ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ! ସିରିଜ୍ କବଜା ଲକ୍ଷ୍ୟ ରୋହିତ ବାହିନୀ
ଲର୍ଡସ : ଆଜି ଲର୍ଡସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ ଅପରାହ୍ନ ୫ଟା ୩୦ ମିନିଟ ସମୟରେ ଆରମ୍ଭ ହେବ । ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ୧୦ ୱିକେଟ୍ ଜିତିଥିଲା । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ଟିମ୍ ଦ୍ୱିତୀୟ ଦିନିକିଆରେ ଭ୍ରମଣକାରୀ ଦଳକୁ ପରାସ୍ତ କରି ସିରିଜ୍ କବଜା କରିବାର ଲକ୍ଷ୍ୟ ରଖିଛି ।
ଆହତ କାରଣରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ଦିନିକିଆରେ ଖେଳିନଥିଲେ । ତେବେ ତାଙ୍କ ଆଘାତ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ବୟାନ ଆସିନାହିଁ । ଏଭଳି ପରିସ୍ଥିତିରେ ସେ ଦ୍ୱିତୀୟ ଦିନିକିଆରେ ପ୍ଲେଇଂ ଇଲେଭେନର ଅଂଶ ହୋଇପାରନ୍ତି ବୋଲି ବିଶ୍ୱାସ କରାଯାଏ । ଓଭାଲରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶ୍ରେୟସ୍ ଆୟର ବିରାଟ କୋହଲିଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନର ଖେଳିବାରେ ସ୍ଥାନ ପାଇଥିଲେ । ତେବେ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଯୋଡି ପ୍ରଥମ ୱିକେଟ୍ ପାଇଁ ଅପରାଜିତ ୧୧୪ ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରିଥିବାରୁ ଶ୍ରେୟଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନଥିଲା ।
କହିରଖୁଛୁ ଯେ ଭାରତ ପ୍ରଥମ ଦିନିକିଆକୁ ଅତି ସହଜରେ ଜିତି ନେଇଥିଲା । ଇଂଲଣ୍ଡ ଦଳ ପ୍ରଥମେ ଖେଳି ମାତ୍ର ୧୧୦ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଏଥି ସହିତ ଅଧିନାୟକ ରୋହିତ ଶର୍ମା ମାତ୍ର ୫୮ ବଲରେ ୭୬ ରନର ଅପରାଜିତ ଇନିଂସ ଖେଳି ସହଜରେ ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲେ । ଏହାପୂର୍ବରୁ ବୁମ୍ରା ୬ ଟି ୱିକେଟ୍ ନେଇଥିବା ବେଳେ ଶାମି ୩ ୱିକେଟ୍ ନେଇଥିଲେ ।
ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ- ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି / ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯୁଜବେନ୍ଦ୍ର ବୁମ୍ରା ଓ ପ୍ରସିଦ୍ଧ କ୍ରିଷ୍ଣା ।
