ରାଜ୍ୟରେ କରୋନା ଆକ୍ରାନ୍ତ ଆଉ ୬୬ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୨,୧୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ଵାଧିକ ୬୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧ ଜଣ ରହିଥିବା ବେଳେ ବରଗଡ଼, ସୁନ୍ଦରଗଡ଼ ଜିଲାରୁ ୧୦ ଜଣେ ଲେଖାଏଁ ରହିଛନ୍ତି । ବାଲେଶ୍ୱର ଜିଲାରୁ ୮ଜଣ ରହିଥିବା ବେଳେ ସମ୍ବଲପୁର ଜିଲାରୁ ୭ଜଣ ରହିଛନ୍ତି । ସେହିପରି ଭଦ୍ରକ, ମୟୁରଭଞ୍ଜ ଜିଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବଲାଙ୍ଗୀର, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, ପୁରୀ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୮୬୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୪୭,୮୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୪୭,୮୫୯ ଜଣ ସୁସ୍ଥ ହୋଇଥିବା ବେଳେ ୨୨,୨୯୯ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୪,୮୬୧ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି
