ଆଜି ହରି ଉତ୍ଥାପନ ବା ପ୍ରବୋଧିନୀ ଏକାଦଶୀ, ଜାଣନ୍ତୁ ବ୍ରତର ବିଧି ଓ ମାହାତ୍ମ୍ୟ
କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀକୁ ପ୍ରବୋଧିନୀ ଏକାଦଶୀ କୁହାଯାଇଥାଏ । ବର୍ଷକ ଯାକର ୨୪ଟି ଏକାଦଶୀ ମଧ୍ୟରେ ସବୁଠାରୁ ଶୁଭ ଓ ମଙ୍ଗଳକାରୀ ଏକାଦଶୀ ହେଉଛି କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏହି ଦେବୋତ୍ଥାନ ଏକାଦଶୀ।ଏହି ଏକାଦଶୀକୁ ଦେବଉଠନୀ ଏକାଦଶୀ ମଧ୍ୟ କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁ ଗତ ଚାରି ମାସ ଧରି କ୍ଷୀର ସାଗରରେ ଶୟନ କରିଥାନ୍ତି ଏବଂ ଦେବଉଠନୀ ଏକାଦଶୀ ଦିନ ନିଦ୍ରାରୁ ଜାଗ୍ରତ ହୁଅନ୍ତି। ସବୁ ଏକାଦଶୀ ମଧ୍ୟରୁ ଦେବଉଠନୀ ଏକାଦଶୀକୁ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ମଳିଛି। ଏହି ଏକାଦଶୀ ଦୀପାବଳି ପରେ ପାଳନ କରାଯାଇଥାଏ। ଦେବଉଠନୀ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହେବା ପରେ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି ଏକାଦଶୀ ବ୍ରତ ପାଳନ କରୁଥିବା ବ୍ୟକ୍ତିକୁ ସ୍ବର୍ଗ ଓ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ। ଦେବୋତ୍ଥାନ ଏକାଦଶୀରେ କିଛି ଉପାୟ କରିବା ଦ୍ବାରା ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତି ହେବା ସହ ସମସ୍ତ ଦୁର୍ଭାଗ୍ୟ ଦୂର ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଦେବୋତ୍ଥାନ ଏକାଦଶୀ ଦିନ ଭଗବାନ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି। ଏଥିରେ ଦେବୀ-ଦେବତାଗଣ ଖୁସି ହୋଇ ଏହି ଦିନ ଦୀପ ଉତ୍ସବ ପାଳନ କରିଥାନ୍ତି। ଏହିଦିନ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପାଇବା ପାଇଁ ନିଜ ଘରେ ଦୀପ ଜଳାନ୍ତୁ।
ଏଥିସହ, ଏହି ଦିନ ତୁଳସୀ ବିବାହ ମଧ୍ୟ କରାଯାଇଥାଏ। ସମସ୍ତ ଏକାଦଶୀ ମଧ୍ୟରେ ଦେବଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ଦିନ ଭଗବାନ ନାରାୟଣ ଜାଗ୍ରତ ହେବା ପରେ ଚତୁର୍ମାସ ବି ଶେଷ ହୋଇଯାଏ । ଏହାପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥାଏ ।ତୁଳସୀ ବିବାହ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ । ତୁଳସୀ ବିବାହରେ ମାତା ତୁଳସୀଙ୍କ ବିବାହ ଭଗବାନ ଶାଳଗ୍ରାମଙ୍କ ସହ କରାଯାଇଥାଏ । ବିଶ୍ବାସ ରହିଛି ଯେ ଯେଉଁ ବ୍ୟକ୍ତି ତୁଳସୀ ବିବାହର ଅନୁଷ୍ଠାନ କରିଥାନ୍ତି ସେମାନଙ୍କୁ କନ୍ୟାଦାନର ବରାବର ପୁଣ୍ୟ ଫଳ ମିଳିଥାଏ । ତୁଳସୀ ବିବାହ ପ୍ରତି ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି ଦିନ କରାଯାଇଥାଏ । ଅନେକ ସ୍ଥାନରେ ଦ୍ବାଦଶୀ ଦିନ ମଧ୍ୟ ତୁଳସୀ ବିବାହ କରାଯାଇଥାଏ ।
ll ତୁଳସୀ ବିବାହର ପୂଜା ବିଧି ll :-
ତୁଳସୀ ଗଛର ଚାରିପଟେ ମଣ୍ଡପ ବନାନ୍ତୁ । ତୁଳସୀ ଗଛ ଉପରେ ଲାଲ ଓଢ଼ଣୀ ଚଢ଼ାନ୍ତୁ ।ତଳସୀ ଗଛରେ ଶୃଙ୍ଗାର ଜିନିଷ ଅର୍ପଣ କରନ୍ତୁ । ଶ୍ରୀ ଗଣେଶଙ୍କ ପୂଜା ଏବଂ ଶାଳଗ୍ରାମଙ୍କର ବିଧିବଦ୍ଧ ପୂଜା କରନ୍ତୁ । ଭଗବାନ ଶାଳଗ୍ରାମଙ୍କ ମୂର୍ତ୍ତିର ସିଂହାସନ ହାତରେ ନେଇ ତୁଳସୀଙ୍କ ୭ପରିକ୍ରମା କରନ୍ତୁ । ଆରତୀ ପରେ ବିବାହ ମଙ୍ଗଳଗୀତ ସହ ବିବାହୋତ୍ସବ ପୂର୍ଣ୍ଣ କରାଯାଇଥାଏ । ମହିଳାମାନେ ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ ଏହିଦିନ ବ୍ରତ ରଖି ପୂଜା କରନ୍ତି। ଏହି ଦିନ ବ୍ରତ ରଖିବା ଦ୍ୱାରା ଅଶ୍ୱମେଧ ଏବଂ ଶହେଟି ରାଜସୂୟ ଯଜ୍ଞର ଫଳ ମିଳିଥାଏ। ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ଭାଗ୍ୟ ଜାଗ୍ରତ ହୋଇଥାଏ।ଏହିଦିନ ଭଗବାନ ବିଷ୍ଣୁ କିମ୍ବା ନିଜ ଇଷ୍ଟଦେବୀଙ୍କ ଉପାସନା କରିବା ଉଚିତ। ଏହିଦିନ ” ନମୋଃ ଭଗବତେ ବାସୁଦେବାୟ ନମଃ ” ମନ୍ତ୍ର ଜପ କରିବା ଫଳରେ ଲାଭ ମିଳିଥାଏ।
ll ଏକାଦଶୀ ମାହାତ୍ମ୍ୟ ll :-
ll ଯୁଧିଷ୍ଠିର ଉବାଚ ll
କହନ୍ତି ପଣ୍ଡୁ ରାଜା ସୁତ l ହେ କୃଷ୍ଣ ଶୁଣନ୍ତୁ ଉଚିତ ll
କାର୍ତ୍ତିକ ଶୁକ୍ଳ ଏକାଦଶୀ l ଯେଉଁ ନାମରେ ତାକୁ ଭାଷି ll
କହ ମାହାତ୍ମ୍ୟ ବିଧି ଘେନି l ଯେ ରୂପେ ହେବ ପାପହାନି ll
ll ଶ୍ରୀକୃଷ୍ଣ ଉବାଚ ll
କୃଷ୍ଣ କହନ୍ତି ପଣ୍ଡୁ ସୁତ l ପଚାରି ଅଛ ଲୋକହିତ ll
ବ୍ରହ୍ମା ନାରଦ ସମ୍ବାଦରେ l କହିବା ଶୁଣ ହେ ଆଦରେ ll
ll ବ୍ରହ୍ମା ଉବାଚ ll
ବ୍ରହ୍ମା କହନ୍ତି ହେ ନାରଦ l କହିବା ଏକାଦଶୀ ଭେଦ ll
କାର୍ତ୍ତିକ ଶୁକ୍ଳ ଏକାଦଶୀ l ଏହାକୁ ବୋଧିନୀ ଆଭାଷି ll
ଇନ୍ଦ୍ରପୁରର ସମପୁର l ବେଭାର କି ଅବା କୁବେର ll
ସେ ସ୍ଥାନେ କହିଲେ ଅଧ୍ରୁବ l ଏ ହୋଇଥିଲେ ଦେବ ଧ୍ରୁବ ll
ll ଚନ୍ଦ୍ରଭାଗା ଉବାଚ ll
ଅଛନ୍ତି କେଉଁଠାରେ ପ୍ରିୟ l ସେଠାକୁ ବିପ୍ରେ ମୋତେ ନିଅ ll
ଦେଖିବି ପ୍ରିୟ ମୁଖ ଯାଇ l ଆପଣା ପୁଣ୍ୟ ଭାଗ ଦେଇ ll
କରିବି ସେ ସ୍ଥାନକୁ ଧୃବ l କର ଯେ ରୂପେ ଦେଖାଯିବ ll
ଦୁଇ ବିଯୋଗୀ ଜନଯୋଗ l କରି ପାଇବ ପୁଣ୍ୟ ଭାଗ ll
ଏମନ୍ତେ ସୋମଶର୍ମା ଶୁଣି l ଚନ୍ଦ୍ରଭାଗାକୁ ଗଲେ ଘେନି ll
ପ୍ରବେଶ କଲେ ନେଇ ସ୍ଥାନେ l ବାମଦେବଙ୍କ ସନ୍ନିଧାନେ ll
ଦେଖିଣ ବାମଦେବ ଋଷି l ଚନ୍ଦ୍ରଭାଗାକୁ ଦୟାବଶି ll
ସେ ବାମଦେବ ମହାମୁନି l ବେଦାନ୍ତ ମନ୍ତ୍ର ଜଳ ଘେନି ll
ଆପଣେ କଲେ ଅଭିଷେକ l ଗଲା ତାହାର ସେ ପାତକ ll
ହରିବାସର ଯେ ସ୍ଵଭାବ l କି ଅବା ମନ୍ତ୍ରର ପ୍ରଭାବ ll
ପାଇଲେ ଦିବ୍ୟ ଦେହ ଦେବ l ଦିବ୍ୟ ଗତିରେ ଯେ ସମ୍ଭବ ll
ପ୍ରୀତିରେ ଉଲ୍ଲସିତ ଦିଶେ l ପ୍ରବେଶ ପ୍ରିୟତମ ପାଶେ ll
ପ୍ରିୟାକୁ ଦେଖି ସେ ଶୋଭନ l ହୋଇଲେ ଆନନ୍ଦିତ ମନ ll
ଆହ୍ବାନ କରି ବାମ ଅଙ୍କେ l ପ୍ରିୟାକୁ ବସାଇ ନିଃଶଙ୍କେ ll
ପ୍ରେମରେ ପରବେଶ ହୋଇ l ପ୍ରିୟାକୁ ଚନ୍ଦ୍ରଭାଗା କହି ll
ହେ ପ୍ରିୟ ହିତବାକ୍ୟ ଶୁଣ l ମୋହର ଅଛି ଯେତେ ପୁଣ୍ୟ ll
ତାହା ମୁଁ ଦେଉଅଛି ଜାଣ l ତେଣେ ଅଧୃବ ଧୃବ ମଣ ll
ଆଠବରଷ ଦିନୁ ମୁହିଁ l ଶ୍ରଦ୍ଧାରେ ଚିତ୍ତେ ବିଧି ଚାହିଁ ll
ତୁ କରିଛୁ ଏକାଦଶୀ ବ୍ରତ l ସେ ପୁଣ୍ୟ ଦେଲି ମୁଁ ନିୟତ ll
ତୁମ୍ଭର ଅଧ୍ରୁବ ଏ ପୁର l ଧୃବ ହୋଇବ ପ୍ରାଣେଶ୍ଵର ll
ଏମନ୍ତ କହି ପ୍ରିୟ ସଙ୍ଗେ l ରମିଲା ଚନ୍ଦ୍ରଭାଗା ରଙ୍ଗେ ll
ସୁଦିବ୍ୟ ରୂପ ଆଭରଣ l ପାଇ ଭୁଞ୍ଚିଲା ଭୋଗମାନ ll
କରିବା ବିଷ୍ଣୁ ଉଜାଗର l ନିରସ୍ତ ପାପ ହୁଏ ଦୂର ll
ଯେ ଅଶ୍ଵମେଧ ଆଦି ଯୋଗେ l ଫଳ ମିଳଇ ସୁଖଭୋଗେ ll
ପାଇ ସେ ଫଳକୁ ସୁଖରେ l ହରି ବୋଧନୀ ଉଜାଗରେ ll
ତରି ସମସ୍ତ ତୀର୍ଥେ ସ୍ନାନ l ଦେଇ ମୋମହୀ ସ୍ଵର୍ଣ୍ଣମାନ ll
ସେ ଫଳ ନ ମିଳେ ନିର୍ଜଳେ l ବୋଧିନୀ ଜାଗରଣ ତଳେ ll
ଯେ କଲା ପ୍ରବୋଧିନୀ ବ୍ରତ l ଜାଗର ପୂଜାର ସହିତ ll
ସେହି ସୁକୃତ ହୋଇ ମାତ୍ର l ତେଣେ ସେ କୁଳ ହିଁ ପବିତ୍ର ll
ପ୍ରାଣୀଙ୍କ ମୃତ୍ୟୁ ଧନ ନାଶ l ନିତ୍ୟ ଏ ଦୁହେଁ ଅବଶେଷ ll
ଏମନ୍ତ ଜାଣି ସୁନିଶ୍ଚିତ l କରିବେ ଏ ବୈଷ୍ଣବ ବ୍ରତ ll
ଯେ କିଛି ତୀର୍ଥ ତ୍ରିଭୁବନେ l ସେମାନେ ଜାଣ ତା ଭୁବନେ ll
କାର୍ତ୍ତିକ ଶୁକ୍ଳ ଏକାଦଶୀ l ଯେ କଲା ଏହି ତୀର୍ଥବାସୀ ll
ସମସ୍ତ କୃତ ପରିହରି l ଶ୍ରୀକୃଷ୍ଣ ପ୍ରୀତି ହେତୁକରି ll
ବିଧିରେ ବୋଧିନୀ ଆଚରି l ବୈକୁଣ୍ଠେ ଆକୁଣ୍ଠେ ସଞ୍ଚରି ll
ଯେ କଲା ବୋଧିନୀ ବହୁତ l ପୁଣ୍ୟରେ ତାର କିମ୍ପା ଭୀତ ll
କାର୍ତ୍ତିକ ଏ ହରି ବୋଧିନୀ l ପରଲୋକରେ ମହାଦାନୀ ll
ଯେ କରେ ବୋଧିନୀ ଉପାସ l ଜାଣ ସେ କଲା ଯୋଗନ୍ୟାସ ll
ତତ୍ପରେ ସେହି ଜିତେନ୍ଦ୍ରିୟ l ତାହାର ମୋକ୍ଷ ଭାଗ୍ୟେ ଜୟ ll
ବିଷ୍ଣର ଅତି ପ୍ରିୟ ଏହି l ଧର୍ମ ସାରକୁ ଯେ ଦିଅଇ ll
ଯେଉଁ ବୋଧିନୀ ବ୍ରତ କରି l ମୁକ୍ତି ଲଭନ୍ତି ନରନାରୀ ll
କରି ବୋଧିନୀ ଉପବାସ l ନର ନ ପାଏ ଗର୍ଭେ ବାସ ll
ତେଣୁ ସମସ୍ତ ଧର୍ମ ଛାଡ଼ି l ବୋଧିନୀ ବ୍ରତକୁ ଆଚରି ll
କରି ବୋଧିନୀ ଉଜାଗର l ହୋଇ ଯେ ଯାଗରେ ତତ୍ପର ll
ତାର ନରହେ ପାପ ଗାତ୍ରେ l ଯେ ଜାତି ଇନ୍ଦ୍ରିୟଙ୍କ ମାତ୍ରେ ll
ଯେ ସ୍ନାନ ଦାନ ଜପ ହୋମ l କରି ଉଦ୍ଦେଶି ଜନାର୍ଦ୍ଦନ ll
ସେ ସର୍ବ ଅକ୍ଷୟ ହୁଅ l ହରି ବୋଧିନୀ ତିଥି ପାଇll
ଜନାର୍ଦ୍ଦନକୁ ଅର୍ଘ୍ୟ ଦେବ l ଚରଣେ ଶରଣ ପଶିବ ll
କରି ସମସ୍ତ ତୀର୍ଥ ସ୍ନାନ l ଦେଇ ସମସ୍ତ ଦାନମାନ ll
ମିଳଇ ଯେଉଁ ଫଳ ଜାଣ l ସେ ଅର୍ଘ୍ୟ ଦାନେ କୋଟି ଗୁଣ ll
ତଦନ୍ତେ ଭୋଜନ ବସନେ l ପୂଜା କରିବ ଗୁରୁଜନେ ll
ଦକ୍ଷିଣା ଦେଇ କରହୃଷ୍ଟ l ଯେଣୁ ତା ତୋଷେ ହରି ତୁଷ୍ଟ ll
ଯେ ପଢେ ବୈଷ୍ଣବ ପୁରାଣ l ଯେ ଅବା କରଇ ଶ୍ରବଣ ll
ପ୍ରତ୍ୟକ୍ଷ ଦେଇ କପିଳାକୁ l ଯେ ଫଳ ମିଳଇ ତାହାକୁ ll
କାର୍ତ୍ତିକେ ହେ ମୁନିସତ୍ତମ l ଯଥୋକ୍ତ କରେ ଯେଉଁ ଜନ ll
କରଇ ଏ ବୈଷ୍ଣବ ବ୍ରତ l ମୁକ୍ତି ତାହାର ସୁନିଶ୍ଚିତ ll
କେତକୀ ପତ୍ରେ ପୂଜା ପାଇ l ଲକ୍ଷ୍ମୀ ସହିତେ ଲକ୍ଷ୍ମୀସାଇଁ ll
ସୁପ୍ରୀତ ହୁଅନ୍ତି ସେ ଜାଣ l ଯେ ଭକ୍ତି ମୁକ୍ତିର କାରଣ ll
ଅଗସ୍ତ୍ୟ କୁସୁମେ ଯେ ଜନ l ପୂଜା କରଇ ଜନାର୍ଦ୍ଦନ ll
ନରକ ଅଗ୍ନି ତାକୁ ଦେଖି l ଲଭଇ ଯଥା ଜଳେ ଶିଖି ll
କାର୍ତ୍ତିକେ ମୁନି ପୁଷ୍ପେ ପୂଜା l ପାଇ ସେ ଦେବ ଦେବରାଜା ll
ଦିଅନ୍ତି ଅଭିମତ କାମ l ଯାବତ ସ୍ଥିତ ଏ ଆର୍ଯ୍ୟମ ll
ଯେ ସର୍ବ ପୁଷ୍ପ ଛାଡ଼ିକରି l ମୁନି ପୁଷ୍ପରେ ପୂଜେ ହରି ll
ବିଶେଷ ପ୍ରବୋଧିନୀ କାଳେ l ଯୁକ୍ତ ଯେ ଅଶ୍ଵମେଧ ଫଳେ ll
ତୁଳସୀ ମୁନି ପୁଷ୍ପେ ହରି l ଯେ ପୂଜେ ପ୍ରବୋଧିନୀ କରି ll
ଯାଏ ସକଳ ପାପ ତାର l ଯେ ଅବା ଜନ୍ମ ଅୟତର ll
ତୋଳି ତୁଳସୀଦଳ ମାନ l କି ଅବା ଅଗସ୍ତି କୁସୁମ ll
ଆରାଧି ଦେବ ଜନାର୍ଦ୍ଦନ lକାର୍ତ୍ତିକେ ଦିଏ ଯେଉଁ ଜନ ll
ଦଶ ସହସ୍ର ଜନ୍ମ ଭବ l ତାର ଯେ ପାତକ ବିଭବ ll
ତାହା ନାଶନ୍ତି ପଦ୍ମନାଭ l ନିଷ୍ପାପୀ ହୁଏ ସେ ମାନବ ll
ଦେଖନ୍ତି ଛୁଅନ୍ତି ସିଞ୍ଚନ୍ତି l ଦାନ କରନ୍ତି ଆରୋପନ୍ତି ll
କୀର୍ତ୍ତନ କରନ୍ତି ନମନ୍ତି l ସ୍ତୁତି କରିଣ ଯେ ପୂଜନ୍ତି ll
କରନ୍ତି ମହାପାପ ମାନ l ପୁଣ୍ୟବାନରେ ସୁଭୋଭନ ll
ପ୍ରସଙ୍ଗେ ମାହାତ୍ମ୍ୟ ଏହାର l ଶୁଣ କହିବା ଯୁଧିଷ୍ଠିର ll
ପୂର୍ବେ ଏକଇ ନୃପସୁତ l ନାମରେ ମୁଚୁକୁନ୍ଦ ଖ୍ୟାତll
ମହେନ୍ଦ୍ର କୁବେର ବରୁଣ l ଶମନ ଅଗ୍ନି ବିଭୀଷଣ ll
ଯାହାର ସୁ - ସ୍ଵଭାବ ବଳେ l ଏମାନେ ସ୍ନେହେ ମିତ୍ର ହେଲେ ll
ସେ ସତ୍ୟସିନ୍ଧ ନରପତି l ବିଷ୍ଣୁଙ୍କଠାରେ କଲେ ଭକ୍ତି ll
ବହୁତ ଭୂମିଦାନ କଲେ l ସତତ ବୈଷ୍ଣବ ପୂଜିଲେll
ରାଜ୍ୟକୁ ଅକଣ୍ଟକ କରି l ପାଳିଲେ ଧର୍ମ ଅବଧାରିll
ଜନ୍ମିଲା ଦୁହିତା ତାଙ୍କର l ରୂପେ ମୋହିଲା ସର୍ବ ନର ll
ପ୍ରାକ୍ତନ ଜନ୍ମ ଅନୁସାରେ l ଦେଲେ ଚନ୍ଦ୍ରଭାଗା ନାମରେ ll
ଚନ୍ଦ୍ରସେନର ଯେହୁ ସୁତ l ନାମରେ ଶୋଭନ ବିଦିତ ll
ଆନନ୍ଦେ ଶୋଭନକୁ କାଳେ l ଚନ୍ଦ୍ରଭାଗାକୁ ବିଭା କରେ ll
ଦୈବ ଯୋଗରେ ଏକାଦଶୀ l ମିଳିଲା ନିକଟରେ ଆସି ll
ଚନ୍ଦ୍ରଭାଗାର ମନେ ତାପ l ହୋଇଲା ଦେଖି ତାଙ୍କ ରୂପ ll
କି ହେବ ପ୍ରଭୁ ଦୟାନିଧି l ଆଜ ତ ଏକାଦଶୀ ବିଧି ll
ମୋ ଭର୍ତ୍ତା ଅତ୍ୟନ୍ତ ଦୁର୍ବଳl କ୍ଷୁଧାରେ ହୋଇବେ ବ୍ୟାକୁଳ ll
ଉଗ୍ର ଶାସନ ମୋର ତାତ l ଯାହାର ଡିଣ୍ଡିମ ବିଦିତ ll
ହରି ବାସରେ ନ ଭୁଞ୍ଜିବ l ଅନ୍ୟଥା ମୋର ଦଣ୍ଡ ହେବ ll
ଡିଣ୍ଡିମ ଘୋଷ ଆପେ ଶୁଣି l ଶୋଭନ ମନେ ଭୟ ଘେନି ll
ପ୍ରିୟକୁ କହିଲେ ଉପାୟ l ଦେବ ଅନ୍ୟଥା ମୋ ଅପାୟ ll
ll ଚନ୍ଦ୍ରଭାଗା ଉବାଚ ll
ଆମ୍ଭର ଘରେ ଆଜି କେହି l ଜୀବ ମାତ୍ରକେ ନ ଭୁଞ୍ଜଇ ll
ତୃଣ ଅନ୍ନକୁ ଅବା ବାରି l ତୋ ପିତା ଦେଇଛନ୍ତି ବାରି ll
ଆଜ ସମସ୍ତେ ନିରାହାର l ଦ୍ୱିରଦ ତୁରଙ୍ଗ ମାର୍ଜାର ll
କହିବା କି ଅବା ମାନବ l ଧୈର୍ଯ୍ୟ ଧରନ୍ତୁ ପ୍ରାଣଧବ ll
ହରି ବୋଧିନୀ ଉପୋଷଣ l କରି ମାଧବ ସମର୍ପଣ ll
କରି ଯାଆନ୍ତି ଶତଜନ୍ମ l ମହାପାତକ ଚୟ ଜନ ll
କଲେ ବୋଧିନୀ ମହାବ୍ରତ l ମହାପାତକ ହୁଏ ହତ ll
ତେଣୁ ବୋଧିନୀ ଉପବାସ l ବିଧିରେ କରିବ ମନୁଷ୍ୟ ll
ଏ ବ୍ରତ ତୋଷି ଭଗବାନ l କରି ଦିଗକୁ ଶୋଭାବନ ll
ବଇକୁଣ୍ଠକୁ ଯାଏ ଜନ l ଚଢି ଉତ୍ତମ ଦେବଯାନ ll
ଏଣୁ ଏ ବ୍ରତ ଯତ୍ନେ କର l ପାଇବ କୀର୍ତ୍ତି ପୁରଷ୍କାର ll
ପରକାଳରେ ବୈକୁଣ୍ଠ l ପାଇବ ଏହି ବ୍ରତ ନିଷ୍ଠ ll
ଏଥିରେ ସର୍ବ ପାପ ଯିବ l ଯୌବନେ ଯେ ଅବା ସମ୍ଭବ ll
ବାର୍ଦ୍ଧକ୍ୟେ ଯେ ଅବା ସଂଯତ l ସମସ୍ତ ନାଶେ ମହାବ୍ରତ ll
ଶତ ଜନ୍ମର କୃତ ପାପ l ହେଉ ବା ବହୁତ ଅଳପ ll
ହରନ୍ତି ସବୁ ଲକ୍ଷ୍ମୀସାଇଁ l ଏଥି ଭକ୍ତିରେ ପୂଜା ପାଇ ll
ଯେ ଧନ ଧାନ୍ୟକୁ ଦିଅଇ l ସମସ୍ତ ପାପକୁ ହରଇ ll
କରଇ ଗୃହର କଲ୍ୟାଣ l ଏ ବ୍ରତ ମହାପୁଣ୍ୟ ଜାଣ ll
କରି ଏ ବ୍ରତ ଉପବାସ l ଭକ୍ତିରେ ତୋଷି ହୃଷୀକେଶ ll
ଯାହାର ପାପ ଅନାୟାସ l ସେ ଜାଣେ ବଲ୍ଲଭ ବିଶେଷ ll
ସେ ଚନ୍ଦ୍ର ସୂର୍ଯ୍ୟ ଉପରାଗେ l ଫଳ କୀର୍ତ୍ତିତ ଅଛି ଆଗେ ll
ତହୁଁ ସହସ୍ର ଗୁଣ ଯୁତ l ବୋଧିନୀ ଜାଗରେ ସୁକୃତ ll
ସାଧ୍ୟୟ ଯେବା ଜପ ହୋମ l ଯେ ଦାନ ହରି ସମର୍ଚ୍ଚନ ll
ଏ ସର୍ବ ହୋଏ ଶତେ ଗୁଣ l ଯେବେ ବୋଧିନୀ ଦିନ ଜାଣ ll
ଜନ୍ମ କାଳରେ ଯେତେ ପୂଣ୍ୟ l କ୍ଳେଶରେ ଅର୍ଜିଥାଇ ଧନ ll
ସେ ସର୍ବ କାର୍ତ୍ତିକ ଅଭାବେ l ହୁଅନ୍ତି ଗଣା ଅସମ୍ଭବେ ll
ଅବଧି କରି ଯେ କାର୍ତ୍ତିକ l କରଇ ବଇରାବ ଲୋକ ll
ନ ପଡେ ତାର ଅନ୍ତ ଲୋଭେ l ସେ ଚାନ୍ଦ୍ରାୟଣ ଫଳ ଲଭେ ll
ସେ ନିତ୍ୟେ ଧର୍ମ ଶାସ୍ତ୍ର ବାଦେ l ନିଅଇ କାର୍ତ୍ତିକ ଆନନ୍ଦେ ll
ଏ ରୂପେ ନିତ୍ୟ ଏ ପ୍ରକାରେ l ଯେ ଭକ୍ତି କରନ୍ତି ସତ୍କାରେ ll
ତୁଳସୀ ଦେବୀ ପ୍ରସାଦରେ l ସେ ନ ପଡ଼ନ୍ତି ପ୍ରମୋଦରେ ll
କୋଟି ସହସ୍ର ଯୁଗ ତପ l ଫଳ ପାଆନ୍ତି ନିରାପତ ll
ଯେ ରୂପେ ଫଳୁ ବୀଜ ପଡ଼ି l ଭୂମିରେ ଜନ୍ମ ଯାଏ ବଢି ll
ସେ ରୂପେ ବଢଇ ସେ କୁଳ l ସର୍ବଦା ହୁଏ ନିରାକୁଳ ll
ଆକୁଳ ଯୁଗ ସହସ୍ରାନ୍ତ l ଏ ବଂଶ ବୈକୁଣ୍ଠେ ବିଶ୍ରାନ୍ତ ll
ସମସ୍ତ ତୀର୍ଥେ ସ୍ନାନ କରି l ସମସ୍ତ ଯାଗମାନ କରି ll
ଯେ ରୂପେ ତୃପ୍ତ ଲକ୍ଷ୍ମୀସାଇଁ l ତୁଳସୀ ଦଳେ ପୂଜା ପାଇ ll
ରତ୍ନ କାଞ୍ଚନ ସମୀଚନେ l ସେ ରୂପେ ନୁହନ୍ତି ଏମାନେ ll
ଗୋବିନ୍ଦ ପ୍ରିୟା ଅଟେ ଯେଣୁ l ତୁଳସୀ ଦଳେ ପୂଜ ତେଣୁ ll
ବିଶେଷ କାର୍ତ୍ତିକେ ନାରଦ l ତୁଳସୀ ଦଳେ କୃଷ୍ଣ ମୋଦ ll
ଯେ ଯଜ୍ଞ ଅନେକ କରଇ l ରତ୍ନ କାଞ୍ଚନ ଦାନ ଦେଇ ll
ସେ ଫଳ ପାଇ ବହୁଗୁଣେ l ତୁଳସୀ ଦେଇ ଜନାର୍ଦ୍ଦନେ ll
କର କାର୍ତ୍ତିକ ଯଥାଶକ୍ତି l ଏକାଦଶୀରେ ଥାଉ ମତି ll
ଶ୍ରୀକୃଷ୍ଣ କର ଭକ୍ତି ଭାବ l ଅବଶ୍ୟ ଜନେ ମୁକ୍ତ ହେବ ll
ଏକାଦଶୀର ସମ ହୋଇ l ତିନିଲୋକରେ ବ୍ରତ ନାହିଁ ll
ଯେ ସର୍ବ ପାପ ବିନାଶିବ l ଅଭୀଷ୍ଟ ଫଳକୁ ଯେ ଦେବ ll
ଏକାଦଶୀରେ ନ ଭୁଞ୍ଜିବ l ଯେବେ ସ୍ୱର୍ଗରେ ସ୍ପୃହା ହେବ ll
ଏକାଦଶୀରେ ଯେଉଁ ଜନ l କରଇ ପକ୍ୱାନ୍ନ ଭୋଜନ ll
ତହୁଁ ଅଧିକ ତିନି ଲୋକେ l ନାହିଁ ଚଣ୍ଡାଳ ପାପୀ ଏକେ ll
ଇତି ଶ୍ରୀ ସ୍କନ୍ଧପୁରାଣେ କାର୍ତ୍ତିକ ଶୁକ୍ଳଦେବ ପ୍ରବୋଧିନ୍ୟୈକାଦଶୀ ମାହାତ୍ମ୍ୟେ ଚତୁର୍ବିଂଶୋଽଧ୍ୟାୟଃ ।।
