ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଗତସିଂହପୁର ଜିଲାରୁ ସର୍ବାଧିକ ୧୨ ଜଣ ଥିବାବେଳେ କଟକ ଜିଲାରୁ ୧୧ ଜଣ, ଢେଙ୍କାନାଳ ଜିଲାରୁ ୮ଜଣ ରହିଛନ୍ତି । ଭଦ୍ରକ ଓ ଯାଜପୁର ଜିଲାରୁ ୬ ଜଣ ଲେଖାଏଁ ରହିଛନ୍ତି । ଅନୁଗୁଳ, କେନ୍ଦ୍ରାପଡା, ଓ ଖୋର୍ଦ୍ଧା ଜିଲାରୁ ୫ ଜଣ ଲେଖାଏଁ ରହିଛନ୍ତି । ପୁରୀରୁ ୪ ଜଣ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲାରୁ ୩ ଜଣ ଲେଖାଁଏ ରହିଛନ୍ତି । ସେହିପରି ନୟାଗଡ ଜିଲାରୁ ଜଣେ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୭ହଜାର ୨୨୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୯୯,୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୮୨,୩୧୯ ଜଣ ସୁସ୍ଥ ହୋଇଥିବା ବେଳେ ୯,୫୭୮ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୭,୨୨୩ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
