ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ, ଖେଳିବେନି ବିରାଟ !
ଲଣ୍ଡନ : ଆଜି ଠାରୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଦିନିକିଆ ମୁକାବିଲା। ପ୍ରଥମ ମ୍ୟାଚ୍ ଲଣ୍ଡନର ଓଭାଲରେ ଭାରତ ସମୟ ଅପରାହ୍ନ ୪ଟା ୩୦ମିନିଟ ସମୟରେ ଆରମ୍ଭ ହେବ। ତେବେ ପ୍ରଥମ ମ୍ୟାଚ୍ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି। ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ମ୍ୟାଚ୍ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।
ନିଜର ଫର୍ମକୁ ନେଇ ସଂଘର୍ଷ କରୁଥିବା ବିରାଟଙ୍କୁ ଟି-୨୦ ବିଶ୍ୱକପ ପୂର୍ବରୁ ଅଧିକରୁ ଅଧିକ ମ୍ୟାଚ୍ ଖେଳାଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। କିନ୍ତୁ ସେ ଠିକ୍ ପ୍ରଥମ ଦିନିକିଆ ପୂର୍ବରୁ ଆହତ ହୋଇଛନ୍ତି। ଜଙ୍ଘର ମାସଂସପେଶୀ ଜନିତ ସମସ୍ୟାରେ ସେ ପଡ଼ିଥିବାରୁ ଆଜି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ମାଂସପେଶୀ ସହ ବିରାଟ ନିଗଲ ସମସ୍ୟାରେ ମଧ୍ୟ ରହିଛନ୍ତି। ଏଥିପାଇଁ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ପ୍ରଥମ ଦିନିକିଆରୁ ବାଦ ଦେବାକୁ ଯୋଜନା କରିଛି। ଏହାଦ୍ୱାରା ୩୩ ବର୍ଷୀୟ ବିରାଟ ଲର୍ଡସରେ ଜୁଲାଇ ୧୪ରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଓ ମାଞ୍ଚେଷ୍ଟରରେ ୧୭ ତାରିଖରେ ଖେଳା ଯିବାକୁ ଥିବା ତୃତୀୟ ଦିନିକିଆ ବେଳକୁ ଫିଟ ହୋଇ ପାରିବେ ବୋଲି ଟିମ ମ୍ୟାନେଜମେଣ୍ଟ ଲକ୍ଷ୍ୟ ରଖିଛି। ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ବେଳେ ବିରାଟ ଜଙ୍ଘରେ ସମସ୍ୟା ଅନୁଭବ କରିଥିଲେ। ବ୍ୟାଟିଂ ବେଳେ ନା ଫିଲ୍ଡିଂ ବେଳେ ସେ ଏହି ସମସ୍ୟାରେ ପଡ଼ିଲେ, ସେକଥା ସ୍ପଷ୍ଟ ହୋଇନି। ଏବେ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି। ତେଣୁ ସେ ସମ୍ଭବତଃ ଓଭାଲରେ ଆସନ୍ତାକାଲି ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ଖେଳି ନ ପାରନ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି।
