ଆଜି ବିଭିନ୍ନ ସେକ୍ଟରରେ ଥିବା ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ଆସନ୍ତା ୨୦୨୨-୨୩ ବଜେଟ୍ ପୂର୍ବ ବିଚାର ବିମର୍ଶର ଏକ ଅଂଶ ଭାବରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ସେକ୍ଟରରେ ଥିବା ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିସହ ସେ ମଧ୍ୟ ସେବା, ବାଣିଜ୍ୟ କ୍ଷେତ୍ର ବିଶେଷଜ୍ଞମାନଙ୍କ ସହ ପୂର୍ବାହ୍ନରେ ଆଲୋଚନା ପରେ ମଧ୍ୟାହ୍ନରେ ଶିଳ୍ପ, ଭିତ୍ତିଭୂମି ଏବଂ ଏବଂ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଏହା ମୋଦି ୨.୦ ସରକାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଚତୁର୍ଥ ବଜେଟ୍ ହେବ । କୋଭିଡ-୧୯ ମହାମାରୀ କାରଣରୁ ଅର୍ଥନୀତି କ୍ଷେତ୍ରରେ ବିଶେଷ ପ୍ରଭାବ ପଡିଛି । ଏହାର ପୁନରୁଦ୍ଧାର କ୍ଷେତ୍ରରେ ଚଳିତ ବଜେଟରେ ବିଶେଷ ଦୃଷ୍ଟି ।
ଏହି ଆର୍ଥିକ ବର୍ଷର ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ହେବ ବୋଲି ଆଶା କରାଯାଉଛି । ଆରବିଆଇ ଏହାର ସର୍ବଶେଷ ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷାରେ ଜିଡିପି ଅଭିବୃଦ୍ଧି ୨୦୨୧-୨୨ ରେ ୯.୫ ପ୍ରତିଶତ ଧାର୍ଯ୍ୟ କରିଛି । ମୋଟ ଘରୋଇ ଉତ୍ପାଦ (ଜିଡିପି) ର ୬.୮ ପ୍ରତିଶତ ଆର୍ଥିକ ନିଅଣ୍ଟକୁ ସରକାର ଆକଳନ କରିଛନ୍ତି । ସୂଚନା ଯେ, ୨୦୨୨-୨୩ ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଥିବା ହିତାଧିକାରୀମାନଙ୍କ ସହ ପ୍ରି-ବଜେଟ ଆଲୋଚନା କରୁଛନ୍ତି ।
