ଆଜି ଭୂତାଣୁ ଦିବସ : ସଂକ୍ରାମକ ରୋଗ ଉପରେ ବିଜୟ
ଆଜି ଭୂତାଣୁ ପ୍ରଶଂସା ଦିବସ ବା ଭାଇରସ୍ ଆପ୍ରିସିଏସନ୍ ଡେ । ଭାଇରସ୍ ମୂଳତଃ ଏକ ଲାଟିନ ଶବ୍ଦ ଏହାର ଓଡ଼ିଆ ଭାଷାନ୍ତର ବିଷ । ଭାଇରସ୍କୁ ହିନ୍ଦୀରେ ବିଷାଣୁ କୁହାଯାଏ । ଏହା କୋଷହୀନ ଅତି ସୂକ୍ଷ୍ମ ଜୀବ ଏବଂ କେବଳ ଜୀବିତ କୋଷରେ ହିଁ ବଂଶ ବଢ଼ାଇପାରେ । ଶରୀର ବାହାରେ ଏହା ମୃତ ପ୍ରାୟ । ଶରୀର ଭିତରକୁ ଆସିଲେ, ନବ ଜୀବନ ପାଏ । ଏହା ନାଭିକୀୟ ଅମ୍ଳ ଓ ପୁଷ୍ଟିସାରରେ ଗଠିତ । ଏହା ଯେ କେବଳ କ୍ଷତିକାରକ ତାହା ନୁହେଁ, ବେଳେ ବେଳେ ଲାଭ ବି କରିଥାଏ । କେତେକ ଭୂତାଣୁ ବିଭିନ୍ନ ପ୍ରକାରର ଜୀବାଣୁକୁ ନଷ୍ଟ କରିପାରନ୍ତି । ସ୍ଫୁଟନିକ୍ ଓ ମାମାଭାଇରସ୍ ଅନ୍ୟ କେତେକ ଭୂତାଣୁକୁ ନଷ୍ଟ କରିପାରନ୍ତି । ୧୮୯୨ରେ ରସିଆନ୍ ବିଜ୍ଞାନୀ ଡିମିଟ୍ରି ଇଭାନୋଭ୍ସ୍କି ପ୍ରଥମେ ଏହା ସଂପର୍କରେ ବିଶେଷ ସୂଚନା ଦେଇଥିଲେ । ୧୮୯୮ରେ ଡଚ୍ ବିଜ୍ଞାନୀ ମାର୍ଟିନସ୍ ବେଜ୍ରିଂକ୍ ଗଛପତ୍ର ନଷ୍ଟ କରୁଥିବା ଟୁବାକୋ ମୋଜାଇକ୍ ଭାଇରସ ଆବିଷ୍କାର କରିଥିଲେ । ଅଦ୍ୟାବଧି ପାଞ୍ଚ ହଜାର ପ୍ରକାରର ଭୂତାଣୁ ସବିଶେଷ ଭାବେ ଚିହ୍ନଟ କରାଯାଇ ପାରିଛି । ତେବେ ପୃଥିବୀରେ ଲକ୍ଷାଧିକ ପ୍ରକାରର ଭୂତାଣୁ ଥିବା ଜଣାଯାଏ । ପୃଥିବୀର ଏଭଳି କୌଣସି ଅଂଚଳ ନାହିଁ, ଯେଉଁଠି ଭୂତାଣୁ ନାହାନ୍ତି ।
ମହାମାରୀ କରୋନାର ପ୍ରକୋପ କମି ଆସିଗଲାଣି । ବର୍ତମାନ ସମୟରେ ସଂକ୍ରାମକ ରୋଗର ପ୍ରାର୍ଦୁଭାବକୁ ନେଇ ସବୁଠି ଏକ ପ୍ରକାର ଭୟ ଦେଖାଦେଇଛି । ରୋଗ ଓ ମାନବ ସଭ୍ୟତା ସମାନ୍ତରାଳ ଭାବେ ଆଗକୁ ବଢ଼ି ଚାଲିଛି । ପ୍ରତି ଶତାବ୍ଦୀରେ କୌଣସି ନା କୌଣସି ଭୟଙ୍କର ସଂକ୍ରାମକ ରୋଗ ପ୍ରାର୍ଦୁଭାବରେ ଥରହର ହୋଇଛି ପୃଥିବୀ ଓ ଏଥିରୁ ମୁକୁଳିବା ଲାଗି କରିଆସିଛି ମନୁଷ୍ୟ । ଏଭଳି ଛକାପଞ୍ଛା ଭିତରେ କେତେବେଳେ ରୋଗ ଜିତିଛି ତ ଆଉ କେବେ ବାଜିମାତ କରିଛି ମଣିଷ । ଚିକିତ୍ସା ବିଜ୍ଞାନର ଚମତ୍କାରିତା ଯୋଗୁଁ ଏକଦା ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିବା ଅନେକ ସଂକ୍ରାମକ ରୋଗର ଭୟ ଦୂରେଇ ଯାଇଛି । ଏକ ଅଦୃଶ୍ୟ ଭୂତାଣୁ ପ୍ରକୋପରେ ଥରହର ହେଉଛି ପୃଥିବୀ । କରୋନା ଭ୍ୟାକ୍ସିନ ବାହାର କରିବା ଲାଗି ସବୁ ଦେଶ ଉଦ୍ୟମ ଜାରି ରଖିଥିବାବେଳେ ଏଯାଏ କାହାରିକୁ ଶତ ପ୍ରତିଶତ ସଫଳତା ମିଳିନାହିଁ । ଏପରି ସଂକ୍ରାମକ ରୋଗର ପ୍ରତିଷେଧକ ବାହାର କରିବା ସହଜ କଥା ନୁହେଁ, ଏଥିପାଇଁ ଅନେକ ବର୍ଷ ବି ଲାଗିଯାଇପାରେ । ଇବୋଲାର ଭ୍ୟାକ୍ସିନ ବାହାର କରିବାକୁ ପାଖାପାଖି ଚଉଦ ବର୍ଷ ଲାଗି ଯାଇଥିଲା । ଥରେ ପ୍ରତିଷେଧକ ବାହାରିଯିବା ପରେ ରୋଗ ଆପେ ଆପେ ନିୟନ୍ତ୍ରଣକୁ ଆସିଯାଏ ଏବଂ ଏହି ରୋଗର ଭୟାବହତା ଧୀରେ ଧୀରେ ମାନସପଟରୁ ଗାଏବ ହୋଇଯାଏ ।
ପୋଲିଓ : ବିଶ୍ୱ ଶାକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ପରମାଣୁ ବୋମା ଠାରୁ ଅଧିକ ଭୟ ସୃଷ୍ଟି କରିଥିଲା ପୋଲିଓ । ୧୯୫୦ ବେଳକୁ ପୋଲିଓ ପ୍ରାର୍ଦୁଭାବରେ ଥରହର ହେଉଥିଲେ ଆମେରିକୀୟ । ଫିଲାଡେଲଫିଆର ଭ୍ୟାକ୍ସିନ ସେଂଟରର ବୈଜ୍ଞାନିକ ପଲ.ଏ.ଓଫିଟ ନିଜ ପୁସ୍ତକ ଦି କଲଚର ଇନ୍ସିଡେଂଟରେ ଏ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣନା କରିଛନ୍ତି । ୧୯୫୨ରେ ପିଟର୍ସବର୍ଗର ବୈଜ୍ଞାନିକ ଜୋନାସ ସାଲ୍କଙ୍କ ଦ୍ୱାରା ପୋଲିଓ ଟିକାର ଉଦ୍ଭାବନ କରାଯାଇଥିଲା । ଏହାପରେ ଆମେରିକା ଧୀରେ ଧୀରେ ପୋଲିଓ ମୁକ୍ତ ହୋଇଥିଲା । ତେବେ ପଡ଼ୋଶୀ ପାକିସ୍ତାନରେ ଏବେ ବି ପୋଲିଓ ଭୟ ଲାଗି ରହିଛି, ଯାହାକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
ଟିଟାନାସ : ଦୁର୍ଘଟଣାରେ କ୍ଷତ ସୃଷ୍ଟି ହେଲେ ବା ଆଘାତ ଲାଗିଲେ ୨୪ ଘଂଟା ମଧ୍ୟରେ ଟିଟାନସ ଇଞ୍ଜେକ୍ସନ ନେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ବିଶେଷଜ୍ଞମାନଙ୍କ କହିବା କଥା, କ୍ଷତ ହେଉ କି ନହେଉ ପ୍ରତି ୧୦ବର୍ଷରେ ଜଣକୁ ଏହି ପ୍ରତିଷେଧକ ନେବା ନିହାତି ଆବଶ୍ୟକ । ପ୍ରତିଷେଧକ ବାହାରିବା ଆଗରୁ ଟିଟାନସ ଏକ ପ୍ରାଣଘାତୀ ରୋଗ ଭାବେ ବିବେଚିତ ହେଉଥିଲା । ଏବେ ଶିଶୁ ଜନ୍ମ ହେବା ପରେ ଟିଟାନସ ଟିକା ଦିଆଯାଉଛି । ଯେଉଁଥିରେ ଡିପ୍ଥେରିଆ ଏବଂ ସଂକ୍ରମଣଜନିତ କାଶ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁଛି ।
ଚିକେନପକ୍ସ : ଉନବିଂଶ ଶତାବ୍ଦୀ ଶେଷ ଆଡ଼କୁ ଚିକେନପକ୍ସକୁ ସବୁଠାରୁ ଭୟାନକ ସଂକ୍ରାମକ ରୋଗ ବୋଲି ବିଚାର କରାଯାଉଥିଲା । ବର୍ତମାନ ସମୟରେ ମଧ୍ୟ ଏଥିରେ ଅନେକ ଆକ୍ରାନ୍ତ ହେଉଛନ୍ତି, ହେଲେ ଏହା ରୋଗର ଦୁର୍ବଳ ରୂପ । ଏଥିରେ ସଂକ୍ରମିତ ହେଉଥିବା ରୋଗୀଙ୍କ ମଧ୍ୟରୁ ହାରାହାରି ୩୦% ମୃତ୍ୟୁମୁଖରେ ପଡ଼ୁଥିଲେ । ୧୯୭୬ରେ ଇଂଲିଶ ଚିକିତ୍ସକ ଏଡ଼ବର୍ଡ଼ ଜେନର ଏହି ମାରାତ୍ମକ ବ୍ୟାଧିର ଟିକା ଆବିଷ୍କାର କରିଥିଲେ । ଏହାପରେ ଏହି ସଂକ୍ରାମକ ରୋଗ ଉପରେ ଅଙ୍କୁଶ ଲାଗିପାରିଛି । ତେବେ ଏହା ପୂର୍ବରୁ ଦୀର୍ଘ ୨୦୦ ବର୍ଷ ଧରି ଚିକେନପକ୍ସ ଲକ୍ଷାଧିକ ମୁଣ୍ଡ ନେଇସାରିଥିଲା ।
ଏନ୍ଫ୍ଲୁଏଞ୍ଜା : ଶ୍ୱଶନତନ୍ତ୍ର ସହିତ ଜଡ଼ିତ ଏକ ଭୟଙ୍କର ରୋଗ ହେଉଛି ଏନ୍ଫ୍ଲୁଏଞ୍ଜା । ଏହାକୁ ସ୍ପାନିଶ ଫ୍ଲୁ ମଧ୍ୟ କୁହାଯାଏ । ୧୯୧୮ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ରୋଗରେ ପଡ଼ି କୋଟି କୋଟି ସୈନିକଙ୍କ ମୃତ୍ୟୁ ଘଟିଥିଲା । ତେବେ ପ୍ରଥମ ବିଶ୍ୱଯୁଦ୍ଧର ଦୀର୍ଘ ବର୍ଷ ପରେ ଏହାର ଟିକା ବାହାରିଥିଲା । ଏବେ ବି ଫ୍ଲୁ ପୃଥିବୀରୁ ସମ୍ପୂର୍ଣ୍ଣ ବିଲୋପ ହୋଇନାହିଁ । ହେଲେ ଟିକା ଯୋଗୁ ରୋଗର ମାରକ କ୍ଷମତା ଯଥେଷ୍ଟ କମିଯାଇଛି ।
ହେପାଟାଇଟିସ୍ : ପ୍ରତିଷେଧକ ବାହାରିବା ପୂର୍ବରୁ ପ୍ରତିବର୍ଷ ହେପାଟାଇଟିସ୍ ବିରେ ଆକ୍ରାନ୍ତ ହୋଇ ବାର୍ଷିକ ୭ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟୁଥିଲା । ବିଶେଷ କରି ନବଜାତକ ଏବଂ ପ୍ରସୂତୀଙ୍କ ନିକଟରେ ଏଥିରେ ଆକ୍ରାନ୍ତ ହେବା ଆଶଙ୍କା ବେଶି । ତେଣୁ ଶିଶୁ ଜନ୍ମ ହେବା ପରେ ପରେ ଏହି ଟିକା ଦିଆଯାଇଥାଏ । ସେହିପରି ୨୦୧୪ରେ ପଶ୍ଚିମ ଆଫ୍ରିକାରେ ଆତଙ୍କ ସୃଷ୍ଟି କରିଥିବା ଇବୋଲା ୧୧ ହଜାରରୁ ଉର୍ଦ୍ଧ୍ୱ କଜୀବନ ନେଇଥିଲା । ଏହାକୁ ମଧ୍ୟ ଟିକା ମାଧ୍ୟମରେ ହିଁ ରୋକା ଯାଇ ପାରିଥିଲା ।
ଡିପ୍ଥେରିଆ : କୋରାଇନ୍ ବ୍ୟାକ୍ଟେରିଆ ଡିପ୍ଥିରି ନାମକ ବ୍ୟାକ୍ଟେରିଆ ଡିପ୍ଥେରିଆ ପାଇଁ ଦାୟୀ । ୨ରୁ ୧୦ ବର୍ଷର ଶିଶୁଙ୍କ ପାଇଁ ଏହି ରୋଗ ଘାତକ ହୋଇପାରେ । ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଗଳା ଓ ନାକ ଆଭ୍ୟନ୍ତରରେ ଏକ ସୂକ୍ଷ୍ମ ଝିଲ୍ଲି ତିଆରି ହୋଇଯାଏ । ଏହାଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ଉପୁଜେ । ରୋଗ ବଢ଼ିବା ସହ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯାଏ । ଏଥିରୁ ସୁରକ୍ଷା ଲାଗି ପିଲାମାନଙ୍କୁ ଟିପିଟି ଟିକା ଦିଆଯାଇଥାଏ । ଆଜିର ସମୟରେ ସଂକ୍ରାମକ ରୋଗର ପୂର୍ବ ପରି ଆଉ ପ୍ରାର୍ଦୁଭାବ ନାହିଁ । ବ୍ୟାପକ ଓ ସୂଚନା ପ୍ରଯୁକ୍ତିର ସହାୟତା ନିଆଯାଇ ସ୍ୱାସ୍ଥ୍ୟସେବା ଅଧିକ ଉପାଦେୟ ଭାବେ ବିବେଚିତ ହେବା ସହ ରୋଗ ଉପରେ ନିୟନ୍ତ୍ରଣ ରଖାଯାଇ ପାରିଛି ।
