ଆଜି ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ : ବାଘ ସଂଖ୍ୟା ହ୍ରାସ ନେଇ ବିଶ୍ୱ ଚିନ୍ତିତ
ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖଟିକୁ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଇଥାଏ । ୨୦୧୦ରେ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଏହି ସମ୍ପର୍କିତ ନିର୍ଣ୍ଣୟ ନିଆଯାଇଥିଲା। ଏହି ଦିବସର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେଇ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗରେ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା।
ବ୍ୟାଘ୍ର ପଶୁ ଶୃଙ୍ଖଳର ଶୀର୍ଷରେ ରହି ବନ୍ୟ ପ୍ରାଣୀଙ୍କ ସୁରକ୍ଷା ସହ ସେମାନେ ଚଳ ପ୍ରଚଳ କରୁଥିବା ବିସ୍ତୃତ ବନ ସମ୍ପଦରେ ଭରି ରହିଥିବା ଜୈବ ବିବିଧତାମାନଙ୍କର ସୁରକ୍ଷା ଦେଇ ଆସୁଛି । ୧୯୦୦ ଖୀଷ୍ଟାବ୍ଦ ବେଳକୁ ପୃଥିବୀରେ ବ୍ୟାଘ୍ର ସଂଖ୍ୟା ୪୦୦୦୦ ଥିବା ବେଳେ (ମୁଖ୍ୟତଃ ଭାରତ ଉପ ମହାଦେଶରେ), ୧୯୭୩ ବେଳକୁ ଏହାର ପ୍ରାୟ ବିଲୋପ ସାଧନ ହୋଇ ଆସିଥିଲା । ପରିସଂଖ୍ୟାନରୁ ଜଣାପଡେ ତାହା ଆଶାତୀତ ଭାବେ କମି ଭାରତରେ ତାହାର ସଂଖ୍ୟା ୨୬୮ରେ ପହଞ୍ଚିଥିଲା । ୧୯୭୩ ଏପ୍ରିଲ ୧ ତାରିଖରୁ ଭାରତ ସରକାର ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ଆରମ୍ଭ କରିଥିଲେ ଓ ଭାରତର କେତେକ ବଛାବଛା ଜଙ୍ଗଲରେ ବ୍ୟାଘ୍ର ପ୍ରକଳ୍ପ ସୃଷ୍ଟି କରାଯାଇଥିଲା ଓ ସେମାନଙ୍କର ସୁରକ୍ଷା କଡ଼ାକଡ଼ି କରାଗଲା ଓ ପରିଚାଳନରେ ସ୍ବତନ୍ତ୍ର ଦୃଷ୍ଟି ଦିଆଗଲା । ସେତେବେଳେ ବ୍ୟାଘ୍ର ପ୍ରକଳ୍ପ ୯ ଟି ଥିଲା ଓ ଆଜି ଏହା ୭୩ଟିରେ ପହଞ୍ଚିଛି, ଖୁସିର କଥା ବର୍ତ୍ତମାନ ସେଥିରେ ଥିବା ବ୍ୟାଘ୍ରମାନଙ୍କର ସଂଖ୍ୟା ୩,୧୬୭ ହୋଇଛି । ଏହି ସଂଖ୍ୟା ସାରା ବିଶ୍ବରେ ଦେଖାଯାଉଥିବା ସଂଖ୍ୟାର ଶତକଡା ୭୦ ଭାଗ । କଠୋର ସୁରକ୍ଷା ବ୍ୟବସ୍ଥା ଓ ଜନ ସଚେତନତା ଏଥିରେ ମୁଖ୍ୟ ମାନଦଣ୍ଡ ଭାବରେ ନିଆଯାଇଛି ।
ଦେଶର ବାଘ ଗଣନା ପ୍ରକ୍ରିୟା ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛି। କିନ୍ତୁ ଓଡ଼ିଶା ସ୍ଥିତି ଅତ୍ୟନ୍ତ ଶୋଚନୀୟ। ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା କ୍ରମାଗତ କମିବାରେ ଲାଗିଛି। ୨୦୧୯ ଜୁଲାଇ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ବ୍ୟାଘ୍ର ଗଣନା ଫଳାଫଳ ଘୋଷଣା କରିଥିଲେ। ଯେଉଁଥିରେ କି ଭାରତରେ ୨୯୬୭ ମହାବଳ ବାଘ ଥିବା ସ୍ପଷ୍ଟ ହୋଇଥିଲା। ସେଥିରେ ଓଡ଼ିଶାରେ ୨୮ଟି ମହାବଳ ଥିବାର ଦର୍ଶାଯାଇଥିଲା। ଯଦି ଆମେ ପୂର୍ବ ବର୍ଷର ସଂଖ୍ୟାକୁ ଅବଲୋକନ କରିବା ତେବେ ୨୦୦୬ରେ ଓଡ଼ିଶାରେ ୪୫ଟି ମହାବଳ ଥିବାବେଳେ ୨୦୧୦ରେ ୩୨, ୨୦୧୪ରେ ୨୮ ବାଘ ଥିବା ଦର୍ଶାଯାଇଥିଲା। ଅର୍ଥାତ୍ ୨୦୦୬ରେ ଥିବା ବାଘ ସଂଖ୍ୟା ୨୦୧୮ବେଳକୁ ପ୍ରାୟ ୩୮%କୁ କମି ଆସିଥିଲା। କିନ୍ତୁ ଓଡ଼ିଶା ବନ ବିଭାଗ ଏହି ଗଣନା ଭୁଲ୍ ବୋଲି କହିବା ସହିତ ନିଜ ତରଫରୁ ଆଉ ଥରେ ଗଣନା କରିଥିଲା। ଶେଷରେ ଓଡ଼ିଶାରେ ୪୦ଟି ବାଘ ଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ)କୁ ଚ୍ୟାଲେଞ୍ଜ କରି ବନ ବିଭାଗ ରାଜ୍ୟରେ ବାଘ ଅଧିକ ଥିବା କହିଥିଲା ସତ, କିନ୍ତୁ ବାଘଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ୨୦୧୮ ଅକ୍ଟୋବରରେ ବରଗଡ଼ ଜିଲାରେ ଏକ ମହାବଳ ବାଘକୁ ମାରି ପୋତି ଦିଆଯାଇଥିଲା। ଡିସେମ୍ବରରେ ମଧ୍ୟପ୍ରଦେଶରୁ ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସିଥିବା ମହାବୀର ବାଘର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ରହସ୍ୟମୟ ମୃତ୍ୟୁ ଘଟିଥିଲା। ଏହି ୨ଟି ବାଘର ମୃତ୍ୟୁ ଓଡ଼ିଶା ବନ ବିଭାଗର ଅନେକ କଳାକାରନାମାକୁ ପଦାକୁ ଆଣିଥିଲା।
ସଂପ୍ରତି ଦିନକୁ ଦିନ ବାଘ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏ ନେଇ ସାରା ବିଶ୍ୱ ଚିନ୍ତିତ । ଏହାର ସୁରକ୍ଷା ପରିବେଶ ସଂରକ୍ଷଣ ଲାଗି ନିତାନ୍ତ ଜରୁରୀ । ସାରା ବିଶ୍ୱରେ ବାଘ ସମ୍ମୁଖୀନ ହେଉଥିବା ବିପଦ ଏବଂ ଅସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ବ୍ୟାଘ୍ର ଦିବସ ପାଳନ କରାଯାଏ । ସାରା ବିଶ୍ବରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି । ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି । ଗଛ କାଟିବା ଦ୍ୱାରା ବାଘଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଆଜି ‘ବ୍ୟାଘ୍ର ଦିବସ’ ଅବସରରେ ଆସନ୍ତୁ ଜାଣିବା ବାଘଙ୍କ ବିଷୟରେ କିଛି ଜଣା ଅଜଣା କଥା …
୧-ବାଘ ବିରାଡି ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏକ ବୟଷ୍କ ବାଘର ଓଜନ ପ୍ରାୟ ୩୬୩ କିଲୋ ପର୍ଯ୍ୟନ୍ତ ହୋଇଥାଏ । (ଯାହା ଏକ ଦଶ ବର୍ଷ ଶିଶୁ ସହିତ ସମାନ) । ଏବଂ ଯାହାର ଲମ୍ବ ୩.୩ ମିଟର ପର୍ଯ୍ୟନ୍ତ ହୋଇଥାଏ ।

୨-ବାଘ ଏକ ମାଂସାସୀ ଜୀବ । ଗୋରୁ ଓ ହରିଣ,ବଣୁଆ ଘୁଷୁରୀ, ଆଣ୍ଟିଲୋପ୍ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରିଥାନ୍ତି ଏକା ହିଁ ଶିକାର କରିବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି ।

୩-ବାଘ ଏକା ହିଁ ଶିକାର କରିଥାଏ ସାଧାରଣତଃ ରାତିରେ ହିଁ ଶିକାର କରିବାକୁ ସେ ପସନ୍ଦ କରିଥାଏ । ଶିକାରକୁ ନ ଧରିବା ପର୍ଯ୍ୟନ୍ତ ଏହି ଶିକାରୀ ଧିରେ ଧିରେ ତା ପିଛା କରିଥାଏ । ବାଘ ନିଜ ଶିକାରର ମୁଣ୍ତ ,ପିଢ଼ି କିମ୍ବା ବେକ ଉପରେ ପ୍ରଥମେ ଆକ୍ରମଣ କରିଥାଏ ।

୪-ବାଘ ପାଣିରେ ରହିବା ପାଇଁ ଅଧିକ ପସନ୍ଦ କରିଥାଏ । ଅଧିକାସଂ ସମୟ ଭାରତୀୟ ଜଙ୍ଗଲ ରାଜ କୁହାଯାଉଥିବା ବାଘକୁ ନଦୀ , ପୋଖରୀରେ ଦେଖିବା ପାଇଁ ମିଳିଥାଏ । ବାଘର ଗର୍ଜନ ତିନି କିଲୋମିଟର ପର୍ଯ୍ୟନ୍ତ ଶୁଣିବା ପାଇଁ ମିଳିଥାଏ ।

୫- ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ବିଷୟରେ ଆଲୋଚନା କରାଯାଇଛି । ବାଘ ହେଉଛି ଭାରତ, ବଙ୍ଗଳାଦେଶ, ମାଲେସିଆ ଓ ଦକ୍ଷିଣ କୋରିଆ ପ୍ରଭୃତି ଦେଶର ଜାତୀୟ ପଶୁ ।
୬- ସାଧାରଣତଃ ଏକାପରି ନଜର ଆସନ୍ତି ବାଘ , ହେଲେ ପ୍ରତ୍ୟକଙ୍କ ଦେହରେ ନଜର ଆସୁଥିବା କଳାକଳା ରଙ୍ଗର ପଟା ପଟା ଦାଗ କିନ୍ତୁ ଅଲଗା ଅଲଗା ପାର୍ଟନର ଥାଏ ।
୭-ଆଜି ଦୁନିଆରେ ବାଘର ପାଞ୍ଚଟି ଉପଜାତି ଅଛି । ଏହି ଉପଜାତିଗୁଡ଼ିକ ହେଉଛି ବେଙ୍ଗଲ୍ ଟାଇଗର, ସାଉଥ୍ ଚାଇନା ବାଘ, ଇଣ୍ଡୋଚାଇନିଜ୍ ଟାଇଗର, ସୁମାତ୍ରା ଟାଇଗର ଏବଂ ଆମୁର ଟାଇଗର ଯାହାକୁ ସାଇବେରିଆ ବାଘ ବୋଲି ମଧ୍ୟ କୁହାଯାଏ । ବାଘର ତିନୋଟି ଉପଜାତି ବିଲୁପ୍ତ ହୋଇଯାଇଛି କେସ୍ପିୟନ୍, ବାଲି ଏବଂ ଜାୱନ ।

ଅନ୍ୟପଟେ ଆଜି ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ନନ୍ଦନକାନନରେ ଏବେ ତିନି ପ୍ରଜାତିର ମୋଟ ୨୭ଟି ବାଘ ଅଛନ୍ତି ।
