ଜାଣତରେ ହେଉ ବା ଅଜାଣତରେ ପ୍ରଥମାଷ୍ଟମୀରେ ଆମଦ୍ଵାରା ହେଉଥିବା ବଡ଼ ଭୁଲ ! ଏଥର ହୋଇଯାଆନ୍ତୁ ସାବଧାନ
କାର୍ତ୍ତିକ ମାସ ଭଳି ମାର୍ଗଶିର ମାସ ମଧ୍ୟ ଆମ ପାଇଁ ଅଧିକ ଶୁଭ ମାସ ଅଟେ। ଆପଣ ମାନଙ୍କୁ କହି ରଖୁଛୁ କି ପ୍ରଥମାଷ୍ଟମୀ ଏହି ମାର୍ଗଶିର ମାସରେ ହିଁ ପଡ଼ିଥାଏ। ଏହି ମାସର ପ୍ରଥମ ତିଥିର ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଏ। କହିବାକୁ ଗଲେ ଆମ ଓଡ଼ିଆ ଘରର ବହୂମାନେ ସବୁବେଳେ ନିଜ ଶାଶୁଘରର ନୀତି ଓ ନିଜ ଶାଶୂଙ୍କୁ ଅନୁସରଣ କରିଥାନ୍ତି। ବହୁତ ଓଡ଼ିଆ ଘରର ଲୋକେ ବାହାର ସ୍ଥାନରେ ଚାକିରି କରୁଛନ୍ତି ବା ରହୁଛନ୍ତି। ଆଉକିଛି ଲୋକଙ୍କ ଘରେ ଶାଶୂ ନାହାନ୍ତି, ସେଥିପାଇଁ ଆମେ ଆପଣଙ୍କୁ ପ୍ରଥମାଷ୍ଟମୀ କିପରି ପାଳନ କରିବେ ଏବଂ ଏହି ସମୟରେ କଣ ସବୁ ଭୁଲ କରିବା ଉଚିତ ନୁହେଁ, ସେହି ବିଷୟରେ କହିବାକୁ ଯାଉଛୁ।
ସାଧାରଣତଃ କହିବାକୁ ଗଲେ ପ୍ରଥମାଷ୍ଟମୀ ଦିନ ବଡ ପିଲା କିମ୍ବା ପ୍ରଥମ ସନ୍ତାନ ପୂଜା ହୋଇ ନୂଆ ପୋଷାକ ପିନ୍ଧିଥାନ୍ତି। ଏହିଦିନ ପ୍ରଥମେ ଆପଣ ଗାଧୋଇ ସାରି ପାଞ୍ଚ ଦେବତାଙ୍କ ପୂଜା ପାଇଁ ଗୋଟେ କଳସ ସ୍ଥାପନା କରିବେ।ତାପରେ ଏହାର ମୁହଁକୁ ପୂର୍ବ ଦିଗକୁ ରଖି ଆପଣ ନିଜ ମୁହଁକୁ ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ କରିବେ।
ଏହାପରେ ଆପଣ ଆଠ ପ୍ରକାରର ଫଳ ଆଣିବେ। ଏହାସହିତ ଏଣ୍ଡୁରି ପିଠା ମଧ୍ୟ ପ୍ରସ୍ତୁତ କରିବେ।ଗ୍ରାମ ଦେବୀ ଏବଂ ସବୁ ଦେବତାଙ୍କୁ ପୂଜା କରି ପିଠା, ଫଳ, ଫୁଲ, ଅର୍ଘ୍ୟ ଅର୍ପଣ କରିବେ। ଯଦି ଆପଣଙ୍କ ସନ୍ତାନ ପ୍ରଥମ ଥର ପାଇଁ ପଢ଼ୁଆଁ ହେଉଛି, ତେବେ ଆପଣ ଅସହାୟ ଲୋକଙ୍କୁ ବସ୍ତ୍ର କିମ୍ବା ଅନ୍ନ ଦାନ କରିବା ଉଚିତ। ନିଜ ସନ୍ତାନଙ୍କୁ ହଳଦୀ ଲଗାଇ ଗାଧୋଇ ଦିଅନ୍ତୁ। ଠାକୁର ପୂଜା କରିବା ପରେ ସନ୍ତାନଙ୍କ ମଥାରେ ଚନ୍ଦନ ସିନ୍ଦୁର ଲଗାଇ ତାଙ୍କୁ ନୂଆ ପୋଷାକ ପିନ୍ଧାଇ ଦିଅନ୍ତୁ।
ଆପଣ ଗୋଟେ ଥାଳିରେ କିଛି ପାନ ପତ୍ର, ଦୁବ, ଫୁଲ ଓ ବରକୋଳି ପତ୍ର ରଖନ୍ତୁ ।ଏହାପରେ ଆପଣଙ୍କ ସନ୍ତାନଙ୍କୁ ବନ୍ଦାପନା କରି ଭୋଗ ଖାଇବାକୁ ଦିଅନ୍ତୁ। କହିବାକୁ ଗଲେ ଏହିଦିନ ନଡ଼ିଆ ଖାଇବେ ନାହିଁ, ଏହା ଅଶୁଭ ମାନା ଯାଇଥାଏ। ବ୍ରହ୍ମ ପୁରାଣରେ ଚତୁର୍ଦ୍ଦଶ ଅଧ୍ୟାୟରେ ଏହି ବିଷୟରେ ବର୍ଣ୍ଣନା କରାଯାଇଛି। ଏଣ୍ଡୁରୀ ପିଠା ନଡ଼ିଆ ନଦେଇ ଆଉକିଛି ଦେଇ ପ୍ରସ୍ତୁତ କରି ପାରିବେ।
