ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା !
- ଭାଇ ହାତରେ ରାକ୍ଷୀ ବାନ୍ଧିବା ସହ ମଙ୍ଗଳା କାମନା କରିଥାଏ ଭଉଣୀ
- ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଗହ୍ମାପୂର୍ଣ୍ଣିମା ନୀତି
ଭୁବନେଶ୍ୱର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜିର ଦିନରେ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ସମ୍ପର୍କକୁ ଆହୁରୀ ମଜବୁତ କରିଥାନ୍ତି । ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାକ୍ଷୀ । ହସଖୁସି ଓ ଆନନ୍ଦ ଉଲ୍ଲାସରେ ଆଜି ସାରା ଦେଶରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣମୀ । ଏହି ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳନ ହୋଇ ଆସୁଛି । ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଲେ ଭଉଣୀର ସବୁ ଦୁଃଖ ବିପଦରେ ସାହା ହେବ ବୋଲି ଆଶାରଖି ଥାଏ । ଭାଇ ମଧ୍ୟ ସେହି ଦିନ ପ୍ରତିଜ୍ଞା ବଦ୍ଧ ହୁଏ, ଭଉଣୀକୁ ସୁରକ୍ଷା ଦେବା ପାଇଁ । ସେପଟେ ଆଜି ଶ୍ରୀମନ୍ଦିରରେ ବି ଗହ୍ମାପୂର୍ଣ୍ଣିମା ପାଳନ କରାଯିବ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରାକ୍ଷୀ ଲାଗି କରାଯିବ । ପାରମ୍ପରିକ ପାଟରାସେବକଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମୋତ୍ସବ ବି ହେବ । ବଳଭଦ୍ରଙ୍କ ଜନ୍ମୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଇଛି ।
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଆଜି । ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାକ୍ଷୀ । ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସାହ । ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର ପରିବେଶ । ଆଜି ସାରା ଦେଶରେ ହସଖୁସି ଓ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଆଜି ଶ୍ରୀବଳଭଦ୍ରଙ୍କ ଜନ୍ମ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତିନିତି ଅନୁଷ୍ଠିତ ହେବ। ଆଜି ସୁଦର୍ଶନ ମହାପ୍ରଭୁ ଚଉଦଳରେ ବିଜେ ହୋଇ ମାର୍କଣ୍ଡ ପୁଷ୍କରଣୀରେ ବିଜେ କରିବେ। ମୁଖ୍ୟତଃ ଏହା ଏକ ହିନ୍ଦୁ ପର୍ବ ଯାହା ଭାରତରେ ଓ ଭାରତବାସୀଙ୍କ ଦ୍ଵାରା ପାଳନ କରାଯାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।
ଏହି ପର୍ବ ଶ୍ରାବଣ ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ । ଶ୍ରାବଣ ମାସର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣିମାରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । କିନ୍ତୁ ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ରାକ୍ଷୀର ଉଲ୍ଲାସରେ ଟିକିଏ ପିକା ପଡ଼ିବାର ସଂଭାବନା ରହିଛି । ଆଜି ଗ୍ରହଣ ଥିବାରୁ ଠିକ୍ ସମୟରେ ରାକ୍ଷୀ ବାନ୍ଧିବାକୁ ପଡ଼ିବ । ତେଣୁ ବେଳ ଥାଉ ଥାଉ ସବୁକାମ ସାରିବାକୁ ପଡ଼ିବ। କାରଣ ଶାସ୍ତ୍ର ଅନୁସାରେ ଗ୍ରହଣ ପରେ ଯେ କୌଣସି କାର୍ଯ୍ୟକୁ ଅଶୁଭ ବୋଲି ଧରାଯାଏ । ଗ୍ରହଣ ଯୋଗୁଁ ଆଜି ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ଉପରେ କଟକଣାର ବିଶ୍ୱାସ ରହିଛି। ଫଳରେ ଦିନସାରା ପିଠାପଣା କି ଖାନାପିନାର ଆସର ଜମିବନି। ଆଜି ସକାଳ ୭ଟା ୪ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବାର ଶୁଭ ସମୟ ରହିଥିବା ପାଞ୍ଜିରେ ଦର୍ଶାଯାଇଛି। ସେହିପରି ଦିନ ୧ଟା ୫୨ରୁ ରାତି ୧୨ ଟା ୪୮ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣକୁ ପାଞ୍ଜିରେ ନିଷେଧ କରାଯାଇଛି।
