ଆଜି ଆଡ଼ପମଣ୍ଡପ ବିଜେ କରିବେ ତିନିଠାକୁର, ମିଳିବ ଆଡ଼ପ ଅବଢ଼ା
ପୁରୀ : ଶରଧାବାଲିରେ ଅଟକିଛି ୩ ରଥ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ ହୋଇଛନ୍ତି ତିନିଠାକୁର । ମଙ୍ଗଳବାର ଅପରାହ୍ନରେ ତିନି ଠାକୁର ଆଡପ ମଣ୍ଡପକୁ ବିଜେ କରିବେ । ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇପାରିବେ ନାହିଁ। ସେହିପରି ଆଜିଠାରୁ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। କୋଭିଡ କଟକଣା ମଧ୍ୟରେ ସୋମବାର ସନ୍ଧ୍ୟା ପୂର୍ବରୁ ଶେଷ ହୋଇଥିଲା ରଥଟଣା । ମହାପ୍ରଭୁ କାଳିଆ ସାଆନ୍ତ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଯାଇଛନ୍ତି । ମନ୍ଦିରର ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିବାରୁ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହୋଇଥିଲା । ସେବାୟତମାନେ ହସଖୁସିରେ ତିନି ରଥକୁ ସିଂହଦ୍ୱାର ଚକଡ଼ା ଠାରୁ ଶରଧାବାଲି ଚକଡ଼ାକୁ ନେଇ ପହଞ୍ଚାଇଥିଲେ ।
ଶ୍ରୀଜିଉମାନେ ଆଜି ଦିନ ସାରା ରଥାରୁଢ଼ ହୋଇରହିବେ । ମହାପ୍ରଭୁଙ୍କ ସକାଳ ନୀତି ରଥ ଉପରେ ଅନୁଷ୍ଠିତ ହୋଇଛି । ଆଜି ମହାପ୍ରଭୁଙ୍କୁ କେବଳ ଶୁଖିଲା ଭୋଗ ଅର୍ପଣ କରାଯିବ । ସନ୍ଧ୍ୟାରେ ରଥରୁ ଓହ୍ଲାଇ ଶ୍ରୀଜିଉମାନେ ଜନ୍ମବେଦୀକୁ ଯିବେ । ସେଠାରେ ଲୀଳାଖେଳା କରିବେ । ଏଥି ସହିତ ଭକ୍ତମାନଙ୍କୁ ଆଜିଠାରୁ ଆଡ଼ପ ଅଭଡ଼ା ମିଳିବ । ଆଡ଼ପ ଅବଢ଼ାର ବିଶେଷତ୍ୱ ରହିଛି । କାରଣ ଏହା ମହାପ୍ରଭୁଙ୍କ ମାଉସୀ ଶ୍ରୀଗୁଣ୍ଡିଚା ପ୍ରସ୍ତୁତ କରିଥାନ୍ତି । ଅନ୍ୟଦୃଷ୍ଟିରେ କହିବାକୁ ଗଲେ ଆଡ଼ପ ଅବଢ଼ା ବର୍ଷକରେ ଥରଟିଏ ମିଳିଥାଏ । ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରେ ଥିବା ପର୍ଯ୍ୟନ୍ତ ଏହା ଭକ୍ତକୁ ମିଳିପାରିଥାଏ । ମହାପ୍ରଭୁଙ୍କ ୯ ଦିବସୀୟ ଯାତ୍ରା ଶେଷ ହେବା ପରେ ଭକ୍ତଙ୍କୁ ପୁଣି ବର୍ଷେ ପାଇଁ ଏହା ପାଇବାକୁ ଅପେକ୍ଷା କରିବାକୁ ହୋଇଥାଏ । ସୂଚନା ଯେ, କରୋନା କଟକଣା ଯୋଗୁଁ ଚଳିତବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ସେବାୟତମାନେ ତିନି ଠାକୁରଙ୍କ ରଥକୁ ଟାଣି ଆଣି ଶରଧାବାଲିରେ ପହଞ୍ଚାଇଥିଲେ। ଆଜି ସମସ୍ତ ନୀତିକାନ୍ତି ପରେ ରଥ ଉପରେ ତିନି ଦିଅଁଙ୍କୁ , ଗୋପାଳ ବଲ୍ଲଭ ବେଶ, ଭୋଗ, ସକାଳ ଧୂପ, ମଇଲମ, କୋରା ଖଇ ଭୋଗ ଲାଗିକରାଯିବ । ମଧ୍ୟାହ୍ନ ଧୂପ ପରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡି କରି ଆଡ଼ପ ମଣ୍ଡପକୁ ତିନି ଦିଅଁ ଙ୍କୁ ବିଜେ କରାଯିବ ।
