ଆଜି ବନକଲାଗି ନୀତି, ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ବନକଲାଗି ସେବା କରିବେ । ଠାକୁରଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେବ । ସେଥିପାଇଁ ଅପରାହ୍ନ ୪ଟାରୁ ୪ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।
ମହାମାରୀ କରୋନା କଟକଣା ହଟିବା ପରେ ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। ପ୍ରାୟ ଚାରି ମାସ ପରେ ଶ୍ରୀମନ୍ଦିରରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ହେଲେ ଦର୍ଶନ ଆରମ୍ଭର ୨ଦିନ ପରେ ବୁଧବାର ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏହି ୪ଘଣ୍ଟା ମଧ୍ୟରେ ଦ୍ଵିତୀୟ ଭୋଗମଣ୍ଡପରେ ଶ୍ରୀଜିଉଙ୍କର ଶ୍ରୀମୁଖ ସିଂହାର ନୀତି କରାଯିବ। ବନକଲାଗି ପାଇଁ ହିଙ୍ଗୁଳା, ହରିତାଳ, ଶଙ୍ଖ, କେଶର, କପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ । ଏହାପରେ ଠାକୁରଙ୍କ ମହାସ୍ନାନ ବଢି ଯଥାବିଧି ନୀତି ଚାଲିବ । ଏହି ଗୁପ୍ତ ନୀତି ପାଇଁ ଶ୍ରୀମନ୍ଦିରକୁ ୪ଘଣ୍ଟା ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ। ଗୁରୁବାର ସକାଳ ୭ଟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ। ସେପଟେ ୨୭ ତାରିଖରେ ରେଖାପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ସୁବର୍ଣ୍ଣ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ । ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ । ସେଦିନ ଅପରାହ୍ନ ୨ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
