ଆଜି ପ୍ରଥମାଷ୍ଟମୀ ! ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ସମର୍ପିତ ଦିନ ଟିଏ, କେମିତି ପାଳିବେ ଓ କଣ ରହିଛି ବିଶେଷତ୍ବ
ଆଜି ଓଡ଼ିଶାର ଅନ୍ୟତମ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ପଡୁଥିବାବେଳେ ଏଥିପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହିଦିନ ଘରେ ଘରେ ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ତଥା ନିରାମୟ ଜୀବନ କାମନା କରି ସ୍ବତନ୍ତ୍ର ପୂଜାପାଠ କରାଯାଉଥିବାବେଳେ କଣ ସବୁ ରହିଛି ଏହାର ବିଶେଷତ୍ବ, ଆସନ୍ତୁ ଏଠାରେ ଜାଣିବା ।
ପ୍ରଥମାଷ୍ଟମୀ ପିଠାର ମଧ୍ୟ ସେମିତି କିଛି ସ୍ୱତନ୍ତ୍ରତା ରହିଛି। ଏହା ହଳଦୀ ପତ୍ରରେ ପ୍ରସ୍ତୁତ ହୋଇଥାଏ। ପିଠା ପାଇଁ ଏକ ଉଷୁଆଁ ଚାଉଳ ସ୍ୱତନ୍ତ୍ର ଭାବେ ତିଆରି କରାଯାଏ। ଏହାକୁ ଚୂନା କରି ନୂଆ ବିରିରେ ପ୍ରସ୍ତୁତ ପିଠଉରେ ଗୋଳାଇ ଆଣ ତିଆରି କରାଯାଏ। ତା’ପରେ ପତ୍ରକୁ ପରିଷ୍କାର କରି ଥୋଇ ଛୋଟ ଆକାରରେ କଟାଯାଏ। ପିଠଉକୁ ୬/୮ ଘଣ୍ଟା ଖାଇବା ସୋଡ଼ା ଓ ଲୁଣ ପକାଇ ଛାଡ଼ି ଦିଆଯାଏ ଫୁଲିବା ପାଇଁ। ନଡ଼ିଆ କୋରାରେ ଗୁଡ଼, ଛେନା, ଗୁଜୁରାତି, ଗୋଲମରିଚ ପକାଇ ଭଲ ଭାବେ କରେଇରେ ବସାଯାଏ। ତା’ପରେ ଅଥାର ଗଢ଼ାଯାଏ।
ପିଠା ସହିତ ଘାଣ୍ଟର ସ୍ୱାଦ ଅତି ନିଆରା। ବିଭିନ୍ନ ପରିବା ସହିତ ମୂଳା ଓ ନୂଆ ବିରିରେ ପ୍ରସ୍ତୁତ ବଡ଼ି ମୁଖ୍ୟ ହୋଇଥାଏ। ଏହି ଦିନ ପ୍ରଥମ ଛୁଆମାନେ ନୂଆ କରି ମୂଳାର ସ୍ୱାଦ ଚାଖନ୍ତି। ଘାଣ୍ଟ ଓ ପିଠା ହୋଇଗଲା ପରେ ପିଲାମାନେ ମାମୁ ଘରୁ ଆସିଥିବା ନୂଆ ଲୁଗାପଟା, ଡ୍ରେସ୍ ଆଦି ପିନ୍ଧିଥାନ୍ତି। ବଡ଼ ବଡ଼ୁଆଙ୍କ ପାଖରେ କଳସ ବସିଥାଏ। ବଡ଼ ପିଲାମାନେ ସେଠି ଆସନରେ ବସନ୍ତି। ଘରର ବୟସ୍କ ସ୍ତ୍ରୀଲୋକ ତାଙ୍କୁ ବନ୍ଦାପନା କରନ୍ତି ଓ ଲମ୍ବା ଆୟୁଷ ଆଶୀର୍ବାଦ ଦିଅନ୍ତି। ପିଲାମାନେ ପୂଜା ହୋଇସାରିବା ପରେ ଗୁରୁଜନଙ୍କ ଆଶୀର୍ବାଦ ନେଇଥା’ନ୍ତି।
(୧) ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ଓଡ଼ିଆ ଘରେ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଏ।
(୨) ପ୍ରଥମାଷ୍ଟମୀକୁ ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ।
(୩) ପରମ୍ପରା ଅନୁଯାୟୀ, ଏହି ଦିନ ମାମୁମାନେ ନୂଆ ଲୁଗା, ମିଷ୍ଟାନ୍ନ ଓ ଅନ୍ୟ ସାମଗ୍ରୀ ସହ ଭଣଜା ଭାଣଜୀ ଘରକୁ ଯାଇ ପଢୁଆଁ କରନ୍ତି। ସେଥିପାଇଁ ମାମୁଙ୍କୁ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ ।
(୪) ବିଶ୍ବାସ ଅନୁସାରେ, ବାପାଙ୍କ ପରେ ଜ୍ୟେଷ୍ଠ ସନ୍ତାନ ହିଁ ଘରର କର୍ତ୍ତା ଭାବେ ମା ଓ ଭାଇଭଉଣୀଙ୍କ ଭରଣପୋଷଣ ଦାୟିତ୍ବ ତୁଲାନ୍ତି। ତେଣୁ ଏହି ଅବସରରେ ତାଙ୍କ ସୌଭାଗ୍ୟ କାମନା କରାଯାଏ।
(୫) ଏହି ତିଥିରେ ମହାପ୍ରଭୁ ଲିଙ୍ଗରାଜ ତାଙ୍କ ମାମୁଘରକୁ ଯାଇ ପ୍ରଥମାଷ୍ଟମୀରେ ନୂତନ ବସ୍ତ୍ର ପରିଧାନ କରିବା ପରମ୍ପରା ରହିଛି।
(୬) ପୁରାଣ ଅନୁସାରେ, ଲିଙ୍ଗରାଜ ମନ୍ଦିର ନିକଟରେ ରହିଥିବା କପାଳି ମଠ ହେଉଛି ଲିଙ୍ଗରାଜ ମହାପ୍ରଭୁଙ୍କ ମାମୁଘର। ଏଠାରେ ପୂଜା ପାଉଥିବା ବରୁଣେଶ୍ୱର ଓ ବନଦେବୀଙ୍କୁ ଲିଙ୍ଗରାଜଙ୍କ ମାମୁମାଇଁ ବୋଲି କୁହାଯାଏ।
(୭) ରଜରେ ପୋଡ଼ପିଠା, କାର୍ତ୍ତିକ ପୂର୍ଣ୍ଣିମାରେ ଗଜଭୋଗ, ପୌଷ ପୂର୍ଣ୍ଣିମାରେ ମଣ୍ଡା ପିଠା ଭଳି ପ୍ରଥମାଷ୍ଟମୀରେ ସ୍ୱତନ୍ତ୍ର ଭାବେ ଏଣ୍ଡୁରି ପିଠା ତିଆରି ହୋଇଥାଏ ।
(୮) ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ଵାରା ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ନୂଆଲୁଗା ଲାଗି କରାନ୍ତି ।
(୯) ସ୍କନ୍ଧ ପୁରାଣ ଅନୁସାରେ, ପ୍ରଥମାଷ୍ଟମୀ ଦିନ କାଳଭୈରବଙ୍କର ବ୍ରତ କରାଯାଏ। ତେଣୁ ଏହାକୁ କାଳଭୈରବାଷ୍ଟମୀ ବୋଲି କୁହାଯାଏ।
(୧୦) ପୂର୍ବରୁ ମାର୍ଗଶୀର ମାସକୁ ପ୍ରଥମ ମାସ ବୋଲି ଧରାଯାଉଥିଲା, ତେଣୁ ଏହାର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଉଥିବା ବିଶ୍ବାସ ରହିଛି।
