ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ପଂଚମ ସଂସ୍କରଣ
ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବା ଦିଗରେ ପରାମର୍ଶ ଦେବେ ।
କୋଭିଡ୍ କଟକଣା କାରଣରୁ କେବଳ ଦିଲ୍ଲୀ ଏନସିଆର, ଉତରପ୍ରଦେଶ ଏବଂ ହରିୟାଣାର ୧ ହଜାର ଛାତ୍ରଛାତ୍ରୀଙ୍କୁ ତାଲକଟୋରା ଷ୍ଟାଡ଼ିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଛି । ଚଳିତ ଥର ପ୍ରଥମ ଥର ପାଇଁ ସବୁ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହି କାର୍ଯ୍ୟକ୍ରମକୁ ଦେଖିବାର କାର୍ଯ୍ୟକ୍ରମ ରହିଛି । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସବୁ ଅନୁଷ୍ଠାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ, ନର୍ସିଂ ସ୍କୁଲ ତଥା ଭାରତ ସରକାରଙ୍କ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ କରାଯିବାର ମଧ୍ୟ ଯୋଜନା ରହିଛି । ବିଦେଶରୁ ମଧ୍ୟ ଭର୍ଚ୍ଚୁଆଲ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଡିହେବେ । କାର୍ଯ୍ୟକ୍ରମରେ ଓଡ଼ିଶାରୁ ପ୍ରାୟ ୨୬,୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ୪୯୮୬ ଶିକ୍ଷକ-ଶିକ୍ଷୟିତ୍ରୀ, ୧୨୨୩ ଅଭିଭାବକ ଯୋଗଦେବେ ।
ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ରେଡ଼ିଓ ଚ୍ୟାନେଲ, ବିଭିନ୍ନ ଟିଭି ଚ୍ୟାନେଲ ସମେତ, ଶିକ୍ଷା ମନ୍ତ୍ରଣାଳୟ, ନରେନ୍ଦ୍ର ମୋଦୀ, ପିଏମଓ ଇଣ୍ଡିଆ, ପିଆଇବି ଇଣ୍ଡିଆ ଭଳି ଡ଼ିଜିଟାଲ ପ୍ଲାଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲ ସମେତ ଦୂରଦର୍ଶନ ନ୍ୟାସନାଲ, ଡ଼ିଡି ନ୍ୟୁଜ୍, ମାଇ ଗଭ.ଇଣ୍ଡିଆ, ସଂସଦ ଟିଭି ଏବଂ ସ୍ୱୟଂପ୍ରଭାରେ ସିଧାସଳଖ ପ୍ରସାରଣ କରାଯିବ ।
