ଆଜି ପବିତ୍ର ଅକ୍ଷୟ ତୃତୀୟା ! ଜାଣନ୍ତୁ ଏହାର ମାହାତ୍ମ୍ୟ
ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ ।
ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ସେହିପରି ଏହି ଦିନ ଓଡିଆଙ୍କ ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ । ପ୍ରଭୁଙ୍କୁ ପ୍ରଚଣ୍ଡ ଖରାରୁ ଉପଶମ ଦେବା ଲାଗି ନରେନ୍ଦ୍ର ପୁଷ୍କରିଣୀରେ ପୋଖରୀରେ ଚାପ ଖେଳନ୍ତି ମହାପ୍ରଭୁ । ଏବଂ ରଥ ଯାତ୍ରା ପାଇଁ ରଥ କାର୍ଯ୍ୟର ତଥା କାଠର ଶୁଭଅନୁକୂଳ କରାଯାଇଥାଏ । ଶ୍ରୀମନ୍ଦିରରେ ପୂଜାର୍ଚନା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଜ୍ଞାମାଳ ବିଜେ କରିବେ । ତେଣୁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ।
କୁହାଯାଏ ଆଜିର ଦିନରେ ସତ୍ୟଯୁଗର ଆରମ୍ଭ ହୋଇଥିଲା । ବେଦବ୍ୟାସ ଏବଂ ପ୍ରଭୁ ଶ୍ରୀ ଗଣେଶ ଆଜିର ଦିନରେ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କରିବା ଦ୍ୱାରା ଏହା ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହା ସହ ଘରକୁ ସୁଖ – ସମୃଦ୍ଧି ଆସିଥାଏ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଉଦ୍ଧିଷ୍ଟ ରଥ ନିର୍ମାଣ ଆରମ୍ଭ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନଯାତ୍ରାର ଶୁଭାରମ୍ଭ ଏହି ଦିନ ହୋଇଥାଏ । ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ । ପରଶୁରାମ ଓ ଜୟଦେବଙ୍କ ଜୟନ୍ତୀ ବଦ୍ରୀନାଥ ଧାମ ଏହି ଦିନ ଖୋଲାଯାଇଥିବା ବିଧି ରହିଛି ସତ୍ୟ ଯୁଗର ପ୍ରାରବ୍ଧ ଦିବସ ରୂପେ ଗ୍ରହଣ କରାଯାଇଛି ।
