ରାଜ୍ୟରେ ଆଉ ୪୭୮ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୫୭ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଅଗଷ୍ଟରେ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶନିବାର ୨୧ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୧ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୭ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୭ହଜାର ୪୩୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୭ ଜଣ ଥିବାବେଳେ ବାଲେଶ୍ୱରରୁ ୨୫ ଜଣ, ଭଦ୍ରକରୁ ୪ ଜଣ, କଟକରୁ ୫୭ ଜଣ, ଢେଙ୍କାନାଳରୁ ୧୨ ଜଣ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୨୯ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୩ ଜଣ, କେଉଁଝରରୁ ୧ ଜଣ, ଖୋର୍ଦ୍ଧାରୁ ୨୧୧ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୧୩ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୧୪ ଜଣ, ସମ୍ୱଲପୁରରୁ ୧୨ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ରାଜ୍ୟ ପୁଲରୁ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦,୨୭,୪୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦,୧୩,୮୩୩ ଜଣ ସୁସ୍ଥ ହୋଇଥିବା ବେଳେ ୫,୩୩୬ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୦୧,୦୩,୪୯୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।
