ଦେଶରେ କମୁଛି ସଂକ୍ରମଣ : ଆଉ ୩୪,୭୦୦ ସଂକ୍ରମିତ ଚିହ୍ନଟ ଓ ୫୫୩ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ତଳେ ରହିଛି। ଏହା ଗତ ୧୧୧ ଦିନ ମଧ୍ୟରେ ସର୍ବନିମ୍ନ ସଂକ୍ରମଣ। ଦେଶରେ ଆରୋଗ୍ୟଙ୍କ ପ୍ରତିଶତ ୯୭.୧୭ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରମିତ ୫ଟି ରାଜ୍ୟ ମଧ୍ୟରେ ରହିଛି କେରଳ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଓ ଓଡ଼ିଶା। ଏହି ୫ଟି ରାଜ୍ୟରେ ନୂଆ କରି ୬୯.୫୮% କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ଚିହ୍ନଟ ହୋଇଛନ୍ତି ୨୩.୧୬% ନୂଆ ଆକ୍ରାନ୍ତ। ତେବେ କରୋନା ବିରୁଧରେ ଲଢ଼ିବା ପାଇଁ ଏବେ ସୁଦ୍ଧା ଦେଶରେ ୩୫.୭୫ କୋଟି ଟିକାକରଣ ହୋଇ ସାରିଲାଣି। ସେହିଭଳି ଦୈନିକ ସୁସ୍ଥ ହେବା ସଂଖ୍ୟା ଲଗାତର ୫୪ ଦିନ ଧରି ଆକ୍ରାନ୍ତଙ୍କ ଠାରୁ ଯଥେଷ୍ଟ ଅଧିକ ରହୁଛି। ସେହିଭଳି ଦେଶରେ ସାପ୍ତାହିକ ସଂକ୍ରମଣ ହାର ହାରାହାରି ୨.୪% ରହିଥିବା ଜଣାଯାଇଛି। ସେହି ସମୟରେ ଦୈନିକ ସଂକ୍ରମଣ ହାର ହାରାହାରି ୨.୧୧% ରହିଛି ଏବଂ କ୍ରମାଗତ ୧୫ ଦିନ ହେଲା ଏହା ୩% ତଳେ ରହୁଛି।
ମଙ୍ଗଳବାର ଗତ ୨୪ଘଣ୍ଟାରେ ୩୪ହଜାର ୭୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୫୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୫୧,୮୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୬ଲକ୍ଷ ୧୯ହଜାର ୯୩୨କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩ହଜାର ୨୮୧ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୯୭ଲକ୍ଷ ୫୨ହଜାର ୨୯୪ ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୬୪ହଜାର ୩୫୭ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
