ଆଜି ନାଗ ପଞ୍ଚମୀ, ଜାଣନ୍ତୁ ପୂଜା ବିଧି
ନାଗଙ୍କୁ କ୍ଷୀର ପିଆଇବା ଦ୍ୱାରା ପୂରଣ ହୋଇଥାଏ ମନୋବାଞ୍ଛା, ସର୍ପଦଂଶନରୁ ମିଳେ ମୁକ୍ତି
ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ନାଗ ପଞ୍ଚମୀ ଭାବେ ପାଳନ କରାଯାଏ। ଏହି ଦିନ ନାଗ ଦେବତାଙ୍କୁ ପୂଜା କରିବା ପରମ୍ପରା ରହିଛି। ଏହି ନାଗ ପଞ୍ଚମୀର ମଧ୍ୟ ଅନେକ ମହତ୍ତ୍ଵ ରହିଛି। ଏଥିସହିତ ଜାଣନ୍ତୁ ପୂଜା ସମ୍ବନ୍ଧୀୟ ବିଧି ଓ ଉପଚାର ।
ନାଗପଞ୍ଚମି ଦିନ ପୂଜାପାଠ ସମୟରେ ନାଗ ପଞ୍ଚମି ମନ୍ତ୍ର ଜପ କରାଯିବା ଉଚିତ୍। ଯାହାର ରାଶିରେ ରାହୁ-କେତୁ ଠିକ୍ ନଥାନ୍ତି, ସେମାନଙ୍କୁ ଏହି ଦିନ ନାଗ ଦେବତାଙ୍କୁ ପୂଜା କରିବା ଉଚିତ୍। ଏହା କରିବା ଦ୍ୱାରା, ରାଶିଫଳର ସମସ୍ୟା ଦୂର ହୋଇପାରିବ। ଏହି ଦିନ ଏକ ପିତ୍ତଳ ପାତ୍ରରେ ଶିବଲିଙ୍ଗ କିମ୍ବା ନାଗ ଦେବଙ୍କୁ କ୍ଷୀର ଅର୍ପଣ କରାଯିବା ଉଚିତ୍। ଜଳ ଯୋଗାଇବା ପାଇଁ ଏକ ତମ୍ବା ପାତ୍ର ବ୍ୟବହାର କରନ୍ତୁ।
ନାଗପଞ୍ଚମୀ ଅବସରରେ ଶ୍ରଦ୍ଧାଳୁମାନେ ଶିବ ମନ୍ଦିରକୁ ଯାଇ ମହାଦେବଙ୍କୁ ପୂଜା କରିବା ସହ ନାଗଙ୍କୁ କ୍ଷୀର, ଦହି, ଘିଅ, ମହୁ ଏବଂ ପଞ୍ଚାମୃତ ଅର୍ପଣ କରିଥାନ୍ତି। ଏହି ଦିନ ଶିବ ଭକ୍ତମାନେ ସର୍ପମାନଙ୍କୁ ପୂଜା କରନ୍ତି, ସେମାନଙ୍କୁ କ୍ଷୀର ଦିଅନ୍ତି ଏବଂ ଆଶୀର୍ବାଦ ପ୍ରାପ୍ତ କରନ୍ତି। ଭଗବାନ ଶିବ ଶଙ୍କର ତାଙ୍କ ବେକରେ ସାପ ପିନ୍ଧିଛନ୍ତି, ତେଣୁ ଏହି ଦିନ ଭଗବାନ ଶିବଙ୍କୁ ସାପ ସହିତ ପୂଜା କରାଯିବା ଉଚିତ୍। ଯେଉଁମାନେ ମନ୍ଦିର ଯାଇପାରନ୍ତି ନାହିଁ ସେମାନେ ଘରେ ରହି ନାଗ ଦେବତାଙ୍କୁ ପୂଜା କରିଥାନ୍ତି। ଖାସ୍ କରି ଗାଁରେ ମହିଳାମାନେ ସକାଳୁ ଉଠି ନାଗରାଜଙ୍କୁ ପୂଜା କରିଥାନ୍ତି।
ତେବେ ସର୍ପ ମଧ୍ୟ ଶିବ ଶଙ୍କରଙ୍କ ବେକର ଅଳଙ୍କାର। ବିଶ୍ୱାସ କରାଯାଏ ଯେ ଯେଉଁମାନେ ଭଗବାନ ଶିବଙ୍କୁ ରୁଦ୍ରାଭିଷେକ ସହ ପୂଜା କରନ୍ତି ଏବଂ ନାଗ ପଞ୍ଚମି ଦିନ ରୁଦ୍ରାଭିଷେକ କରନ୍ତି, ସେମାନଙ୍କ ଜୀବନ ସାରା କାଳସର୍ପ ଦୋଶ ଦୂର ହୁଏ।
ସେହିପରି ନାଗପଞ୍ଚମୀରେ କେତେକ ମନ୍ଦିର ସାମ୍ନାରେ ସାପୁଆ କେଳାମାନେ ସାପକୁ ଧରି ବସିଥାନ୍ତି। ଲୋକମାନେ ସେଠାରେ ସାପଙ୍କୁ କ୍ଷୀର ପିଆଇବା ସହ ସୁଖ ସମୃଦ୍ଧି କାମନା କରିଥାନ୍ତି। ମାନ୍ୟତା ରହିଛି ଯେ ନାଗପଞ୍ଚମୀରେ ନାଗଙ୍କୁ କ୍ଷୀର ପିଆଇବା ଦ୍ୱାରା ମନୋବାଞ୍ଛା ପୂରଣ ହୋଇଥାଏ। ଏଥିସହ ସର୍ପଦଂଶନରୁ ମଧ୍ୟ ମୁକ୍ତି ମିଳେ। ଏ ଅବସରରେ କେଳାକୁ ମଧ୍ୟ କିଛି ଟଙ୍କା ଶ୍ରଦ୍ଧାରେ ଦେଇଥାନ୍ତି।
କିମ୍ବଦନ୍ତୀ ମୁତାବକ ଏକଦା ପାଣ୍ଡବଙ୍କ ବଂଶଜ ଜନ୍ମେଜୟ ନାଗ ଯଜ୍ଞ କରିଥିଲେ। ଏଥିରେ ନାଗ ଜାତି ଧ୍ୱଂସ ହୋଇଯାଇଥିଲା। ଏହି ସମୟରେ ନାଗରାଜ ତକ୍ଷକ ଇନ୍ଦ୍ରଙ୍କ ଆସନକୁ ନିଜ କବ୍ଜାକୁ ନେଇଯାଇଥିଲେ। ଏଣୁ ଯଜ୍ଞରେ ସେ ଇନ୍ଦ୍ରଙ୍କ ଆସନ ସହ ଭସ୍ମ ହେବାକୁ ଯାଉଥିଲେ। ଏହା ଦେଖିବା ପରେ ତତ୍କ୍ଷଣାତ୍ ଦେବତାଙ୍କୁ ଯଜ୍ଞ ବନ୍ଦ କରିବାକୁ ପଡ଼ିଥିଲା। ଫଳରେ ନାଗ ଜାତି ସମ୍ପୂର୍ଣ୍ଣ ଲୋପ ହେବାରୁ ବଞ୍ଚିଯାଇଥିଲା।
