ଆଜି ଟେଲିଭିଜନ୍ ପ୍ରତିଷ୍ଠା ଦିବସ; ପଞ୍ଚଶଠି ବର୍ଷରେ ଦୂରଦର୍ଶନ
ଆଜି ଭାରତୀୟ ଟେଲିଭିଜନ୍ର ପ୍ରତିଷ୍ଠା ଦିବସ । ଭାରତ ସରକାରୀ ଟେଲିଭିଜନ ସେବା ଏକ ଛୋଟିଆ ଷ୍ଟୁଡିଓ ମଧ୍ୟରେ ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଆରମ୍ଭ ହୋଇଥିଲା । ପ୍ରସାରଣ କେବଳ ନୂଆ ଦିଲ୍ଲୀ ମଧ୍ୟରେ ସୀମିତ ଥିଲା । ୧୯୬୫ରେ ଏହାକୁ ଅଲ୍ ଇଣ୍ଡିଆ ରେଡ଼ିଓ ସହ ସଂଯୁକ୍ତ କଲା ପରେ ପ୍ରସାରଣ ନିୟମିତ ହୋଇ ଥିଲା । ୧୯୭୨ରେ ମୁମ୍ବାଇ ଏବଂ ଅମୃତସରବାସୀ ଟେଲିଭିଜନ ସେବା ପାଇଥିଲେ । ୧୯୭୫ ସୁଦ୍ଧା ଏହା ଭାରତର ମାତ୍ର ସାତଟି ସହରକୁ ଛୁଇଁ ପାରିଥିଲା । ୧୯୭୬ରେ ଟେଲିଭିଜନ୍, ରେଡ଼ିଓ ଠାରୁ ଅଲଗା ହୋଇଥିଲା । ଶେଷରେ ୧୯୮୨ରେ ଦୂରଦର୍ଶନ ରୂପ ନେଇଥିଲା । ସେହି ବର୍ଷ ଭାରତୀୟ ବଜାରକୁ ରଙ୍ଗୀନ ଟେଲିଭିଜନ ପ୍ରବେଶ କରିଥିଲା ଏବଂ ଜାତୀୟ ସ୍ତରରେ ପ୍ରସାରଣ ଆରମ୍ଭ ହୋଇ ଥିଲା । ଏବେ ପ୍ରାୟ ୯୦ ପ୍ରତିଶତ ଭାରତୀୟ ୧୪୦୦ଟି ଟ୍ରାନ୍ସମିଟର ଜରିଆରେ ସରକାରୀ ଟେଲିଭିଜନର ବିଭିନ୍ନ କାର୍ଯ୍ୟକ୍ରମ ଉପଭୋଗ କରି ପାରୁଛନ୍ତି ପୁଣି ସାରା ଦେଶରେ ୪୬ଟି ଦୂରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି
ଦିନ ଥିଲା ଦୂରଦର୍ଶନ ଦେଶରେ ଥିଲା ସବୁଠାରୁ ଲୋକପ୍ରିୟ ଚ୍ୟାନେଲ । ଦୂରଦର୍ଶନକୁ ଦେଖିବା ପାଇଁ ଜମୁଥିଲା ଲୋକଙ୍କ ଭିଡ଼ । ରାମାୟଣକୁ ଦେଖିବା ପାଇଁ ଲୋକମାନେ ଅପରିଚିତଙ୍କ ଘରେ ବି ପହଞ୍ଚୁଥିଲେ । ଏପରିକି ଥରେ ଟ୍ରେନ ବନ୍ଦ କରିବାକୁ ଭୁଲି ଯାଇ ଚାଳକ ଷ୍ଟେସନରେ ରାମାୟଣ ଦେଖିବା ପାଇଁ ତରତରରେ ଓହ୍ଲାଇ ଯିବାରୁ ବିନା ଚାଳକରେ ଟ୍ରେନ ଗଡ଼ିଯାଇଥିଲା ବହୁ ବାଟ ।
ଦୂରଦର୍ଶନ ହେଉଛି ଭାରତର ଏକମାତ୍ର ଟେରେଷ୍ଟିଆଲ୍ ଚ୍ୟାନେଲ । ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଭାରତର ପ୍ରଥମ ଟେଲିଭିଜନ କାର୍ଯ୍ୟକ୍ରମର ପ୍ରସାରଣ ଦିଲ୍ଲୀର ଆକାଶବାଣୀ ଷ୍ଟୁଡିଓରୁ ହୋଇଥିଲା । କାର୍ଯ୍ୟକ୍ରମର ପ୍ରସାରଣ ଉସ୍ତାଦ ବିସମିଲ୍ହା ଖାନ୍ଙ୍କ \”ସାହାନାଇ ବାଦନ\’ରୁ ହୋଇଥିଲା । ୧୯୫୯ ମସିହାରେ ଦୂରଦର୍ଶନ ଚ୍ୟାନେଲ ଆରମ୍ଭ ହୋଇଥିଲେ ମଧ୍ୟ, ୧୯୬୫ ମସିହାରେ ଏଥିରେ କାର୍ଯ୍ୟକ୍ରମଗୁଡ଼ିକ ପ୍ରତିଦିନ ପ୍ରସାରିତ ହେବା ଆରମ୍ଭ ହେଲା । ୧୯୭୨ ମସିହାରେ ବମ୍ବେ ଓ ଅମୃତସରରେ ଟେଲିଭିଜନ କେନ୍ଦ୍ର ଆରମ୍ଭ ହୋଇଥିଲା । ତେବେ ୧୯୭୫ ମସିହା ପର୍ଯ୍ୟନ୍ତ ଭାରତର ମାତ୍ର ୭ଟି ସହରରେ ଟେଲିଭିଜନ ସେବା ଉପଲବ୍ଧ ହେଉଥିଲା । ଏବଂ ସେତେବେଳେ ଟେଲିଭିଜନରେ ମନୋରଞ୍ଜନର ଗୋଟିଏ ମାତ୍ର ମାଧ୍ୟମ ଥିଲା ଦୂରଦର୍ଶନ । ୧୯୭୬ ମସିହା ପର୍ଯ୍ୟନ୍ତ ଟେଲିଭିଜନ ସେବା, ରେଡ଼ିଓ ଏକାଠି କାର୍ଯ୍ୟ କରିବା ପରେ, ଆକାଶବାଣୀ ଠାରୁ ଦୂରଦର୍ଶନ ଶେଷରେ ୧୯୮୨ ମସିହାରେ ଅଲଗା ହୋଇଥିଲା । ଏବଂ ସେହି ବର୍ଷ ଜାତୀୟ ପ୍ରସାରଣକାରୀ ସଂସ୍ଥାର ମାନ୍ୟତା ପାଇଲା ଦୂରଦର୍ଶନ । ୧୯୮୨ ମସିହା ପର୍ଯ୍ୟନ୍ତ ଟିଭି ପରଦାରେ ବ୍ଲାକ ଆଣ୍ଡ ହ୍ୱାଇଟରେ ପରିବେଷିତ ହେଉଥିବା ଦୂରଦର୍ଶନ ୧୯୮୨ ମସିହାରେ ରଙ୍ଗୀନ ପ୍ରସାରଣ ଆରମ୍ଭ କରିଥିଲା । ସେହି ବର୍ଷ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ୱାଧୀନତା ଦିବସର ଭାଷଣ ଓ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏସିଆନ ଗେମ୍ସର ସିଧା ପ୍ରସାରଣ ହୋଇଥିଲା ।
ଦୂରଦର୍ଶନର ପ୍ରଥମ କାର୍ଯ୍ୟକ୍ରମ ଥିଲା କୃଷି ଦର୍ଶନ, ଯାହା ୧୯୬୭ ମସିହା ଜାନୁଆରୀ ୨୬ ତାରିଖରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଏତେ ଅଧିକ ଥିଲା ଯେ ଆଜି ପର୍ଯ୍ୟନ୍ତ ଟେଲିଭିଜନରେ ଏହା ପ୍ରସାରିତ ହେଉଛି । ଏହା ବାଦ୍ ଦୂରଦର୍ଶନରେ ଅନେକ ସିରିଆଲ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କାର୍ଟୁନ ଆଦି ପ୍ରସାରିତ ହୋଇଛି । ଟିଭି ପରଦାରେ ଦୂରଦର୍ଶନର ପ୍ରଥମ ସିରିଆଲ ପ୍ରସାରିତ ହୋଇଥିଲା ହମ୍ ଲୋଗ । ସପ୍ତାହରେ ଥରେ ପ୍ରସାରିତ ହେଉଥିବା ଏହି ସିରିଏଲର ଲୋକପ୍ରିୟତା ଏତେ ବଢ଼ିଯାଇଥିଲା ଯେ ଗୋଟିଏ ଦିନ ପରିବର୍ତ୍ତେ ପ୍ରତିଦିନ ଏହା ପ୍ରସାରିତ ହେଲା । ଏଥିସହ ବୁନିୟାଦ, ନୁକ୍ସଡ, ରାମାୟଣ ଓ ମହାଭାରତ ଲୋକମାନଙ୍କ ହୃଦୟକୁ ବେଶ୍ ଛୁଇଁଥିଲା ।
ଭାରତରେ ବର୍ତ୍ତମାନ ଦୂରଦର୍ଶନର ୨୧ଟି ଚ୍ୟାନେଲ ପ୍ରସାରିତ ହେଉଛି । ସେଥିମଧ୍ୟରୁ ଡିଡି ନ୍ୟାସନାଲ ଓ ଡିଡି ନ୍ୟୁଜ୍ ହେଉଛି ଦୁଇଟି ପ୍ରମୁଖ ଚ୍ୟାନେଲ । ଏଥିସହ ୧୧ଟି ଆଞ୍ଚଳିକ ଭାଷାଭିତ୍ତିକ ଚ୍ୟାନେଲ, ଗୋଟିଏ ଖେଳ, ଗୋଟିଏ ଆନ୍ତର୍ଜାତୀୟ ଚ୍ୟାନେଲ ଓ ୪ଟି ରାଜ୍ୟ ଭିତ୍ତିକ ଚ୍ୟାନେଲ ରହିଛି । ଏଥିସହ ବର୍ତ୍ତମାନ ଦୂରଦର୍ଶନ ତରଫରୁ ଲୋକମାନଙ୍କ ପାଇଁ ମାଗଣାରେ ଡିଟିଏଚ୍ ସେବା ଯୋଗାଇ ଦିଆଯାଇଛି । ସେହିପରି ରାଜ୍ୟସଭା ଓ ଲୋକସଭାରେ ଗୃହ କାର୍ଯ୍ୟ ଚାଲିଥିବାବେଳେ ତାହା ରାଜ୍ୟସଭା ଟିଭି ଓ ଲୋକସଭା ଟିଭିରେ ସିଧା ପ୍ରସାରିତ ହୁଏ । ଦୂରଦର୍ଶନରେ ପ୍ରସାରିତ ହେଉଥିବା ଦୁଇଟି ଚ୍ୟାନେଲ ମଧ୍ୟରୁ ଡିଡି ମେଟ୍ରୋ ଚ୍ୟାନେଲ ୨୦୦୩ ମସିହାରେ ପରିବର୍ତ୍ତିତ ହୋଇ ତା ସ୍ଥାନରେ ୨୪ ଘଣ୍ଟା ନ୍ୟୁଜ୍ ପରିବେଷଣ କରୁଥିବା ଡିଡି ନ୍ୟୁଜ୍ ଚ୍ୟାନେଲ ପ୍ରସାରିତ ହେଲା । ସେହିପରି ଦୂରଦର୍ଶନର ଡିଡି ସ୍ପୋର୍ଟସ୍ ଚ୍ୟାନେଲ ହେଉଛି ଏକମାତ୍ର ଚ୍ୟାନେଲ ଯେଉଁଥିରେ କ୍ରିକେଟ, ଫୁଟବଲ, ହକି ପରି ଜାତୀୟ କ୍ରୀଡ଼ା ସମେତ ଖୋ ଖୋ, କବାଡ଼ି ପରି ଗ୍ରାମୀଣ ଖେଳ ମଧ୍ୟ ପ୍ରସାରିତ ହୁଏ । ଏହି ଖେଳଗୁଡ଼ିକୁ ବର୍ତ୍ତମାନ ପ୍ରସାରିତ ହେଉଥିବା ଘରୋଇ ଚ୍ୟାନେଲ ଗୁଡ଼ିକ କେବେ ପରିବେଷଣ କରିବା ପାଇଁ ଚେଷ୍ଟା କରନ୍ତି ନାହିଁ । କାରଣ ଏହି କାର୍ଯ୍ୟକ୍ରମଗୁଡ଼ିକୁ ପ୍ରସାରିତ କରିବା ଦ୍ୱାରା ଚ୍ୟାନେଲ ଗୁଡ଼ିକର ଫାଇଦା ହେବ ନାହିଁ । ସେହିପରି କାଶ୍ମୀରବାସୀଙ୍କ ପାଇଁ ଦୂରଦର୍ଶନ ତରଫରୁ ସ୍ୱତନ୍ତ୍ର ଡିଡି କାଶ୍ମୀର ନାମକ ଚ୍ୟାନେଲ ପ୍ରସାରିତ ହେଉଛି । ଯେଉଁଥିରେ କାଶ୍ମୀରର ସମସ୍ୟା, ଖବର ଆଦି ପରିବେଷଣ କରାଯାଉଛି । ବର୍ତ୍ତମାନ କେବଳ ଦେଶରେ ନୁହେଁ ବିଶ୍ୱରେ ମଧ୍ୟ ଦୂରଦର୍ଶନ ନିଜର ଆଧିପତ୍ୟ ବିସ୍ତାର କରିଛି । ବିଶ୍ୱର ପ୍ରାୟ ୧୪୬ଟି ଦେଶରେ ସାଟେଲାଇଟ ମାଧ୍ୟମରେ ଦୂରଦର୍ଶନ ତରଫରୁ ଡିଡି ଇଣ୍ଡିଆ ନାମକ ଚ୍ୟାନେଲ ପହଞ୍ôଚ ଯାଉଛି । ଦୂରଦର୍ଶନରେ ସୂଚନା ପ୍ରଯୁକ୍ତିର ବୈପ୍ଳବିକ କ୍ରାନ୍ତି ଦେଖାଦେଇଛି । ବର୍ତ୍ତମାନର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଓ ସଫଳ ଜନହିତକାରୀ କାର୍ଯ୍ୟକ୍ରମକୁ ସୁବିଧାରେ ଦୂରଦର୍ଶନ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି । ସାଟେଲାଇଟ୍ ଯୋଗାଯୋଗ ମାଧ୍ୟମରେ ବିଶ୍ୱର ଯେ କୌଣସି ସ୍ଥାନ ହେଉନା କାହିଁକି ସବୁଠି ଦୂରଦର୍ଶନ ପହଞ୍ôଚବାକୁ ସକ୍ଷମ । ଦୂରଦର୍ଶନର ପ୍ରତିଷ୍ଠା ଦିବସରେ ଏହାର ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ ।
