ଆଜି ପବିତ୍ର ‘ଉତ୍ପନ୍ନା ଏକାଦଶୀ’ ! ଭଗବାନ ବିଷ୍ଣୁଙ୍କ ଶରୀରରୁ ହୋଇଥିଲା ଏକାଦଶୀଙ୍କର ଜନ୍ମ, ଜାଣନ୍ତୁ ବ୍ରତର ବିଧି ଏବଂ ମହତ୍ୱ
ମାର୍ଗଶିର କୃଷ୍ଣପକ୍ଷ ଏକାଦଶୀ ଦିନ ଏହି ଦେବୀଙ୍କ ର ଉତ୍ପତ୍ତି ହୋଇଥିବାରୁ, ତାଙ୍କ ନାମ ଏକାଦଶୀ ହେଲା ଏବଂ ତାଙ୍କର ଏହି ଜନ୍ମଦିନଟି ‘ଉତ୍ପନ୍ନା ଏକାଦଶୀ’ ଭାବରେ ପ୍ରସିଦ୍ଧ ହେଲା। ଭଗବାନ ବିଷ୍ଣୁଙ୍କର ବର ଅନୁସାରେ, ପ୍ରତ୍ୟେକ ମାସର କୃଷ୍ଣ ଓ ଶୁକ୍ଳ ଏକାଦଶୀ ପବିତ୍ର ଦିନ ଭାବରେ ପରି ଗଣିତ ହେଲା ଏବଂ ସ୍ୱୟଂ ମୁରାରି ଏହିଦିନର ଅଧିପତି ହେଲେ।
ଉତ୍ପନ୍ନା ଏକାଦଶୀରେ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଇଥାଏ। ଏହି ବ୍ରତକୁ କରୁଥିବା ସାଧକ ଦିବ୍ୟ ଫଳ ପ୍ରାପ୍ତ କରିଥାନ୍ତି। ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତି ଶ୍ରଦ୍ଧାଭାବରେ ଉତ୍ପନ୍ନା ଏକାଦଶୀ ବ୍ରତ ରଖିଥାନ୍ତି,ସେ ମୋହମାୟା ପ୍ରଭାବରୁ ମୁକ୍ତି ପାଇଥାଏ। ଛଳ କପଟ ଭାବନା ତାଙ୍କ ମଧ୍ୟରେ କମ୍ ହୋଇଯାଇଥାଏ ଏବଂ ନିଜ ପୂଣ୍ୟ ପ୍ରଭାବରେ ବ୍ୟକ୍ତି ବିଷ୍ଣୁ ଲୋକରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ।
ଏକଦା ଭଗବାନ ଶ୍ରୀକୃଷ୍ଣଙ୍କୁ ଧର୍ମରାଜ ଯୁଧିଷ୍ଠିର ପଚାରିଥିଲେ, “ଏକାଦଶୀ ତିଥିଟି କିପରି ଉତ୍ପନ୍ନ ହେଲା ଏବଂ ଏହାକାହିଁକି ଏତେପବିତ୍ର ଓ ଦେବତା ମାନଙ୍କର ଏତେ ପ୍ରିୟ?” ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ, “ପ୍ରାଚୀନ କାଳରେ ଚନ୍ଦ୍ରାବତୀପୁରର ରାଜା ତଳଜଙ୍ଗର ପୁତ୍ର ମୁର ଏକ ଭୟଙ୍କର ଦାନବ ଥିଲା। ସେ ଇନ୍ଦ୍ରଙ୍କୁ ସ୍ୱର୍ଗରୁ ତଡ଼ି ସ୍ୱର୍ଗଲୋକ ଅଧିକାର କରିନେଲା।ଇନ୍ଦ୍ର ବ୍ୟାକୁଳହୋଇ ଆଶ୍ରୟ ଖୋଜି, ଦେବତାମାନଙ୍କ ସହିତ କ୍ଷୀର ସମୁଦ୍ରରେ ପହଞ୍ଚିଲେ। ଦେବତାମାନଙ୍କର କାତର ପ୍ରାର୍ଥନା ଶୁଣି ସେମାନଙ୍କୁ ରକ୍ଷା କରିବାପାଇଁ ଭଗବାନ ବିଷ୍ଣୁ ମୁରାସୁରର ଚନ୍ଦ୍ରାବତୀ ପୁରରେ ପହଞ୍ଚି ରାକ୍ଷସ ମାନଙ୍କୁ ବଧକଲେ। ତା’ପରେ ବଦରିକା ଆଶ୍ରମକୁ ଯାଇ ସିଂହାବତୀ ନାମକ ଏକ ଗୁମ୍ଫାରେ ବିଶ୍ରାମ ନେଲେ।
ଭଗବାନଙ୍କୁ ମାରିବାପାଇଁ ମୁରାସୁର ତାଙ୍କୁ ଖୋଜି ଖୋଜି ସେହି ଗୁମ୍ଫା ପାଖରେ ପହଞ୍ଚି ଦେଖିଲା ବିଷ୍ଣୁ ସେଠାରେ ଶୋଇଛନ୍ତି। ଏହା ଦେଖି ସେ ତାଙ୍କୁ ମାରିବାକୁ ଉଦ୍ୟତ ହେବାରୁ, ତାଙ୍କ ଶରୀର ରୁ ଅସ୍ତ୍ରଶସ୍ତ୍ର ସଜ୍ଜିତା ଏକ ରୂପବତୀ କନ୍ୟା ଉତ୍ପନ୍ନ ହୋଇ ମୁରାସୁର ସହିତ ଯୁଦ୍ଧ କଲେ ଏବଂ ତାକୁ ବଧ କଲେ।
ଭଗବାନଙ୍କର ନିଦ୍ରାଭଙ୍ଗ ହେବାପରେ ସେ ଦେଖିଲେ, ମୁରାସୁରର ମୃତଦେହ ପଡ଼ିରହିଛି। ଏହାକୁ କିଏ ବଧ କଲା ବୋଲି ସେ ପଚାରିବାରୁ ସେହି କନ୍ୟା ଭଗବାନଙ୍କ ସମ୍ମୁଖକୁ ଆସି ଅତ୍ୟନ୍ତ ବିନମ୍ର ହୋଇ କହିଲେ,“ପ୍ରଭୁ! ଆପଣଙ୍କ ପ୍ରସାଦ ରୁ ମୁଁ ଏହିଦୈତ୍ୟକୁ ବଧକରିଛି।” ଏଥିରେ ଆନନ୍ଦିତ ହୋଇ ଭଗବାନ ସେହିକନ୍ୟାଙ୍କୁ ବର ଦେବାକୁ ଇଚ୍ଛା କରିବାରୁ ସେ ବିନମ୍ର ହୋଇ କହିଲେ,“ପ୍ରଭୁ! ଯଦି ଆପଣ ପ୍ରସନ୍ନ, ତେବେ ଆପଣଙ୍କ କୃପାରୁ ସବୁତିଥି ମଧ୍ୟରେ ପ୍ରଧାନ, ସମସ୍ତଙ୍କର ବିଘ୍ନନାଶ କରି ପାରୁଥିବା ଏବଂ ସବୁ ପ୍ରକାରର ସିଦ୍ଧି ଦେଉ ଥିବା ଦେବୀଭାବରେ ମୁଁ ପରିଗଣିତ ହେବି। ହେ ଜନାର୍ଦ୍ଦନ! ଯେଉଁ ଲୋକ ଆପଣଙ୍କ ପାଖରେ ଭକ୍ତି ରଖି ମୋର ଏହି ଉତ୍ପତ୍ତି ଦିନ ଉପବାସ କରିବ, ତାକୁ ସବୁ ପ୍ରକାରର ସିଦ୍ଧି ମିଳିବ।” ବିଷ୍ଣୁ ତଥାସ୍ତୁ କହିଲେ।
ବ୍ରତର ମହତ୍ତ୍ବ :
ଏହି ଏକାଦଶୀରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ଅବତାରକୁ ବିଶେଷ ରୂପରେ ପୂଜା କରାଯାଇଥାଏ। ଲୋକମାନେ ବାଳଗୋପାଳଙ୍କ ପୂଜା କରିଥାନ୍ତି। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଶ୍ରଦ୍ଧାଭାବରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଏକାଦଶୀଙ୍କର ପୂଜା କରିଥାନ୍ତି, ସେମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ସମସ୍ତ ସୁଖ ଲାଭ କରିଥାଏ। ଶେଷରେ ମୋକ୍ଷ ପ୍ରାପ୍ତି ହୋଇଥାଏ।
ପୂଜା କରିବାର ବିଦ୍ଧି :
ଉତ୍ପନ୍ନା ଏକାଦଶୀ ବ୍ରତ ଦିନରେ ସକାଳୁ ନିତ୍ୟକର୍ମ ସାରିବା ପରେ ଭଗବାନଙ୍କ ପୂଜା କରନ୍ତୁ ଏବଂ ବ୍ରତ କଥାକୁ ଶୁଣନ୍ତୁ। ଆଠ ପ୍ରହର ଉପାସ ରହି ଭଗବାନ ବିଷ୍ଣୁଙ୍କ ନାମ ଏବଂ ଜପ କରନ୍ତୁ। ଏହି ପବିତ୍ର ଦିନରେ ଭଗବାନ ବିଷ୍ଣୁଙ୍କର ସହସ୍ର ନାମକୁ ବିଶେଷ ଭାବରେ ପାଠ କରନ୍ତୁ। ଶ୍ରଦ୍ଧା ଭାବ ସହିତ ଏହି ବ୍ରତକୁ କରି ଦ୍ବାଦଶୀ ଦିନ ସକାଳୁ କୌଣସି ବ୍ରାହ୍ମଣ କିମ୍ବା ଗରିବ ଲୋକକୁ ଭୋଜନ କରାଇ ଉଚିତ ଦାନ ଦକ୍ଷିଣା ଦେଇ ଏହି ବ୍ରତକୁ ପାଳନ କରିବା ଉଚିତ। କୁହାଯାଏ ଯେ ଯେଉଁ ପୂଣ୍ୟ ସୁନା, ଭୂମି, ଗାଈ, କନ୍ୟାଦାନ ଆଦିରୁ ମିଳିଥାଏ ସେହି ପୂଣ୍ୟ ଠାରୁ ଅଧିକ ପୂଣ୍ୟ ଏହି ଏକାଦଶୀ ବ୍ରତ ରଖିବାରେ ମିଳିଥାଏ।
ପୂଜାର ମନ୍ତ୍ର :
॥ॐ मुरा-रातये नमः॥
