ଆଜି ତାରାତାରିଣୀ ମନ୍ଦିର ଯିବେ ମୁଖ୍ୟମନ୍ତ୍ରୀ, ଉଦ୍ଘାଟନ ହେବ ବିଭିନ୍ନ ଉନ୍ନୟନ ପ୍ରକଳ୍ପ
ଛତ୍ରପୁର : ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ତଥା ପ୍ରମୁଖ ଶକ୍ତିପୀଠ ମା’ ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ମେ’ ୧୮ ତାରିଖ ଅର୍ଥାତ ବୁଧବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ୍ ତାରାତାରିଣୀ ପୀଠ ଗସ୍ତ କରିଛନ୍ତି। ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ପ୍ରସିଦ୍ଧ ମା' ତାରାତାରିଣୀ ପୀଠର ନୂତନ ଭବ୍ୟ ମନ୍ଦିର ଏବଂ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଅବସରରେ ଆଲୋକମାଳାରେ ସୁସଜ୍ଜିତ ମନ୍ଦିର ପରିସରର ଏ ଦୃଶ୍ୟ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ମା'ଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ।
— Naveen Patnaik (@Naveen_Odisha) May 17, 2022
ଜୟ ମା' ତାରାତାରିଣୀ? pic.twitter.com/Oi2zTOsejD
ଏହି ସମୟରେ ଶ୍ରଦ୍ଧାଳୁ ଯେଭଳି ସୁରକ୍ଷିତ ଭାବେ ମା’ଙ୍କୁ ଦର୍ଶନ କରିପାରିବେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ମନ୍ଦିର ପରିସରରେ ପାର୍କିଂ ଓ ପାନୀୟଜଳଠୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ଉତ୍ସବରେ ବିଧାୟକମାନଙ୍କ ସହ ନବନିର୍ବାଚିତ ଜନପ୍ରତିନିଧି ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସାମିଲ ହେବେ। ଆସନ୍ତାକାଲି ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ରହିଛି। ୧୬ ତାରିଖରେ ଜଳଯାତ୍ରା, ଯଜ୍ଞାରମ୍ଭ, ବ୍ରାହ୍ମଣ ବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର ଓ ପୂଜାହୋମ, ୧୭ରେ ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ତିପାଠ, ମହାରୁଦ୍ରାଭିଷେକ, ପାର୍ଶ୍ବ ଦେବାଦେବୀଙ୍କ ସପ୍ତାଧିବାସ କାର୍ଯ୍ୟକମ ହୋଇଥିଲା। ଆସନ୍ତାକାଲି ସୂର୍ଯ୍ୟପୂଜା ସହ ମଣ୍ତଳଦେବତା ପୂଜା, ହୋମ, ଦଶମହାବିଦ୍ୟା, ଯଜ୍ଞ, ୧୯ରେ ସୂର୍ଯ୍ୟପୂଜା ଓ ୨୦ରେ ତ୍ରିଶୂଳ ଓ ପାର୍ଶ୍ବଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନ ସିଂହାସନ ବିଜେ ଏବଂ ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୁତି ହେବ। ସେହିପରି ଅନ୍ୟାନ୍ୟ ନୀତି ମଧ୍ୟ ସଂପନ୍ନ କରାଯିବ। ସୂଚନା ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଯଜ୍ଞ ମଣ୍ତପ, ପ୍ରାଶାସନିକ ଗୃହ, ମାକେର୍ଟ କମ୍ପ୍ଲେକ୍ସ୍, ଭୋଗ ବ ଣ୍ଟନ ଗୃହ ଓ ଦୀପ ଘର ଆଦି ନିର୍ମାଣ କରାଯାଇଛି। ଏହାସହ ମନ୍ଦିରର ସୌନ୍ଦର୍ଯ୍ୟୀକରଣକୁ ବୃଦ୍ଧି ପାଇଁ ବୃକ୍ଷରୋପଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।
