ରାଜ୍ୟରେ ଆଉ ୬୧୫ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୬୮ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପରତଳ ହେଉଛି ମହାମାରୀ କରୋନା ଗ୍ରାଫ୍ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ସେପ୍ଟେମ୍ବର ପରେ ଅକ୍ଟୋବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ଏହାରି ମଧ୍ୟରେ ବୁଧବାର ୨୨ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୬୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫୭ ଓ ସ୍ଥାନୀୟ ଅଞ୍ଚଳରୁ ୨୫୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୮ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୩ହଜାର ୨୮୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪ଜଣ ଥିବାବେଳେ ବାଲେଶ୍ୱରରୁ ୧୨ଜଣ, ବରଗଡ଼ରୁ ୩ଜଣ, ଭଦ୍ରକରୁ ୭ଜଣ, ବୌଦ୍ଧରୁ ଜଣେ, କଟକରୁ ୭୨ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୮ଜଣ, ଯାଜପୁରରୁ ୯ଜଣ, ଝାରସୁଗୁଡ଼ାରୁ ୨ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୩୨୩ଜଣ, କୋରାପୁଟରୁ ୪ଜଣ, ମୟୁରଭଞ୍ଜରୁ ୨୮ଜଣ, ନୟାଗଡ଼ରୁ ୩ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୧୫ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୯ଜଣ, ସୁନ୍ଦରଗଡ଼ରୁ ୮ଜଣ ଓ ରାଜ୍ୟ ପୁଲରୁ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୩୩ହଜାର ୨୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ଲକ୍ଷ ୧୯ହଜାର ୭୬୪ ଜଣ ସୁସ୍ଥ ହୋଇଥିବା ବେଳେ ୫ହଜାର ୨୦୩ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୦୮,୨୭,୯୨୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।
