ଆଜି ପ୍ରଥମ ଟି-୨୦! ଅପରାଜେୟ ଲକ୍ଷ୍ୟରେ ଭାରତ, ଆହତ ସମସ୍ୟାର ଫାଇଦା ଉଠାଇବ ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମୁକାବିଲା ଗୁରୁବାର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଖେଳାଯିବ। ଗୋଟିଏ ପଟେ ଭାରତୀୟ ଦଳ ତା’ର ଅପରାଜେୟ ଧାରାକୁ ଲମ୍ବାଇବା ଲକ୍ଷ୍ୟ ରଖିଥିଲା ବେଳେ ଦକ୍ଷିଣ ଆଫ୍ରିକା ଘରୋଇ ଦଳର ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସାଙ୍ଗକୁ ଆହତ ସମସ୍ୟାରୁ ଭରପୁର ଫାଇଦା ଉଠାଇବା ଲକ୍ଷ୍ୟ ରଖିଛି। ଭାରତ ଏହି ଶୃଙ୍ଖଳା ପୂର୍ବରୁ କ୍ରମାଗତ ଭାବେ ୧୨ ମ୍ୟାଚ୍ ଜିତି ଅପରାଜେୟ ରହିଛି। ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିଲେ ଏହି ଧାରା ୧୩କୁ ଲମ୍ବିବ। ପୁଣି ଶେଷ ୧୦ ଦ୍ବିପାକ୍ଷିକ ଶୃଙ୍ଖଳାରେ ଭାରତ ମାତ୍ର ଗୋଟିଏ ହାରିଛି। ଡିସେମ୍ବର ୨୦୧୯ଠାରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍କୁ ଦୁଇଥର, ଶ୍ରୀଲଙ୍କାକୁ ୨ ଥର, ନ୍ୟୁଜିଲାଣ୍ଡକୁ ୨ ଥର, ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ପରାସ୍ତ କରିଛି। ଭାରତୀୟ ଦଳର ବିଜୟ ନେଇ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ ମଧ୍ୟ ଆଶାବାଦୀ ରହିଛନ୍ତି।
ଅନ୍ୟପଟେ ଭାରତର ଅପରାଜେୟ ଧାରାରେ ଲଗାମ ଦେବାକୁ ପୂରା ଶକ୍ତି ନେଇ ଭାରତ ଆସିଥିବା ତେମ୍ବା ବଭୂମାଙ୍କ ଦଳ ପ୍ରୟାସ କରିବ। ଦକ୍ଷିଣ ଆଫ୍ରିକା ଭାରତରେ ୨ଟି ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିଥିଲା ବେଳେ ଆଦୌ ହାରିନାହିଁ। ୨୦୧୫ରେ ଏହି ଭ୍ରମଣକାରୀ ଦଳ ୨-୦ରେ ଶୃଙ୍ଖଳା ଜିତିଥିଲା ବେଳେ ୨୦୧୯ରେ ୧-୧ରେ ଅମୀମାଂସିତ ରଖିଥିଲା। କାଗିସୋ ରବାଦା ଆଉ ଗୋଟିଏ ୱିକେଟ୍ ନେଲେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୫୦ ପୂରଣ କରିବେ। ଏକ୍ଷେତ୍ରରେ ସେ ଇମ୍ରାନ ତାହିର, ଡେଲ୍ ଷ୍ଟେନ୍ ଓ ତାବ୍ରିଜ ସାମ୍ସିଙ୍କ ପରେ ଚତୁର୍ଥ ଦକ୍ଷିଣ ଆଫ୍ରିକା ବୋଲର ହେବାର ମାଇଲଖୁଣ୍ଟ ଛୁଇଁବେ।
କୋଟ୍ଲା ପଡ଼ିଆରେ ଏହା ପୂର୍ବରୁ ଖେଳାଯାଇଥିବା ୬ ଟ୍ବେଣ୍ଟି-୨୦ ମ୍ୟାଚ୍ ଅବସରରେ ପିଚ୍ ଉଭୟ ବ୍ୟାଟର୍ ଓ ବୋଲରଙ୍କୁ ସୁହାଇବା ଦେଖାଯାଇଛି। ଏଠାରେ ଟସ୍ର ଗୁରୁତ୍ବ ରହିନି। କାରଣ ୬ ମ୍ୟାଚ୍ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ ଥର ଜିତିଥିଲା ବେଳେ ପିଛା କରିଥିବା ଦଳ ମଧ୍ୟ ସମାନ ୩ ଥର ଜିତିଛି। ତେବେ ଟସ୍ ଜିତିବା ଅଧିନାୟକ ହିଁ ୫ ଥର ପ୍ରଥମେ ବୋଲିଂ ନେଇଛନ୍ତି। ଏଠାରେ ପ୍ରଥମ ପାଳିର ହାରାହାରି ସ୍କୋର୍ ୧୫୬ ରହିଛି। ପିଚ୍ରୁ ଲୋ ବାଉଁସ ମିଳୁଥିଲେ ମଧ୍ୟ ଯଥେଷ୍ଟ ଟର୍ନ କରିବନି। ଅନ୍ୟପକ୍ଷରେ ଆସନ୍ତାକାଲି ପାଗ ଅନୁକୂଳ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ସମ୍ଭାବ୍ୟ ଭାରତୀୟ ଦଳ:
ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଶ୍ରେୟସ ଆୟର, ଋଷଭ ପନ୍ତ୍ (ଅଧିନାୟକ/ୱିକେଟ୍ରକ୍ଷକ), ହାର୍ଦିକ୍ ପାଣ୍ଡ୍ୟା (ଉପଅଧିନାୟକ), ଦୀପକ ହୁଦା/ଦୀନେଶ କାର୍ତିକ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଅଭେଶ ଖାନ୍, ରବି ବିଷ୍ଣୋଇ/ଅକ୍ଷର ପଟେଲ, ୟୁଜ୍ବେନ୍ଦ୍ର ଚହଲ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ:
କ୍ବିଣ୍ଟନ ଡି’କକ୍ (ୱିକେଟ୍ରକ୍ଷକ), ରିଜା ହେଣ୍ଡ୍ରିକ୍ସ, ତେମ୍ବା ବଭୂମା (ଅଧିନାୟକ), ଏଦେନ୍ ମର୍କରାମ, ରାସି ଭାନ୍ ଦେର୍ ଦୁସେଁ/ତ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ ମିଲର, ଡ୍ବାନ୍ ପ୍ରିଟୋରିଅସ, କାଗିସୋ ରବାଦା, ଅନ୍ରିକ୍ ନର୍ଖିୟା, ମାର୍କୋ ଜାନ୍ସେନ୍.ଲୁଙ୍ଗି ଏନ୍ଗିଡ଼ି, ତାବ୍ରିଜ ସାମ୍ସି।
