ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୧ ଯାଏଁ ସାଧାରଣ ଦର୍ଶନ ବନ୍ଦ
ପୁରୀ : ଆଜି ଶ୍ରାବଣ ମଳ କୃଷ୍ଣ ନବମୀ ତିଥି । ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ହେବ । ସନ୍ଧ୍ୟା ପାଖାପାଖି ୬ଟାରୁ ରାତି ୧୧ଟା ଭିତରେ ଏହି ନୀତି ସମ୍ପାଦିତ ହେବ । ଏହି ସମୟରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ରହିବେ। ପ୍ରାକୃତିକ ଦ୍ରବ୍ୟରେ ଶ୍ରୀ ଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ଶଙ୍ଖ, କସ୍ତୁରୀ, ହିଙ୍ଗୁଳ, ହରିତାଳ ଭଳି ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ମହାପ୍ରଭୁ ଙ୍କ ଶ୍ରୀ ମୁଖ ଶୃଙ୍ଗାର କରାଯିବ। ବନକଲାଗିକୁ ନେଇ ବହୁ ଦିନରୁ ବିବାଦ ଲାଗି ରହିଥିଲା । ନୀଳାଦ୍ରି ବିଜେ ପରଠୁ ଶ୍ରୀଜିଉଙ୍କର ବନକଲାଗି ନୀତି ହୋଇ ନାହିଁ । ନିକଟରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବିଚାରବିମର୍ଶ ପରେ ଏହି ନୀତି ବୁଧବାର କରିବାକୁ ଦତ୍ତମହାପାତ୍ର ସେବକ ରାଜି ହୋଇଥିଲେ ।
ସୂଚନା ଯେ, ରଥଯାତ୍ରା ସମୟରେ ହେରାପଞ୍ଚମୀ ପୂର୍ବଦିନ ଆଡପ ମଣ୍ଡପରେ ଶେଷଥର ପାଇଁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥିଲା। ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରଠୁ ଆଉ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନାହିଁ। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଦତ୍ତମହାପାତ୍ର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳଙ୍କ ଆଲୋଚନା ପରେ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ହୋଇଛି ।
