ରାଜ୍ୟରେ ଆଉ ୪୦୭ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୭୪ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଅଗଷ୍ଟରେ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ସୋମବାର ୧୮ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୬୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୪ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୮ହଜାର ୩୬୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨ ଜଣ ଥିବାବେଳେ ବାଲେଶ୍ୱରରୁ ୧୬ ଜଣ, ଭଦ୍ରକରୁ ୧ ଜଣ, ବରଗଡ଼ରୁ ୨ ଜଣ, କଟକରୁ ୬୩ ଜଣ, ଜଗତସିଂହପୁରରୁ ୧୮ ଜଣ, ଯାଜପୁରରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, ଖୋର୍ଦ୍ଧାରୁ ୧୬୭ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୨୬ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୧୫ ଜଣ, ସମ୍ୱଲପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୨ ଜଣ ଓ ରାଜ୍ୟ ପୁଲରୁ ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦,୨୮,୩୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦,୧୫,୦୧୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୭୫ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୦୨,୩୬,୯୪୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।
