ଆଜି ଐତିହାସିକ ଵିଶ୍ଵ ଟେଷ୍ଟ ଚାମ୍ପିୟନସିପ ଫାଇନାଲ
- ଟ୍ରଫି ଜିତିବା ଲକ୍ଷ୍ୟରେ ଭାରତ ଓ ନ୍ୟୁଜିଲାଣ୍ଡ
ସାଉଥମ୍ପଟନ : ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ। ଏହି ଲଢ଼େଇ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ ସିପର ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ଆଇସିସି ଟ୍ରଫି ଲକ୍ଷ୍ୟରେ ରହିଛନ୍ତି ବିରାଟ କୋହଲି । ଏହି ମ୍ୟାଚ୍ ଜିତି ବିଶ୍ବର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ମାନ୍ୟତା ପାଇବାକୁ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରସ୍ତୁତ। ପୁଣି ଦିନିକିଆ ଓ ଟ୍ବେଣ୍ଟି୨୦ରେ ବିଶ୍ବକପ୍ ଖେଳା ଯାଉଥିବା ବେଳେ କ୍ରିକେଟ୍ର କଷ୍ଟସାଧ୍ୟ ଫର୍ମାଟ ଟେଷ୍ଟମ୍ୟାଚ୍ରେ ବିଶ୍ବ ଚମ୍ପିଆନ୍ ମାନ୍ୟତା ପାଇବାକୁ ଭାରତ ଓ ନ୍ୟୁଜିଲାଣ୍ଡ ଆଶାୟୀ। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ନ୍ୟୁଜିଲାଣ୍ଡ କଦାପି କୌଣସି ଫର୍ମାଟର ବିଶ୍ବକପ୍ ଜିତିନାହିଁ। ଏହା ଗତ ୨ଟି ବିଶ୍ବକପ୍ର ଫାଇନାଲରେ ପହଞ୍ଚି ଉଭୟ ଥର ପରାସ୍ତ ହୋଇଛି। ଏହି ଧାରା ଭାଙ୍ଗିବାକୁ କେନ୍ ୱିଲିୟମ୍ସନଙ୍କ ଦଳ ନିଶ୍ଚିତ ଚାହିଁବ। ଅନ୍ୟପକ୍ଷରେ ବିରାଟ କୋହଲି ଭାରତର ସଫଳତମ ଅଧିନାୟକ ଥିଲେ ହେଁ ତାଙ୍କ ନେତୃତ୍ବରେ ଭାରତ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ। ତେଣୁ କୋହଲି ଭାଗ୍ୟରେ ପରିବର୍ତ୍ତନ ପାଇଁ ଆତୁର ଥିବେ।
୨୦୧୯ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଅନେକ ମହତ୍ବପୂର୍ଣ୍ଣ ଶୃଙ୍ଖଳାରେ ଐତିହାସିକ ସଫଳତା ସାଉଣ୍ଟିଥିଲା ଟିମ୍ ଇଣ୍ଡିଆ। ଏବେ ଅଧିନାୟକ ବିରାଟ କୋହଲିଙ୍କ ଅଧୀନରେ ପ୍ରଥମ ଆଇସିସି ଟ୍ରଫି ଜିତିବାର ସୁଯୋଗ ଭାରତ ହାତରେ ରହିଛି। ଭାରତ ପାଇଁ କିନ୍ତୁ ଅଭ୍ୟାସର ଅଭାବ ଏକ ସମସ୍ୟା ହୋଇପାରେ। କାରଣ ଗତ ମାର୍ଚ୍ଚ ପରଠାରୁ ଭାରତୀୟ ଦଳ ଗୋଟିଏ ହେଲେ ବି ଟେଷ୍ଟ୍ ମ୍ୟାଚ୍ ଖେଳିନି। ବିନା ଅଭ୍ୟାସ ମ୍ୟାଚ୍ ରେ ଏହି ଚର୍ଚ୍ଚିତ ଫାଇନାଲ୍ ଖେଳିବାକୁ ଯାଉଛି । ସେପଟେ ଫାଇନାଲ୍ ଦୁର୍ଭାଗ୍ୟ ଦୂର କରିବା ଆଶାରେ ରହିଛି ନ୍ୟୁଜିଲାଣ୍ଡ । ଏହି ସମ୍ମାନଜନକ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତକୁ ମାତ୍ର ତିନି ଦିନ ତଳେ ନ୍ୟୁଜିଲାଣ୍ଡ ଦ୍ବିତୀୟ ସ୍ଥାନକୁ ଖସାଇ ଦେଇଛି। ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଇ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରି ନେଇଛି। ଦୁଇ ବର୍ଷୀୟା ଅବଧି ବିଶିଷ୍ଟ ଡବ୍ଲ୍ୟୁଟିସିର ପ୍ରଥମ ବିଜେତା ହେବା ଲାଗି କିୱି ଦଳ ମଧ୍ୟ ନିଜ ଦାବିଦାରି ଉପସ୍ଥାପନା କରିଦେଇଛି। ଇଂଲଣ୍ଡ ଶୃଙ୍ଖଳା ଖେଳି କେନ୍ ୱିଲିୟମସନ୍ ଙ୍କ ଦଳ ଭଲ ପ୍ରସ୍ତୁତି ବି କରିଛି। ଫଳାଫଳ ଯାହା ହେଉନା ଏହି ଲଢ଼େଇ ବେଶ୍ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଉଛି। ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ପ୍ଲେଇଙ୍ଗ ଇଲେଭେନ୍ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଉଭୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ମହମ୍ମଦ ଶାମି, ଜସପ୍ରିତ ବୁମ୍ରା ଏବଂ ଇଶାନ୍ତ ଶର୍ମା ଦ୍ରୁତ ବୋଲର ଭାବରେ ଦଳରେ ସାମିଲ ହୋଇଛନ୍ତି । ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଇନିଂସ ଓପନ କରିବେ ଏବଂ ନିର୍ଭରଶୀଳ ଚେତେଶ୍ୱର ପୂଜାରା ତିନି ନମ୍ବରରେ ବ୍ଯାଟିଂ କରିବେ । କ୍ୟାପଟେନ୍ ବିରାଟ କୋହଲି ୪ ନମ୍ବର ଏବଂ ଆଜିଙ୍କ୍ୟ ରାହାଣେ ୫ ନମ୍ବରରେ କ୍ରିଜ୍ କୁ ଆସିବେ। ସେହିପରି ଋଷଭ ପନ୍ତଙ୍କୁ ୱିକେଟ୍ କିପର ଭାବେ ଦଳରେ ସାମିଲ କରାଯାଇଛି ।
ଭାରତର ଚୂଡ଼ାନ୍ତ ଏକାଦଶ ଘୋଷିତ :
ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପର ଫାଇନାଲ ପାଇଁ ଭାରତ ଦିନକ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଆଶା ଅନୁସାରେ ମହମ୍ମଦ ସିରାଜ୍ଙ୍କୁ ଏକାଦଶରେ ସ୍ଥାନ ମିଳିନାହିଁ। ଏକାଦଶରେ ୨ ସ୍ପିନର ଆର୍. ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ଖେଳିବେ। ହନୁମା ବିହାରୀଙ୍କୁ ସ୍ଥାନ ମିଳିନାହିଁ। ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା, ଶୁବ୍ମାନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ଋଷଭ ପନ୍ତ୍ (ୱିକେଟ ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ଆର୍. ଅଶ୍ବିନ, ମହମ୍ମଦ ସାମି, ଯଶପ୍ରୀତ ବୁମ୍ରା ଓ ଈଶାନ୍ତ ଶର୍ମା।
