ଆଜି ଚନ୍ଦ୍ରଯାନ-୩ ଉତ୍କ୍ଷେପଣ, ଅପରାହ୍ନ ୨ଟା ୩୫ ମିନିଟରେ ଅନ୍ତରୀକ୍ଷକୁ କରିବ ଯାତ୍ରା
ନୂଆଦିଲ୍ଲୀ : ଆଜି ଇସ୍ରୋର ଚନ୍ଦ୍ରଯାତ୍ରା। ଭାରତର ତୃତୀୟ ମୁନ ମିସନ ପାଇଁ ଚାଲିଛି କାଉଣ୍ଟଡାଉନ ଚନ୍ଦ୍ରଯାନ-୩ । ସମସ୍ତ ପରୀକ୍ଷାନିରୀକ୍ଷା ଏବଂ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ଅପରାହ୍ନ ୨ଟା ୩୫ ମିନିଟରେ ଅନ୍ତରୀକ୍ଷକୁ ଯାତ୍ରା କରିବ ସ୍ପେସକ୍ରାଫ୍ଟ ଚନ୍ଦ୍ରଯାନ – ୩ । ଶ୍ରୀହରିକୋଟା ସତିସ ଧାଓ୍ଵନ ସ୍ପେସ୍ ସେଣ୍ଟରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଉତକ୍ଷେପଣ ହେବ।
ଇସ୍ରୋର ବାହୁବଳୀ ରକେଟ୍ – ଲଞ୍ଚ ଭେହିକିଲ Mark- III, ଚନ୍ଦ୍ରଯାନ-୩କୁ ମହାକାଶକୁ ନେବ। ୧୭୦ x ୩୬ହଜାର ୫୦୦ ବର୍ଗକିଲୋମିଟର ପରିଧି ବିଶିଷ୍ଟ ଏଲିପ୍ଟିକାଲ ପାର୍କିିଂ ଅର୍ବିିଟରେ ଏହାକୁ ଅବସ୍ଥାପିତ କରିବ। ଏଠାରୁ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ସ୍ପେସକ୍ରାଫ୍ଟ। ଚନ୍ଦ୍ରାୟନ-୨ର ତ୍ରୁଟି ସଂଶୋଧନ ହୋଇଛି ଚନ୍ଦ୍ରାୟନ-୩ରେ। ଏଥିରେ ରହିଛି ରୋଭର ଓ ଲ୍ୟାଣ୍ଡର। ସବୁ ଠିକଠାକ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ତ୍ରିରଙ୍ଗା ଉଡ଼ାଇବ ଚନ୍ଦ୍ରଯାନ-୩ ।
ଲଞ୍ଚ ହେବାକୁ ଥିବା ‘ଚନ୍ଦ୍ର ମିଶନ୍’ ହେଉଛି ୨୦୧୯ ‘ଚନ୍ଦ୍ରଯାନ-୨’ର ଏକ ଫଲୋଅପ୍ ମିଶନ୍ | ଭାରତର ଏହି ତୃତୀୟ ଚନ୍ଦ୍ର ମିଶନରେ ମଧ୍ୟ ମହାକାଶ ବିଜ୍ଞାନୀମାନେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡରର ‘ସଫ୍ଟ ଲ୍ୟାଣ୍ଡିଂ’ ପାଇଁ ଲକ୍ଷ୍ୟ ରଖିଛନ୍ତି। ‘ଚନ୍ଦ୍ରଯାନ-୨’ ମିଶନର ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ‘ବିକ୍ରମ’ ଲକ୍ଷ୍ୟପଥରୁ ବିଚ୍ୟୁତ ହେବାରୁ ‘ସଫ୍ଟ ଲ୍ୟାଣ୍ଡିଂ’ କରିପାରିନଥିଲା । ଯଦି ଏଥର ମିଶନ ସଫଳ ହୁଏ, ତେବେ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ସଂଘ ଭଳି ଦେଶ କ୍ଲବରେ ସାମିଲ ହେବ ଭାରତ ।
ଇସ୍ରୋ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି, ‘ଏଲଭିଏମ୩ଜମ୍୪-ଚନ୍ଦ୍ରଯାନ-୩ ମିଶନ: ଆସନ୍ତାକାଲି (ଶୁକ୍ରବାର-ଜୁଲାଇ ୧୪) ୧୪:୩୬ ଘଣ୍ଟା (ଅପରାହ୍ନ ୨:୩୫)ରେ ଲଞ୍ଚ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି ।
ସ୍ପେସ୍ ଏଜେନ୍ସି କହିଛି ଯେ ‘ଚନ୍ଦ୍ରଯାନ-୩’ କାର୍ଯ୍ୟକ୍ରମ ଅଧୀନରେ ଇସ୍ରୋ ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ-ଲ୍ୟାଣ୍ଡିଂ’ କରିବା ଏବଂ ଏହାର ଚନ୍ଦ୍ର ପୃଷ୍ଠରେ ରୋଭରର ପରିକ୍ରମା ପ୍ରଦର୍ଶନ କରି ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି ।
