ଆଜି ବିଶ୍ବ ଗୋଲାପ ଦିବସ ! ଜାଣନ୍ତୁ କ୍ୟାନସର୍ ସହ କଣ ରହିଛି ଏ ଦିବସର ସମ୍ପର୍କ ?
ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ମନରେ ଜାଗ୍ରତ କରେ ସକରାତ୍ମକ ଭାବନା। ଜୀବନରେ ଆଣେ ସେହ୍ନ ଆଉ ଭଲପାଇବା । ଗୋଲାପ ମଧ୍ୟ ପ୍ରେମର ଆଉ ଏକ ପରିଭାଷା ବୋଲି ବିବେଚନା କରାଯାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ । ଆଜି ବିଶ୍ବ ଗୋଲାପ ଦିବସ (ୱାର୍ଲଡ ରୋଜ ଡେ)। ପ୍ରତିବର୍ଷ ସେପ୍ଟେମ୍ବର ୨୨ ତାରିଖକୁ ବେଶ ଉତ୍ସାହର ସହ ପାଳନ କରାଯାଏ। ତେବେ ଏ ଦିବସର ଗୁରୁତ୍ବ ମଧ୍ୟ ବେଶ ଅଧିକ ରହିଛି।
କାହିଁକି ପାଳନ କରାଯାଏ ବିଶ୍ବ ଗୋଲାପ ଦିବସ :
କାନାଡାର ୧୨ ବର୍ଷର ଝିଅ ମେଲିଣ୍ଡା ରୋଜ୍ ଅତି କମ୍ ବୟସରୁ ମାରାତ୍ମକ ରୋଗରେ ପୀଡିତ ହୁଅନ୍ତି । ୧୯୯୪ରେ ବ୍ଲଡ କ୍ୟାନ୍ସରର ଏକ ବିରଳ ପ୍ରକାର ଆସ୍କିନ୍ସ ଟ୍ୟୁମରରେ ରୋଜ୍ ପୀଡିତ ହୁଅନ୍ତି । ହେଲେ ଏତେ ବଡ ରୋଗ ଆଗରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ହାର ମାନି ନଥିଲା ରୋଜଙ୍କ ସାହସ ଓ ଧୌର୍ଯ୍ୟ । ଏହି ରୋଗ ସହ ଅତି ସାହସର ସହକାରେ ସେ ଶେଷ ପର୍ଯ୍ୟନ୍ତ ଲଢିଥିଲେ । ପ୍ରତି ମୁହୂର୍ତ୍ତକୁ ସ୍ମରଣୀୟ କରିବା ସହ ନିଜ ପରିବେଶରେ ଖୁସିର ବାର୍ତ୍ତା ବାଣ୍ଟୁଥିଲେ ରୋଜ୍। କିନ୍ତୁ ୧୯୯୬ରେ ରୋଜଙ୍କର ମୃତ୍ୟୁ ଘଟେ। ରୋଜଙ୍କର ଏହି ଆକର୍ଷଣୀୟ ବ୍ୟକ୍ତିତ୍ବକୁ ମନେ ପକାଇ ପ୍ରତିବର୍ଷ ସେପ୍ଟେମ୍ବର ୨୨କୁ ବିଶ୍ବ ଗୋଲାପ ଦିବସ ବା ୱାର୍ଲଡ ରୋଜ ଡେ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉର୍ଦ୍ଦେଶ ହେଉଛି ବିଶ୍ବରେ ଥିବା ସମସ୍ତ କ୍ୟାନ୍ସର ରୋଗୀମାନଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରିବା । ଯେଉଁମାନେ ଏହି ମାରାତ୍ମକ ରୋଗର ପୀଡିତ ଅଛନ୍ତି ସେମାନଙ୍କୁ ଏ ଦିବସରେ ଖୁସି ବାଣ୍ଟିବା ଏ ଦିବସର ମୂଳ ଲକ୍ଷ ।
ଆଜି ବିଶ୍ବ ଗୋଲାପ ଦିବସ ପାଳନ କରାଯାଉଥିବା ବେଳେ ଫେବୃଆରୀ ୪ରେ ପାଳନ ହୁଏ ବିଶ୍ବ କର୍କଟ ଦିବସ ବା ୱାର୍ଲଡ କ୍ୟାନ୍ସର ଡେ । କର୍କଟ ରୋଗ ପ୍ରତି ସଚେତନତା ଏବଂ ଏଥିରୁ ରକ୍ଷା ପାଇବା ଉଦେଶ୍ୟରେ ବିଶ୍ବ କର୍କଟ ଦିବସ ପାଳନ କରାଯାଏ । ଫୁସଫୁସ୍ କର୍କଟ ରୋଗରେ ବିଶ୍ବରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ । ଭାରତରେ ଫୁସଫୁସ୍ କର୍କଟ ରୋଗ ଅଧିକାଂଶ ପୁରୁଷଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଏବଂ ଶେଷ ଅବସ୍ଥାରେ ଏହାର ଲକ୍ଷଣ ଚିହ୍ନଟ ହୁଏ। ଫୁସଫୁସ୍ କର୍କଟ ରୋଗର ଅନେକ କାରଣ ରହିଥିବା ବେଳେ ସିଗାରେଟ ଏବଂ ତମାଖୁ ସେବନ ଏହାର ମୁଖ୍ୟ କାରଣ । ସିଗାରେଟ ଧୂଆଁରେ ୪ ହଜାରରୁ ଅଧିକ ରସାୟନିକ ଦ୍ରବ୍ୟ ରହିଥାଏ। ଯାହା ଦ୍ବାରା କର୍କଟ ହେବାର ଆଶଙ୍କା ଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ, ଯଦି କୌଣସି ବ୍ୟକ୍ତି ଗୋଟିଏ ଦିନରେ ଗୋଟିଏ ପ୍ୟାକେଟ ସିଗାରେଟ ଟାଣୁଥାନ୍ତି। ତେବେ ଏହା ଦ୍ବାରା ଫୁସଫୁସ୍ କର୍କଟ ରୋଗ ହେବାର ଆଶଙ୍କା ୨୦ରୁ ୨୫ ପ୍ରତିଶତ ବଢି ଯାଇଥାଏ।
