ଆଜି ଦେବ ଦୀପାବଳି : ମହାପ୍ରଭୁ କରିବେ ପିଣ୍ଡଦାନ, ଉଠିବ ମହାଦୀପ
ପୁରୀ : ଆଜି ଦେବ ଦୀପାବଳି । ଏହି ପବିତ୍ର ତିଥି ଶୁୁକ୍ରବାର ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ଦେବ ଦିପାବଳୀ ପାଳିତ ହେବ। ଏହି ଅବସରରେ ପୁରୀର ଯୁବ ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ସୁନ୍ଦର ଡିଜିଟାଲ ଚିତ୍ର ଆଙ୍କିଛନ୍ତି। ଏହିଦିନରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରିଥାନ୍ତି। ଏଥିସହ ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ। ତେଣୁ ଏହାକୁ ‘ଦେବ ଦୀପାବଳି’ କୁହାଯାଏ। ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି। ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ସଂନ୍ଧ୍ୟାଧୁପ ପରେ ତିନୋଟି ମହାଦୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିଥାଏ।
ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବ। ଜୟବିଜୟ ଦ୍ୱାର ନିକଟରେ ମଧ୍ଯ ଚାଉଳ ଗଛ ସହ ଦୀପ ସମର୍ପଣ କରାଯାଏ। ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଆଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି। ତେବେ ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି।
ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି। ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ ହାତ, ଶ୍ରୀବଳଭଦ୍ର ୧୪ ହାତ ଓ ଦେବୀ ଶୁଭଦ୍ରା ୧୨ ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି। ଏହି ପବିତ୍ର ଦେବଦୀପାବଳୀ ଅବସରରେ ପୁରୀର ଚିତ୍ରଶିଳ୍ପୀ ସୁର୍ଯ୍ଯକାନ୍ତ ଆଙ୍କିଛନ୍ତି ଏକ ଆକର୍ଷଣୀୟ ଡିଜିଟାଲ ଚିତ୍ରକଳା। ଏଥିରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ମହାଦୀପ ଜାଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
