ଦେଶରେ ଆଉ ୩୯,୭୯୬ କରୋନା ସଂକ୍ରମିତ ଚିହ୍ନଟ ଓ ୭୨୩ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ତଳେ ରହିଛି। ଦେଶରେ ସଂପ୍ରତି ସକ୍ରିୟ ସଂକ୍ରମିତ ସଂଖ୍ୟା ୧.୫୮% ରହିଛି । ଦେଶରେ କ୍ରମାଗତ ୫୩ ଦିନ ପାଇଁ ଦୈନିକ ସୁସ୍ଥ ହାର ସଂକ୍ରମଣ ତୁଳନାରେ ଅଧିକ ରହୁଛି । ସୁସ୍ଥ ହାର ୯୭.୧୧% ରହିଥିବା ଜଣାଯାଇଛି । ସେହିଭଳି ଦୈନିକ ସଂକ୍ରମଣ ହାର ୨୮ ଦିନ ଧରି ହାରାହାରି ୨.୬୧% ରହିଛି, ଯାହା ନିୟନ୍ତ୍ରଣ ସ୍ତର ୫% ତଳେ ରହୁଛି । ଦେଶରେ କୋଭିଡ ନମୁନା ପରୀକ୍ଷଣ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି ଏବଂ ଏପର୍ଯ୍ୟନ୍ତ ମୋଟ ୪୧.୯୭ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଏଥିସହିତ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ମୁଖ୍ୟ ପଦକ୍ଷେପ ସ୍ୱରୂପ ମୋଟ ୩୫.୨୮ କୋଟି ପାନ ଟିକା ଦିଆଯାଇସାରିଛି ।
ସୋମବାର ଗତ ୨୪ଘଣ୍ଟାରେ ୩୯ ହଜାର ୭୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୨୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୪୨ହଜାର ୩୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫ ଲକ୍ଷ ୮୫ ହଜାର ୨୨୯କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨ହଜାର ୭୨୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୯୭ଲକ୍ଷ ୪୩୦ ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୮୨ହଜାର ୦୭୧ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
