ଦେଶରେ ଆଉ ୪୮,୬୯୮ କରୋନା ସଂକ୍ରମିତ ଚିହ୍ନଟ ଓ ୧,୧୮୩ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହାରି ଭିତରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୮ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୧ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୩୧,୫୦,୪୫,୯୨୬ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେହିପରି ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୨୫ ତାରିଖ ସୁଦ୍ଧା ସମୁଦାୟ ୪୦,୧୮,୧୧,୮୯୨ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୭,୪୫,୮୦୯ଟି ନମୁନା।
ଶନିବାର ଗତ ୨୪ଘଣ୍ଟାରେ ୪୮ହଜାର ୬୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ହଜାର ୧୮୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୬୪ହଜାର ୮୧୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୦୧ଲକ୍ଷ ୮୩ହଜାର ୧୪୩କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୯୪ହଜାର ୪୯୩ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୯୧ଲକ୍ଷ ୯୩ହଜାର ୦୮୫ଜଣ ସୁସ୍ଥ ହୋଇଥିବା ବେଳେ ୫ଲକ୍ଷ ୯୫ହଜାର ୫୬୫ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
