ମୟୂରଭଞ୍ଜ ଜିଲ୍ଲାରୁ ନୂଆ ୨୯୭ କରୋନା ପଜିଟିଭ ଚିହ୍ନଟ, ୨ ମୃତ
- ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧,୯୩୮କୁ ବୃଦ୍ଧି
- ଜୁନ୍ ମାସର ୧୦ ଦିନରେ ୩,୮୪୯ ସଂକ୍ରମିତ ଓ ୭ ଦିନରେ ୧୪ ମୃତ
ବାରିପଦା : ଓଡ଼ିଶାରୁ ଆଜି ଚିହ୍ନଟ ହୋଇଥିବା ୬,୦୯୭ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଂଟା ମଧ୍ୟରେ ୨୯୭ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସାଙ୍ଗକୁ ଓଡ଼ିଶାରେ ପଚଂମ ସ୍ଥାନରେ ରହିଛି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୧,୯୩୮ରେ ପହଁଚିଛି ।
ସେହିପରି ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରୁ ୮୭.୮୭ ପ୍ରତିଶତ ହାରରେ ୨୮,୦୬୪ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୧୧.୮୮ ପ୍ରତିଶତ ହାରରେ ୩,୭୯୪ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଂଟର ଓ କଟକ-ଭୁବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି । ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଆଧାରରେ ଆଜି ଜିଲ୍ଲାରୁ ୭୦ ଓ ୮୩ ବର୍ଷର ୨ ଜଣ ବରିଷ୍ଠ ନାଗରିକଙ୍କୁ ମିଶାଇ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜିଲ୍ଲାରେ ୦.୩୪ ପ୍ରତିଶତ ହାରରେ ମୋଟ ୧୦୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟାନ୍ୟ କାରଣରୁ ୩ ଜଣଙ୍କର ଜୀବନ ଯାଇଥିବାର ଜଣାପଡ଼ିଛି । ୭ ଦିନରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି କେବଳ ଜୁନ ମାସର ୧୦ ଦିନରେ ଜିଲ୍ଲାରୁ ୩,୮୪୯ ଜଣ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଆଜି ପୂର୍ବାହ୍ନ ସୁଦ୍ଧା ୩,୩୭୦ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
