ଆଜି ଗଣେଶ ଚତୁର୍ଥୀ ; ଜାଣନ୍ତୁ ଶୁଭ ମୁହୂର୍ତ୍ତ, ପୂଜା ବିଧି ଓ ମନ୍ତ୍ର
ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗିରିଜାନନ୍ଦନଙ୍କ ପୂଜା । ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ବର ବିଶେଷ ମହତ୍ତ୍ୱ ରଖିଛି । ଚଳିତବର୍ଷ ଅଗଷ୍ଟ ୩୧ ତାରିଖ ବୁଧବାର ଗଣେଶ ପୂଜା ଅନୁଷ୍ଠିତ ହେବ। ବୁଧବାର ଦିନଟି ଗଣେଶଙ୍କ ଲାଗି ସମର୍ପିତ। ଚଳିତବର୍ଷ ଉକ୍ତ ବାରରେ ଗଣେଶ ପୂଜା ପଡିଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଯାଇଛି। କାରଣ ୧୦ ଦିବସୀୟ ଗଣେଶୋତ୍ସବ ବୁଧବାର ଠାରୁ ଆରମ୍ଭ ହେବ।
ଗଣେଶ ଚତୁର୍ଥୀ, ବିକ୍ରମ ସଂବତର ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଏ । ଏହି ଶୁଭଦିନକୁ ହିନ୍ଦୁଧର୍ମରେ ଗଣେଶଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ଏହି ପର୍ବ ଦଶଦିନ ଧରି ଚାଲେ ଓ ଅନନ୍ତ ଚତୁର୍ଦ୍ଦଶୀରେ ସମାପ୍ତ ହେଇଥାଏ ।
ଶୁଭ ମୁହୂର୍ତ୍ତ :
ଗଣପତି ସ୍ଥାପନାର ଶୁଭ ମୂହୁର୍ତ୍ତ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ୩୦ ଅଗଷ୍ଟ ମଧ୍ୟାହ୍ନରୁ ଆରମ୍ଭ ହୋଇଯାଇଛି। ଏହି ଶୁଭ ମୂହୁର୍ତ୍ତ ୩୧ ଅଗଷ୍ଟ ଅପରାହ୍ନ ୩ଟା ୨୩ ପର୍ଯ୍ୟନ୍ତ ରହିବ। ଏଣୁ ଗଣେଶ ପୂଜାରେ ଗଣପତି ମୂର୍ତ୍ତି ସ୍ଥାପନା ୩୧ ଅଗଷ୍ଚ ଅପରାହ୍ନ ସାଢେ ୩ଟା ବେଳ ପର୍ଯ୍ୟନ୍ତ ବୋଲି କୁହାଯାଇଛି।
କୁହାଯାଏ ଗଣେଶଙ୍କ ଜନ୍ମ ମଧ୍ୟାହ୍ନ ସମୟରେ ହୋଇଥିଲା। ଏଣୁ ଗଣେଶ ପୂଜା ଲାଗି ମଧ୍ୟାହ୍ନ ସମୟକୁ ଉପଯୁକ୍ତ ବିଚାର କରାଯାଏ। ଫଳରେ ମଧ୍ୟାହ୍ନ ଗଣେଷ ପୂଜା ମୂହୁର୍ତ୍ତ ପୂର୍ବାହ୍ନ ୧୧ଟା ୫ ମିନିଟ୍ ରୁ ଆରମ୍ଭ ହୋଇ ୧ଘଣ୍ଟା୩୮ ମିନିଟ୍ ପର୍ଯ୍ୟନ୍ତ ଅର୍ଥାତ ୨ ଘଣ୍ଟା ୩୩ ମିନିଟ୍ ପର୍ଯ୍ୟନ୍ତ ଗଣପତି ପୂଜା ଲାଗି ମୂହୁର୍ତ୍ତ ନିର୍ଦ୍ଧାରିତ ହୋଇଛି।
ପୂଜା ବିଧି :
ଗଣେଶ ପୂଜା ଲାଗି ପ୍ରଥମେ ପ୍ରତ୍ୟୁଷରେ ସ୍ନାନ କରି ନିଅନ୍ତୁ। ପରେ ଓଦା ମାଟିରେ ଗଣେଶଙ୍କ ମୂର୍ତ୍ତିଟିଏ ତିଆରି କରି କିଛି ସମୟ ସୁଖାଇ ଦିଅନ୍ତୁ। ଦେଶୀଘିଅ, ସିନ୍ଦୁର, ହଳଦି ଓ ଚନ୍ଦନରେ ଗଣେଶଙ୍କୁ ଶୃଙ୍ଗାର କରାଇ ଦିଅନ୍ତୁ। ଏହା ପରେ ପଇତା ପିନ୍ଧାଇ ଘରର ଉତ୍ତର-ପୂର୍ବ କୋଣରେ ସ୍ଥାପିତ କରିଦିଅନ୍ତୁ। ଧୂପ, ଦୀପ ଜଳାଇ ଫୁଲ ଓ ଫଳ ଅର୍ପଣ କରନ୍ତୁ। ଗଣେଶଙ୍କୁ ଲଡ୍ଡୁ ଭୋଗ ନିଶ୍ଚିତ କରନ୍ତୁ। କର୍ପୁର ଜଳାଇ ଗଣେଶଙ୍କ ଆରତୀ କରନ୍ତୁ। ଏହି ପରି ସବୁଦିନ ୧୦ ଦିନ ପର୍ଯ୍ୟନ୍ତ ଗଣେଶଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ଅନନ୍ତ ଚତୁର୍ଦ୍ଦଶୀ ଦିନ ବିଧିବିଧାନ ପୂର୍ବକ ଗଣେଶଙ୍କ ବିସର୍ଜନ କରନ୍ତୁ।
ମନ୍ତ୍ର :
ଏକଦନ୍ତାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି, ତନ୍ନୋ ଦନ୍ତୀ ପ୍ରଚୋଦୟାତ । ।
ମହାକର୍ଣ୍ଣାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି, ତନ୍ନୋ ଦନ୍ତୀ ପ୍ରଚୋଦୟାତ । ।
ଗଜାନନାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି, ତନ୍ନୋ ଦନ୍ତୀ ପ୍ରଚୋଦୟାତ । ।
କଟକଣା :
ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିର ଉଚ୍ଚତା ୨୦ ଫୁଟ ରହିବ
ମେଢ ସହ ମୂର୍ତ୍ତିର ଉଚ୍ଚତା ୪୦ ଫୁଟ କରାଯାଇପାରିବ
ଯେତେ ସମ୍ଭବ ଛୋଟ ମୂର୍ତ୍ତି ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ
ମୂର୍ତ୍ତି ନିର୍ମାଣରେ ପୋଡା ମାଟି ତଥା ପ୍ଲାଷ୍ଟର ଅଫ୍ ପାରିସ୍ ବ୍ୟବହାର ହେବନି
ପ୍ରାକୃତିକ ମାଟି ବ୍ୟବହାର କରି ମୂର୍ତ୍ତି ନିର୍ମାଣ କରାଯିବ
ମୂର୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର ହେବ ନାହିଁ
ପ୍ରଶାସନ ଓ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ
ପୂଜାରେ ବ୍ୟବହୃତ ସାମଗ୍ରୀକୁ ଚିହ୍ନଟ ସ୍ଥାନରେ ପକାଇବେ
ବିସର୍ଜନର ୨୪ ଘଣ୍ଟା ମଧ୍ୟରେ ଅସ୍ଥାୟୀ ପୋଖରୀରୁ ସାମଗ୍ରୀ ବାହାର କରିବେ
ପ୍ରସାଦ ବିତରଣ ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟବହାର ହେବନି
ଥର୍ମୋକୁଲରେ ତିଆରି ଜିନିଷର ବ୍ୟବହାର ନକରିବାକୁ ପରାମର୍ଶ
ପୌରାଣିକ :
ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ୱାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦ୍ର, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା ।
ଅବତାର:
ଗଣେଶ ଆଦିଦେବ ଭାବରେ ପରିଚିତ। ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ।
ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ।
ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ।
ଦ୍ୱାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ।
କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି।
ବାସ୍ତୁଶାସ୍ତ୍ର :
ପ୍ରଥମ ପୂଜ୍ୟ ଶ୍ରୀଗଣେଶ । ନୂତନ ଘରେ ପ୍ରବେଶ ହେଉ ଅବା ଶୁଭ କାର୍ଯ୍ୟ , ସର୍ବ ପ୍ରଥମେ ଲୋଡା ହୁଅନ୍ତି ସେ। କାରଣ ତାଙ୍କୁ ପୂଜା କଲେ ସବୁକିଛି ମଙ୍ଗଳ ହୋଇଥାଏ।
ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ।
ଯଦି ଘରର ମୂଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ୱାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ।
ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକାରାତ୍ମକ ଭାବ ଉତ୍ପନ ହେଇଥିବା ମନେହୁଏ ତେବେ ଘରଭିତରେ ପ୍ରବେଶ ଦ୍ୱାରକୁ ମୁହଁ କରି ଅନାଇବା ଭଳି ୯ ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ।
ଘରର ଯେ କୈଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ। ବରଂ ଗଣେଶଙ୍କ ଫୋଟ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଅର୍ଥାର ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ।
ଘରର ମଧ୍ୟଭାଗ ଅର୍ଥାତ ବ୍ରହ୍ମାସ୍ଥଳରେ ତୁଳସୀ ଗଛ ସହିତ ଶ୍ରୀଗଣେଶଙ୍କ ପୂଜା କଲେ ସମ୍ପୁର୍ଣ୍ଣ ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ।
ଘରେ ଶ୍ରୀଗଣେଶଙ୍କର ବସିଥିବା ତଥା ଆଶୀର୍ବାଦ ଦେଉଥିବା ପ୍ରତିମା ପୂଜା କରିବାବେଳେ ବ୍ୟବସାୟିକ ପରିସରରେ ଭଗବାନଙ୍କର ଅନ୍ୟ ମୁଦ୍ରାର ପ୍ରତିମା ତଥା ଫୋଟ ରଖିବା ଭଲ।
ଶ୍ରୀଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁ ନାହିଁ ଯାହାର ପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ ଇ
