ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ
ଭୁବନେଶ୍ୱର : ଆଜି ମାର୍ଚ୍ଚ ୫ ତାରିଖ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ । ଟଲ୍ମ୍ୟାନଙ୍କୁ ମନେପକାଉଛି ସାରା ଓଡ଼ିଶା । ୧୯୧୬ ମସିହା ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ବିଜୟାନନ୍ଦ ପଟ୍ଟନାୟକ । ବାଲ୍ୟ ଜୀବନରୁ ଥିଲେ ସାହସୀ ଓ ଦେଶପ୍ରେମୀ । ବିଜୁ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ବିକାଶ ଯାତ୍ରାର ସଫଳ ମହାନାୟକ । ତାଙ୍କ ଆଦର୍ଶକୁ ଆଧାର କରି ବିଜେଡି ରାଜ୍ୟର ବିକାଶ ଯାତ୍ରା ଜାରି ରଖିଛି । ସେପଟେ ଏହି ଅବସରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ କରିଛନ୍ତି ପ୍ରତିମୂର୍ତ୍ତୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ଦେବୀଙ୍କର କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ପୁତ୍ର ବିଜୟାନନ୍ଦ ପଟ୍ଟନାୟକ ଜନ୍ମ ହୋଇଥିଲା ।ବିଜୁ ବାବୁ କଟକ ମିଶନ୍ ସ୍କୁଲ ଓ ରେଭେନ୍ସା କଲିଜିଏଟରେ ପାଠ ପଢ଼ି ୧୯୩୨ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ କଲେ । ପିଲାଟିଦିନରୁ ସେ ନିର୍ଭୀକ, ଦୁଃସାହସିକ ଓ ଖେଳପ୍ରିୟ ଥିଲେ । ୧୯୩୫ରେ ବିମାନ ଚାଳନା ଶିକ୍ଷା ପାଇଁ ସେ ଦିଲ୍ଲୀ ଯାଇଥିଲେ । ଶିକ୍ଷା ପରେ ଲାଇସେନ୍ସ ପାଇ ଭାରତୀୟ ଜାତୀୟ ଏଆରଓଏଜରେ ପାଇଲଟ୍ ଚାକିରି କଲେ । ପାଇଲଟ୍ ତାଲିମ ନେଉଥିବା ସମୟରେ ସେ ମହିଳା ସାଥି ଜ୍ଞାନଙ୍କୁ ଜାଣିଲେ । ରାଉଲପିଣ୍ଡିର ଶିଖ୍ ପରିବାରର ଝିଅ ଥିଲେ ଜ୍ଞାନ ।
ସେ ଦେଶରେ ପାଇଲଟ୍ ଲାଇସେନ୍ସ ପାଇବାରେ ପ୍ରଥମ ମହିଳା । ୧୯୩୯ରେ ଉଭୟଙ୍କର ବିବାହ ହେଲା । ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ବିଜୁ ପଟ୍ଟନାୟକ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିଥିଲେ । କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ୧୯୯୭, ଏପ୍ରିଲ୍ ୧୭ରେ ପ୍ରାଣ ହରାଇଥିଲେ । ସେବା ଓ ସ୍ବାଭିମାନ ଥିଲା ବିଜୁବାବୁଙ୍କ ଆଦର୍ଶ । ବିଜୁଙ୍କ ବୀରତ୍ବର ଗାଥା ହେଉ କି ଓଡ଼ିଶା ପାଇଁ ତାଙ୍କର ଅବଦାନ ସବୁବେଳେ ପ୍ରତିଟି ଜନମାନସରେ ତାଙ୍କୁ ଅମର କରିଦେଇଛି । ଏଥିପାଇଁ ତ ଆଜିର ଦିନ ମାନେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛନ୍ତି ।
