ଆଜି ଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ
ମାଲକାନଗିରି : ଆଜି ଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନ କରୁଛି । ନକ୍ସଲ ଆହ୍ୱାନ ଦେଇଛନ୍ତି ୨ରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ହେବ । ଜିଲ୍ଲାର ଦୁର୍ଗମ ଅଂଚଳରେ ପୋଷ୍ଟର ଏବଂ ବ୍ୟାନର ମାରି ପିଏଲଜିଏ ସପ୍ତାହକୁ ପାଳନ କରିବାକୁ ଆହ୍ୱାନ କରିଛନ୍ତି। ପୋଲିସ ସୀମାକୁ ସିଲ କରିଦେଇଛି ପିଏଲଜିଏ ସପ୍ତାହକୁ ଆଖିଆଗରେ ରଖି। ବିଏସଏଫ,ଏସଓଜି,ଡିଭିଏଫ ଯବାନ ଜୋରଦାର କୁମ୍ବିଂ କରୁଥିବା ଦେଖିବାକୁ ମିଳିଛି। ଅଚିହ୍ନା ଲୋକଙ୍କ ଯାନବାହାନ ସୀମାରେ ଯାଞ୍ଚ କରାଯାଉଛି। କୌଣସି ଅପ୍ରତିକର ଘଟଣାକୁ ଏଡାଇବା ପାଇଁ ପୋଲିସ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କହିଛି।
ହିଂସାତ୍ମକ ହୋଇପଡନ୍ତି ନକ୍ସଲ ପିଏଲଜିଏ ସପ୍ତାହ ବେଳକୁ। ତେଣୁ ଦୁର୍ଗମ ଅଂଚଳର ଲୋକେ ଭୟ ଓ ଆତଙ୍କରେ ରହିଥିବା ଦେଖିବାକୁ ମିଳିଛି। ପୁଲିସ ତରଫରୁ ଯାନବାହାନ ଚଳାଚଳକୁ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି। ସରକାରୀ ବସଗୁଡିକ ନକ୍ସଲଙ୍କ ସହିଦ ସପ୍ତାହ କିମ୍ବା ପିଏଲଜିଏ ସପ୍ତାହ ପାଳନ ବେଳେ ବନ୍ଦ ରହୁଛି। ଏନେଇ ପୁଲିସସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ମାଲକାନଗିରି ଜିଲ୍ଲାକୁ ବିଶେଷକରି ବହୁ ସରକାରୀ ବସ ଚଳାଚଳ କରୁଥିବାରୁ ସାତ ଦିନ ବ୍ୟାପି ବସ ବନ୍ଦ ରହିଲେ ଲୋକେ ନାହିଁ ନଥିବା ହଇରାଣ ହେବେ ବୋଲି କୁହାଯାଇଛି। କି ପଦକ୍ଷେପ ନିଆଯିବ ପ୍ରଶାସନ ତରଫରୁ ଦେଖିବାକୁ ବାକି ରହିଲା। ପୁଲିସ ସ୍ୱାଭିମାନ ଅଂଚଳରେ ନକ୍ସଲଙ୍କୁ ଦମନ କରିବା ପାଇଁ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରୁଛି। ସ୍ୱାଭିମାନ ଅଂଚଳର ୭ଟି ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଆହୁରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ନେଇ ଆଲୋଚନା ଚାଲିଥିବା ଜଣାପଡିଛି। ସ୍ୱାଭିମାନ ଅଂଚଳରେ ନକ୍ସଲକୁ ଦମନ କରିବା ନେଇ ପୁଲିସର ଲଗାତାର ସଫଳତାରେ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି। ଗ୍ରାମବାସୀ ନକ୍ସଲଙ୍କ ନିମୟ କାନୁନକୁ ମାନୁନଥିବା ବେଳେ ନକ୍ସଲ କିପରି ଏହି ସପ୍ତାହକୁ ପାଳନ କରୁଛନ୍ତି ଦେଖିବାକୁ ବାକି ରହିଲା।
