସରିବା ପରେ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାରାତ୍ମକ ଶିକ୍ଷା ପ୍ରଧାନଶିକ୍ଷକଙ୍କ ଦ୍ଵାରା କରାଯିବା। ଯଦି କୌଣସି ଶିକ୍ଷକ ବା ଛାତ୍ରଛାତ୍ରୀ ଥଣ୍ଡା ବା କଫ ଜନିତ ରୋଗରେ ପିଡ଼ୀତ ଥିବେ, ସେମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଯେଉଁ ସ୍ଥାନାରେ କରୋନା ସଂକ୍ରମଣ ଅଧିକ ରହିଥିବା ସେହି ସ୍ଥାନ ଗୁଡିକରେ ଥିବା ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପରି ଜିଲ୍ଲାପାଳମାନେ ନେଇପାରିବେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବଦଳରେ ଶୁଖୁଲା ଖାଦ୍ୟ ପିଲାମାନଙ୍କୁ ଯୋଗାଇ ଦିଆଯିବ ।
