ଆଜି ପହିଲି ରଜ! ଉତ୍ସବମୁଖର ଗାଁଠୁ ସହର : ପୋଡ଼ ପିଠା, ମିଠା, ପାନରେ ଜମୁଛି ଆସର
ଓଡ଼ିଶାର ଏକ ଗଣପର୍ବ ରଜ। ଗାଁଠୁ ସହର ସବୁଠି ଉତ୍ସବମୁଖର। ପହିଲି ରଜ ଅବସରରେ ଘରେ ଘରେ ପିଠା ଓ ମିଠାର ଆସର ଜମୁଛି। ଝିଅ ଓ ବୋହୂଙ୍କ ରଜ ଦୋଳି ଖେଳ ସାଙ୍ଗକୁ ମିଠା ପାନରେ ପରିବେଶ ରଙ୍ଗୀନ ହୋଇଛି। ରଜ ଅବସରରେ ଦୋଳି, ପାନ, ଝୋଟି ଓ ହୁଳୁହୁଳି ଆଦି ପ୍ରତିଯୋଗିତାର ମଧ୍ୟ ଆୟୋଜନ ହେଉଛି। ବିଭିନ୍ନ ସ୍ଥାନରେ ତାସ୍, ଲୁଡୁ, କବାଡି ଓ ବାଗୁଡ଼ି ଖେଳ ମଧ୍ୟ ଅନୁଷ୍ଠିତ ହେଉଛି। ବିଭିନ୍ନ ପ୍ରକାର ପିଠା ମଧ୍ୟରେ ସ୍ଥାନ ପାଇଛି ପୋଡପିଠା, ମଣ୍ଡା ଓ ଆରିସା କାକରା ଇତ୍ୟାଦି ଆଉ ତା’ ସହିତ ସୁସ୍ୱାଦୁ ରଜ ପାନ ରଜ ମଉଜକୁ ଆହୁରି ଆକର୍ଷଣୀୟ କରିଦେଇଛି।
ଓଡିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ଏହି ସବୁ ପର୍ବ ମଧ୍ୟରେ ରଜ ପର୍ବ ଅନ୍ୟତମ । ରଜ ହେଉଛି ଓଡିଶାର ଗଣ ପର୍ବ । ଏହି ପର୍ବ ପାଇଁ ଗାଁଠାରୁ ସହର ସବୁଠି ହୋଇଛି ଉତ୍ସବ ମୁଖର । ମୁଖ୍ୟତଃ ଏହି ପର୍ବ ଗାଁରେ ପାଳନ କରିବା ପାଇଁ ଲୋକଙ୍କ ଭିଡ ଜମିଥାଏ । ଲୋକ ଯେତେ ବଡ ହୋଇଗଲେ ବି ରଜରେ ଗାଁକୁ ଯାଇ ଦୋଳି ଖେଳିବାର ମଜା ଅଲଗା । ଯେଉଁ କାରଣରୁ ଗତକାଲି ବସଷ୍ଟାଣ୍ଡ ଏବଂ ରେଲୱେ ଷ୍ଟେସନରେ ଲୋକଙ୍କ ଭିଡ ଲାଗିଥିଲା ।
ରଜ ପର୍ବରେ ପାନ ଖାଇବାର ମଜା ନିଆରା । ପିଲାଠାରୁ ବୁଢ଼ା ସମସ୍ତେ ରଜ ପାନ ଖାଇ ପାଟି ଲାଲ କରି ତାସ ଏବଂ ଲୁଡୁ ଖେଳି ମଜା ନେଇଥାନ୍ତି । ଏହି ପର୍ବରେ ସମସ୍ତଙ୍କ ଘରେ ପୋଡ ପିଠା କରାଯାଇଥାଏ । ବର୍ଷରେ ଯେତେଥର ପୋଡପିଠା ଖାଇଲେ ସୁଦ୍ଧା ରଜରେ ଏହାର ମଜା ଦ୍ୱିଗୁଣିତ ହୋଇଯାଇଥାଏ । ରଜ ପର୍ବରେ ଝିଅମାନେ ସଜେଇ ହୋଇଥାନ୍ତି । ନୂଆ ଡ୍ରେସ ସାଙ୍ଗକୁ ଅଳତା,କୁଙ୍କୁମ ଲଗାଇ ସଜେଇ ହୋଇ ଦୋଳି ଖେଳିବା ପାଇଁ ବାହାରି ଥାଆନ୍ତି ।
ରଜ ପର୍ବ ତିନି ଦିନ ପାଇଁ ପାଳନ କରାଯାଇଥାଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଇଥାଏ । ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି । ଏବଂ ଶେଷ ରଜକୁ ଭୂମି ଦାହନ ବୋଲି କୁହାଯାଇଥାଏ । ଏହି ତିନି ଦିନ ଚାଷୀଙ୍କ ପାଇଁ ହଳ ଧରିବା ନିଷେଧ । ରଜ ପରଠାରୁ ବର୍ଷାର ଆଗମନ ହୋଇଥାଏ ।
ମୌସୁମୀ ଆସିନି । ହେଲେ କେଉଁଠି ଝିପିଝିପି ତ ଆଉ କେଉଁଠି ଅସରାଏ ବର୍ଷା ଭିଜାଇଛି ମାଟି । ଯେମିତି ପହିଲି ରଜକୁ ସ୍ବାଗତ କରିଛି ବର୍ଷା । ଏହାରି ଭିତରେ ସଜେଇ ହୋଇଉଠିଛି ପୁରପଲ୍ଲୀ । ହାତରେ ମେହେନ୍ଦି, ପାଦରେ ଅଳତା ସାଙ୍ଗକୁ ନୂଆ ପୋଷାକରେ ସଜେଇ ହୋଇ କୁଆଁରୀଠୁ ମହିଳା, ସମସ୍ତେ ମାତିଯାଇଛନ୍ତି ଦୋଳି ଖେଳରେ । ରଜଗୀତର ତାଳେତାଳେ ଚାଲିଛି ମଉଜ ମସ୍ତି । ରଜପାନର ମଜା, ଏପଟେ ଘରେ ଘରେ ପିଠା ମିଠାର ଆସର । ଗାଁ ଠୁ ସହର ସବୁଠି ରଜ ମଉଜ ।
ଧରିତ୍ରୀ ଏବେ ରଜସ୍ବଳା । ସେଥିପାଇଁ ରଜ ତିନିଧରି ମାଟି ଖୋଳା ଆଉ ଚାଷ କରିବା ଉପରେ ରହିଛି ବାରଣ । ଏଥିପାଇଁ ଚାଷ କାମ ବନ୍ଦ ଥିବାବେଳେ ମହିଳାମାନେ ମଧ୍ୟ କଟାବଟା କରନ୍ତି ନାହିଁ । ପହିଲି ରଜ, ରଜସଙ୍କ୍ରାନ୍ତି, ଶେଷ ରଜ- ତିନିଦିନ ଧରି ପିଲାଠୁ ବୟସ୍କ କାମଧନ୍ଦା ବନ୍ଦ କରି ସମସ୍ତେ ମାତିଯାଇଥାନ୍ତି ମଉଜରେ । ଖାସ୍ ସେଥିପାଇଁ ତ, ବର୍ଷ ବର୍ଷ ଧରି ରହି ଆସିଥିବା ଏଇ ପରମ୍ପରାକୁ ବରଷକ ଥରେ ପାଳିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ତେବେ ଆଜିର ଆଧୁନିକ ଯୁଗରେ ମଧ୍ୟ ରଜ ପରମ୍ପରା ବଞ୍ଚି ରହିଛି ।
