ଆଜି ହିନ୍ଦୀ ଦିବସ ! ବିଦେଶରେ ବି ପାଳନ ହିନ୍ଦୀ ଭାଷା, ଜାଣନ୍ତୁ କଣ ରହିଛି ମୋଦି ସରକାରଙ୍କର ବଡ଼ ଯୋଜନା
ଆଜି ହେଉଛି ହିନ୍ଦୀ ଦିବସ।୧୪ ସେପ୍ଟେମ୍ବରକୁ ସମଗ୍ର ଦେଶ ହିନ୍ଦୀ ଦିବସ ଭାବେ ପାଳନ କରୁଛି। ୧୯୪୯ମସିହା, ଆଜିର ଦିନ ସମ୍ବିଧାନ ସଭାରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ମିଳିଥିଲା ।
ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁ ଏହି ତାରିଖ ଚୟନ କରିଥିଲେ । ବିଶ୍ୱରେ ୩ୟ ସର୍ବାଧିକ ପ୍ରୟୋଗ କରାଯାଉଥିବା ଭାଷା ହେଉଛି ହିନ୍ଦୀ । ଆମ ଦେଶରେ ପ୍ରାୟ ୭୭ ପ୍ରତିଶତ ଲୋକ ହିନ୍ଦୀ କୁହନ୍ତି, ବୁଝନ୍ତି ଓ ପଢ଼ନ୍ତି । ୧୯୫୩ ମସିହାରୁ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସ ରୂପେ ପାଳନ ଆରମ୍ଭ କରାଗଲା ।
ହିନ୍ଦୀ ଭାଷାକୁ ପ୍ରୋତ୍ସାହନ ଦେବା ଲାଗି ସରକାରୀ କାର୍ଯ୍ୟାଳୟମାନଙ୍କରେ ହିନ୍ଦୀ ଭାଷା ବ୍ୟବହାର କରିବାକୁ କୁହାଯାଏ । ଲୋକଙ୍କୁ ପ୍ରେରିତ କରିବାକୁ ଏହି ଦିବସ ଅବସରରେ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ହିନ୍ଦୀ ଭାଷାରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଏ ।
ତେବେ ହିନ୍ଦୀ ଦିବସ ସମାରୋହକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡ଼ିଏସ ନେତା ଏଚଡି କୁମାରସ୍ୱାମୀ ହିନ୍ଦୀ ଦିବସ ପାଳନକୁ ନେଇ ଆପତ୍ତି ଅଭିଯୋଗ ଉଠାଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏ ନେଇ ଅନେକ ଯୋଜନା କରୁଛନ୍ତି।
ସରକାର ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟରେ ହିନ୍ଦୀ ଭାଷାକୁ କିଭଳି ପ୍ରୋତ୍ସାହନ ମିଳିବ ସେ ନେଇ ଅନେକ ଯୋଜନା କରୁଛନ୍ତି। ଏଠାରେ କହି ରଖୁ କି ଆଜି ହିନ୍ଦୀ ଦିବସ ପାଳନ ନ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଏଚଡି କୁମାରସ୍ୱାମୀ। ସେ ତାଙ୍କ ଚିଠିରେ ଆହୁରି ମଧ୍ୟ ଲେଖିଥିଲେ କି ଆଜି ହିନ୍ଦୀ ଦିବସ ପାଳନ କରିବା କର୍ଣ୍ଣାଟକ ବାସୀଙ୍କ ପାଇଁ ଅନ୍ୟାୟ ହେବ।
ସେପଟେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶର ଏକ କପିରେ ଉଲ୍ଲେଖ କରାଯାଇଛି କି ଯେଉଁଥିରେ ପ୍ରତ୍ୟେକ ଦେଶରେ ‘ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି’ ଗଠନ କରାଯିବ ବୋଲି କୁହାଯାଇଛି। ସେହି ସମସ୍ତ ଦେଶରେ ଏହି କମିଟି ଗଠନ ହେବ ଯେଉଁଠାରେ ଭାରତରେ ସାତରୁ ଅଧିକ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ କିମ୍ବା କାର୍ଯ୍ୟ କିମ୍ବା ଭାରତୀୟ ବ୍ୟାଙ୍କର ଶାଖା ଅଛି। ଏଠାରେ କହି ରଖୁ ଯେ ହିନ୍ଦୀ ହେଉଛି ଭାରତର ସରକାରୀ ଭାଷା।
ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ବିଦେଶରେ ଅବସ୍ଥିତ ଭାରତୀୟ କାର୍ଯ୍ୟାଳୟରେ ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ସରକାରୀ କାର୍ଯ୍ୟାଳୟ ଅଧିନିୟମ ଲାଗୁ କରିବାରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୂର କରିବା ପାଇଁ ଏକ ମିଳିତ ଫୋରମ୍ ସୃଷ୍ଟି କରିବାର ଆବଶ୍ୟକତା ଅନୁଭବ କରାଯାଇଛି। ଏଥିରେ କୁହାଯାଇଛି କି ଏହି ସମିତି ଗଠନ ଗୁଡ଼ିକ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମଞ୍ଜୁରି ଓ ବୈଦେଶିକ ମନ୍ତ୍ରଣାଳୟର ସହମତିରେ କରାଯିବ ଓ ପ୍ରତ୍ୟେକ ଦେଶରେ ଭାରତୀୟ ରାଜଦୂତ ଏହାର ନେତୃତ୍ୱ ନେବେ।
ଗୃହମନ୍ତ୍ରଣାଳୟ ଏହି ବର୍ଷ ୧୪ ଓ ୧୫ ସେପ୍ଟେମ୍ବରରେ ଗୁଜୁରାଟର ସୁରତରେ ଦୁଇ ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ ହିନ୍ଦୀ ଦିବସ ପାଳନ ଅବସରରେ ଏଭଳି କାର୍ଯ୍ୟକ୍ରମ ଦିଲ୍ଲୀରୁ ବାହାରେ ପ୍ରଥମକରି କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହ ଆଜି ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଦ୍ଧନ ଦେବେ।
ତେବେ ଦିଆଯାଇଥିବା ଆଦେଶ ମୁତାବକ ବିଦେଶରେ ରହିଥିବା ଭାରତୀୟ କାର୍ଯ୍ୟାଳୟ ଗୁଡ଼ିକରେ ହିନ୍ଦୀକୁ ପ୍ରୋତ୍ସାହିତ କରିବା ପାଇଁ ସମିତି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସମିତିର ନାଁ ହିନ୍ଦୀ ବିଶେଷଜ୍ଞ ତଥା ବିଦେଶରେ ପ୍ରତିଷ୍ଠିତ ଭାରତୀୟ, ବରିଷ୍ଠ ଅଧିକାରୀଙ୍କ ନାଁରେ ଗଠନ ହେବ। ବିଦେଶରେ ରହିଥିବା ଭାରତୀୟ କାର୍ଯ୍ୟାଳୟ ଅବା ଶାଖା କାର୍ଯ୍ୟାଳୟ, ଭାରତୀୟ ବ୍ୟାଙ୍କ ଗୁଡ଼ିକ ଏହି ସମିତିର ସଦସ୍ୟ ଭାବେ ରହିବେ। ଏପରିକି ସମିତିର ବୈଠକ ନିୟମିତ ଭାବେ ହେବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।
