ଆଜି ପବିତ୍ର ବଡ଼ଦିନ ! ଧରାପୃଷ୍ଠରେ ପ୍ରଭୁ ଯୀଶୁ
ଆଜି ପବିତ୍ର ବଡ଼ଦିନ ବା ଖ୍ରୀଷ୍ଟମାସ। ଗତ ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ସବୁଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ । ଏହା ଖ୍ରୀଷ୍ଟିୟାନମାନଙ୍କ ପ୍ରମୁଖ ପର୍ବ। ପ୍ରତି ବର୍ଷ ଡିସେମ୍ବର ୨୫ରେ ଯୀଶୁଙ୍କ ଜନ୍ମଦିନ ଅବସରରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ।
ବଡଦିନର ଏହି ମହାର୍ଘ୍ୟ ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ଚର୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗିଥିଲା ଗହଳ ଚହଳ । ଠିକ ମଧ୍ୟ ରାତିରେ ପ୍ରତୀକଧର୍ମୀ ଗହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଶୁଭେଚ୍ଛାର ପର୍ବ । ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ବାଇବେଲ ପାଠ ଓ ପ୍ରାର୍ଥନାରେ ମସଗୁଲ ହୋଇଥିଲେ ସାରା ଖ୍ରୀଷ୍ଟିଆନ ସଂପ୍ରଦାୟ ।

ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମବିଧି ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଚର୍ଚ୍ଚ ପରିସରରେ ନିର୍ମିତ ଅସ୍ଥାୟୀ ଗୁହାଳରୁ ଫାଦର ନବଜାତ ଯିଶୁଙ୍କ ମୂର୍ତ୍ତି ଚର୍ଚ୍ଚକୁ ଆଣିଥିଲେ। ଏହି ଅବସରରେ ସୁଶ୍ରାବ୍ୟ ସଙ୍ଗୀତ ଗାନ କରାଯାଇଥିଲା। ଚର୍ଚ୍ଚ ପରିସରରେ ସୃଷ୍ଟି ହୋଇଥିଲା ଆବେଗପୂର୍ଣ୍ଣ ତଥା ଭାବଗମ୍ଭୀର ପରିବେଶ। ଫାଦର ନବଜାତ ଯିଶୁଙ୍କ ମୂର୍ତ୍ତି ପ୍ରାର୍ଥନା ଗୃହକୁ ନେଇଥିଲେ। ସମବେତ ଶ୍ରଦ୍ଧାଳୁମାନେ ଯିଶୁଙ୍କ ମୂର୍ତ୍ତିକୁ ଚୁମ୍ବନ ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ ପ୍ରଭୁ ଯିଶୁଙ୍କ ଉଦ୍ଦେଶ୍ୟରେ ଦିବ୍ୟ ପ୍ରସାଦ ସମର୍ପଣ କରାଯିବା ସହିତ ସମବେତ ଶ୍ରଦ୍ଧାଳୁଙ୍କୁ ବିତରଣ କରାଯାଇଥିଲା। ବଡ଼ଦିନ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର ମଧ୍ୟରାତ୍ର ପ୍ରାର୍ଥନା ସମାବେଶ ପରେ ଶ୍ରଦ୍ଧାଳୁମାନେ ପରସ୍ପରକୁ ଆଲିଙ୍ଗନ ପୂର୍ବକ ଅଭିନନ୍ଦନ ଜଣାଇଥିଲେ। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଉଥିଲା ବେଳେ ଆଜିକାଲି ପ୍ରାୟତଃ ସବୁ ସ୍ଥାନରେ ଏହି ପବିତ୍ର ଦିବସର ଆଦର ଦେଖାଯାଉଛି।
ଧାର୍ମିକ ଓ ପାରମ୍ପରିକ ପର୍ବ ଭାବେ ଏହି ଉତ୍ସବ ୧୨ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ତାଙ୍କର ଶୁଭକାମନା କରିଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ ଟ୍ରି ଓ ସାଣ୍ଟା କ୍ଲସ। ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜାଯାଉଥିବା ବିଶ୍ଵାସ କରାଯାଉଛି।
ସାଣ୍ଟାକ୍ଲଜ ବିଷୟରେ ଅନେକ ଲୋକକଥା ରହିଛି । ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ମତରେ ସନ୍ଥ ନିକୋଲାସଙ୍କୁ ହିଁ ସାଣ୍ଟାକ୍ଲଜ ଭାବେ ବର୍ଣ୍ଣିତ କରାଯାଇଛି । ସନ୍ଥ ନିକୋଲସଙ୍କୁ ମାୟରାର ଜଣେ ଏପରି ବ୍ୟକ୍ତିଙ୍କ ବି।ୟରେ ସୂଚନା ମିଳିଲା, ଯିଏ କି ବହୁତ ଧନଶାଳୀ ଥିଲା କିନ୍ତୁ କିଛି ସମୟ ପରେ ବ୍ୟାପାରରେ ପ୍ରବଳ କ୍ଷତି ହେବାରୁ ସେ କାଙ୍ଗାଳ ହୋଇଯାଇଥିଲା। ସେହି ବ୍ୟକ୍ତିଙ୍କର ଚାରୋଟି ଝିଅ ଥିଲେ କିନ୍ତୁ ତାଙ୍କର ବିବାହ ପାଇଁ ତା’ ପାଖରେ କିଛି ବଞ୍ଚି ନଥିଲା। ଏପରିକି ତା’ ପରିବାର ପାଇଁ ଖାଇବାକୁ ମଧ୍ୟ କିଛି ନ ଥିଲା। ଏହାପରେ ନିଜର ପରିବାରର ଏତେ ଖରାପ ଅବସ୍ଥା ଦେଖି ପାରିଲାନାହିଁ ସେହି ବ୍ୟକ୍ତି। ଝିଅମାନେ ବଡ଼ ହେଲେ ଏବଂ ବିବାହ ଯୋଗ୍ୟ ହେଲେ। ସେତେବେଳେ ସେ ନିଷ୍ପତ୍ତି କଲେ କି ତାଙ୍କର ଚାରି ଝିଅଙ୍କ ମଧ୍ୟରୁ ଜଣେ ଝିଅକୁ ବିକ୍ରୀ କରିଦେବେ। ଏଥିରୁ ମିଳିବା ଟଙ୍କାରେ ନିଜ ପରିବାରର ପାଳନ-ପୋଷଣ କରିବା ସହ ଅନ୍ୟ ଝିଅ ମାନଙ୍କର ବିବାହ କରିବେ। ଆସନ୍ତା ଦିନରେ ନିଜର ଗୋଟିଏ ଝିଅକୁ ବିକ୍ରୀକରିବା ପାଇଁ ବିଚାର କରି ରାତିରେ ଶୋଇପଡ଼ିଥିଲେ। କିନ୍ତୁ ସେହି ଦିନ ରାତିରେ ସନ୍ଥ ନିକୋଲସ ତା’ର ଘର ପହଁଞ୍ଚିଲେ ଏବଂ ଚୁପଚାପ୍ ଝରକା ବାଟଦେଇ ସୁନା ମୁଦ୍ରାରେ ଭରା ଏକ ମୁଣା ଘରେ ପକାଇ ଚାଲିଗଲେ।ସକାଳେ ଯେତେବେଳେ ସେହି ବ୍ୟକ୍ତିଜଣଙ୍କର ନିଦ ଭାଙ୍ଗିଲା ଏବଂ ସେ ସୁନା ମୁଦ୍ରା ଦେଖି ପାଖରେ ପଡ଼ିଥିବା ଦେଖିଲେ ସେତେବେଳେ ତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଏବଂ ଭାବିଲେ ଏହି ବ୍ୟାଗ ଏଠାକୁ କୁଆଡ଼ୁ ଆସିଲା ? ଆଖପାଖ ଚାରିପଟେ ଦେଖିଲେ କିନ୍ତୁ ତାଙ୍କୁ କେହି ଦେଖାଗଲେ ନାହିଁ। ସେତେବେଳେ ସେ ଈଶ୍ଵରଙ୍କର ଧନ୍ୟବାଦ ଦେଲେ ଏବଂ ବ୍ୟାଗକୁ ନିଜ ପାଖରେ ରଖିଲେ ଏବଂ ବଡ଼ ଧୂମଧାମରେ ନିଜର ଚାରିଝିଅଙ୍କର ବିବାହ କଲେ। ପରେ ତାଙ୍କୁ ଜଣାପଡ଼ିଲା କି ଏହି ମୁଣାଟି ସନ୍ଥ ନିକୋଲସ ହିଁ ତାଙ୍କର ଝିଅମାନଙ୍କର ବିବାହ ପାଇଁ ତା’ ଘର ଛାଡ଼ିଥିଲେ।
